ବେଆଇନ୍ ଇଟାଭାଟି ନିଆଁରେ ଅଞ୍ଚଳବାସୀ ଅତିଷ୍ଠ
କୋଦଳା :(ଗୁଲସନ୍ କୁମାର କର) ଗଂଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଏବେ ପାରଦ ୪୦ ଡିଗ୍ରୀ ଛୁଉଁଛି । ଅଗ୍ନି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିଲା ବେଳେ ଏହି ନିଆଁକୁ ଇନ୍ଧନ ଯୋଗାଉଛି ଇଟାଭାଟି ନିଆଁ । ପୁରା ପରିବେଷକୁ ଉତ୍ତପ୍ତ କରିବାରେ ଇଟାଭାଟି ନିଆଁ ସହାୟକ ହେଉଛି। ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ କୋଦଳା, ବେଗୁନିଆପଡ଼ା ଓ ସୁମଣ୍ଡଳ ଅଞ୍ଚଳରେ ମାଳ ମାଳ ଇଟାଭାଟି ଗଢ଼ି ଉଠୁଥିବା ବେଳେ ଦିନରାତି ଏହି ଇଟାଭାଟି ଚାଲିବା ଦ୍ବାରା ଏଥିରୁ ବାହାରୁଥିବା ପ୍ରଚଣ୍ଡ ନିଆଁରେ ପରିବେଶ ପ୍ରଦୂଷିତ ହେବା ସହିତ ଗରମ ଧୂଆଁ ପରିବେଶକୁ ପ୍ରଦୂଷିତ କରୁଛି। ତେବେ ଇଟାଭାଟି ସ୍ଥାପନ କରିବା ସଂପୂର୍ଣ ବେଆଇନ ହୋଇଥିଲେ ମଧ୍ୟ ରାଜସ୍ବ ପ୍ରଶାସନ ଇଟାଭାଟି ମାଲିକଙ୍କ ମଧ୍ଯରେ ସଲାସୁତୁରା ରହିଥିବା ଯୋଗୁଁ ଇଟାଭାଟି ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ଇଟାଭାଟି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେପଟେ ସେହି ଅଞ୍ଚଳର ବିଜୁଳି କର୍ମଚାରୀ ମାନେ ମଧ୍ୟ ଇଟାଭାଟି ମାଲିକଙ୍କ ଠାରୁ ବଟି ନେଇ ବେଆଇନ ବିଜୁଳି ସଂଯୋଗ ଦେଉଥିବା ଜଣାପଡ଼ିଛି। ମୋଟାମୋଟି ଭାବେ କହିବାକୁ ଗଲେ ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଯେତିକି ମାତ୍ରାରେ ପଦକ୍ଷେପ ନିଆ ଯାଉଛି ତାହା ସମୁଦ୍ରକୁ ଶଙ୍ଖେ ପରି। କୌଣସି ଇଟାଭାଟି ମାଲିକଙ୍କ ଉପରେ ଯଦି ଜୋରିମାନା ଆଦାୟ କରାଯାଏ ତେବେ ଇଟା ଦାମ୍ ବୃଦ୍ଧି କରି ଗ୍ରାହକମାନଙ୍କୁ ଲୁଟି ଥାନ୍ତି। ସେପଟେ ମାଟିଇଟା ଯୋଗୁଁ ସିମେଣ୍ଟ ଇଟାର ଆଦର କମି ଯାଉଥିବାରୁ ସରକାରଙ୍କ ଠାରୁ ରୁଣ କରି ସିମେଣ୍ଟ ଇଟା ବ୍ଯବସାୟ କରୁଥିବା ବ୍ଯକ୍ତି ମାନେ ଏବେ ଚିନ୍ତାରେ। ଘଟଣାକୁ ନେଇ ରାଜସ୍ବ ବିଭାଗକୁ ପଚାରିଲେ ଫାଇନ୍ ଆଦାୟ କରାଯାଉଥିବା କହୁଛନ୍ତି କିନ୍ତୁ ଇଟାଭାଟି ଗୁଡିକ ସବୁଦିନ ପାଇଁ କିଭଳି ବନ୍ଦ କରାଯିବ ସେ ନେଇ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


