ଫଳକ ଘଟଣାକୁ ନେଇ ରାଜନୀତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏକ ପେଟ୍ରୋଲ ପମ୍ପ ଉଦ୍ଘାଟନୀ ଫଳକକୁ ନେଇ ଗତକାଲି ରାଜନୀତି ସରଗରମ ଦେଖିବାକୁ ମିଳିଥିଲା । ଏପରିକି ଉଭୟ ବିଜେଡି-ବିଜେପି ମଧ୍ୟରେ ପେଲାଠେଲା ତଥା ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଏହାକୁ ନେଇ ଉଭୟ ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ପୃଥକ ପୃଥକ ଭାବେ ଅଭିଯୋଗ ହୋଇଥିବାର ଜଣାପଡିଛି । ଉଭୟ ଦଳର ଅଭିଯୋଗକୁ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଗୁରୁବାର ଜଙ୍ଗମ ସାହି ଛକ ଠାରେ ଆର୍.ଉଦୟଗିରି ସମବାୟ ସଂସ୍ଥା ଦ୍ବାରା ପରିଚାଳିତ ପେଟ୍ରୋଲ ପମ୍ପ ଉଦଘାଟନ ହୋଇଥିଲା । ଏଥିରେ ଉଦ୍ଘାଟନୀ ଫଳକ ଲଗାଯାଇଥିଲା । ହେଲେ ପାରଳାଖେମୁଣ୍ଡି ବିଧାୟକଙ୍କ ନାମ ନଥିବାରୁ ଭାଜପା ନେତାମାନେ ଅଭିଯୋଗ କରି ପେଟ୍ରୋଲ ପମ୍ପ ପରିସରରେ ପ୍ରତିବାଦ କରିଥିଲେ । ଏହି ସମୟରେ ଆର୍.ଉଦୟଗିରି ସମବାୟ ସଂସ୍ଥାର ସଭାପତି ଏସ୍.ଗଜପତି ରାଓ ପ୍ରମୁଖଙ୍କ ସହ ବିଜେଡିର କିଛି ନେତା ଓ କର୍ମକର୍ତ୍ତାମାନେ ଫଳକ ବିଷୟକୁ ନେଇ ସଫେଇ ଦେଇଥିଲେ । ଏହାପରେ ଉଭୟ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଯାହାକୁ ନେଇ ଭୟପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଉଭୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।


