ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଗ ଫସଲର ସହୟତାକୁ ନେଇ ଉଠିଲା ସ୍ୱର

ନାଉଗାଁ, (ଓ୍ବାଇଏନ୍ଏସ୍):୨୦୧୯ରେ ହୋଇଥିବା ଫନି ବାତ୍ୟାରେ ନାଉଗାଁ ବ୍ଳକର ଅନେକ ରବି ଫସଲ ନଷ୍ଟ ହୋଇଥିଲା । ଏହି ରବି ଫସଲ ନଷ୍ଟ ପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଥିଲା । ଏହି ସହାୟତା ପ୍ରଦାନରେ ପ୍ରକୃତ ଚାଷୀ ଉପକୃତ ହୋଇ ନଥିବା ବେଳେ ପରିବାରର ଅନେକ ସଦସ୍ୟଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିବାକୁ ନେଇ କିଛି ଦିନ ତଳେ ନାଉଗାଁ ବ୍ଳକ ଗଜରାଜପୁର ପଂଚାୟତର ଚାଷୀମାନଙ୍କ ଦ୍ୱାରା ଅଭିଯୋଗ ହୋଇଥିଲା । ଏହି ସହାୟତାକୁ ନେଇ ଆଉ ଏକ ଅଭିଯୋଗ ଜାମୁଗାଁ ପଂଚାୟତର ଚାଷୀଙ୍କ ପକ୍ଷରୁ କରାଯାଇଛି । ଉକ୍ତ ସହାୟତା ପ୍ରକୃତ ଚାଷୀ ପାଇବା ପରିବର୍ତେ ବହୁ ଅଣ ଚାଷୀ ଉପକୃତ ହୋଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପଂଚାୟତର ଚାଷୀମାନେ ଲିଖିତ ଅଭିଯୋଗ କରିଛନ୍ତି । ଚାଷୀ ଅନୁପ କୁମାର ମହାନ୍ତି, ପ୍ରକାଶ ଦାସ,ଲକ୍ଷ୍ମୀଧର ନାୟକ, କୈଳାସ ଦାସ, ବାବାଜୀ କାଣ୍ଡି, ଦିଲ୍ଲିପ କୁମାର ପାଢୀ, ସମୀର ମହାନ୍ତି ସମେତ ଅନେକ ଚାଷୀ ଉକ୍ତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ ଏହାର ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅଭିଯୋଗ ମୁତାବକ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷତି ପୁରଣ ଦେବା ଲାଗି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । କ୍ଷତିଗ୍ରସ୍ତ ଚାଷୀଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କିନ୍ତୁ କୃଷି ବିଭାଗର କେତେକ କର୍ମଚାରୀ, ସହ କୃଷି ଅଧିକାରୀ ଓ କୃଷକ ସାଥୀ ମନଇଚ୍ଛା ତାଲିକା ପ୍ରଦାନ କରିବା ସହିତ କେତେକ ଅଣଚାଷୀଙ୍କ ନାମରେ ସହାୟତା ରାଶି ହଡପ କରିଥିବା ଜଣାଯାଇଛି । ଜିଲ୍ଲା ପୋର୍ଟାଲରେ ପ୍ରକାଶିତ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ତାଲିକାରେ ଚାଷୀଙ୍କ ନାମ ଦେଖିଲେ ସ୍ୱଳ୍ପ ଜମିଥିବା ଚାଷୀ ଅଧିକ ସହାୟତା ପାଇଥିବା ବେଳେ ଅନେକ ଅଣଚାଷୀ ଏହି ସହୟତାକୁ ହାତେଇଛନ୍ତି । ଯାହାଫଳରେ ପ୍ରକୃତ ଚାଷୀ ଉପକୃତ ହୋଇପାରି ନାହାନ୍ତି । ଏପରିକି ଉକ୍ତ ପଂଚାୟତର କୃଷକ ସାଥୀ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ଉକ୍ତ ଫନି ସହୟତା ହାତେଇଥିବା ଜଣାଯାଇଛି । ଏକାନ୍ତ ପରିବାର ଥାଇ ମଧ୍ୟ ସହାୟତା ପାଇଁ ପୃଥକ ଦର୍ଶାଇ ଉକ୍ତ ସହାୟତା ରାଶି ନେଇଥିବା, ସ୍ୱାମୀ, ସ୍ତ୍ରୀ ଉଭୟଙ୍କ ସହାୟତା ରାଶି ନେବା, ସହାୟତା ପାଇଥିବା ଚାଷୀମାନଙ୍କ ଠାରୁ ଉକ୍ତ ପଂଚାୟତର କୃଷକ ସାଥୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଶହ ଟଙ୍କା ଲେଖାଁଏ ପ୍ରଦାନ କରିବା ପାଇଁ ଚାଷୀମାନଙ୍କ ଠାରୁ ଆଦାୟ କରିବା, କମ ଜମି ଥିବା ଚାଷୀଙ୍କୁ ଅଧିକ ସହାୟତା ଓ ଅଧିକ ଜମିଥିବା ଚାଷୀଙ୍କୁ କମ ସହୟତା ଆଦି ପ୍ରଦାନ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ବିଷୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏ ବିଷୟକୁ ନେଇ ନାଉଗାଁ ବ୍ଳକ ଗଜରାଜପୁର ସର୍କଲର ସହ କୃଷି ଅଧିକାରୀ ତୁଷାରକାନ୍ତ ସ୍ୱାଇଁଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ