ଫଳାଫଳ ହିଁ କହିବ
ଦେଶରେ ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ପରିପ୍ରେକ୍ଷୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ବହୁ ଚର୍ଚ୍ଚିତ ଦ୍ୱିତୀୟ ପର୍ଯ୍ୟାୟ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଗତ ୧୭ ତାରିଖ ଦିନ ମୁମ୍ବାଇରେ ଶେଷ ହୋଇଥିବାବେଳେ ଆୟୋଜିତ ଜନ ସମାବେଶରେ ଇଣ୍ଡିଆ ମେଂଟର ବହୁ ସହଯୋଗୀ ଦଳର ନେତାଙ୍କ ଯୋଗଦାନ ଦଳକୁ ନୂତନ ଉତ୍ସାହ ଓ ଶକ୍ତି ପ୍ରଦାନ କରିଛି, ଏହା ନିସନ୍ଦେହରେ କୁହାଯାଇପାରିବ । ଉଲ୍ଳେଖଯୋଗ୍ୟ ଯେ, ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରାରେ ରାହୁଳ ଦେଶର ପୂର୍ବ ଭାଗରୁ ୧୧ଟି ରାଜ୍ୟ ଦେଇ ୧୦ହଜାରରୁ ଉର୍ଦ୍ଧ୍ୱ ପଥ ଅତିକ୍ରମ କରି ପଶ୍ଚିମରେ ମହାରାଷ୍ଟ୍ରର ମୁମ୍ବାଇରେ ଶେଷ କରିଥିଲେ । ଏହି ପଦଯାତ୍ରା ଅବସରରେ ସେ ସମାଜର ବିଭିନ୍ନ ଲୋକମାନଙ୍କୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଥିଲେ । ସେହିପରି ବିଭିନ୍ନ ରାଜ୍ୟରେ ଆୟୋଜିତ ଜନସମାବେଶରେ ଉଦବୋଧନ ଦେଇ ବିଜେପି ସରକାରଙ୍କ ଜନବିରୋଧି ନୀତିକୁ କଟୁ ସମାଲୋଚନା କରିଥିଲେ । ଏହା ନିସନ୍ଦେହ ଯେ, କେନ୍ଦ୍ରରେ କ୍ଷମତାସୀନ ବିଜେପିର ମୁଖ୍ୟ ବିରୋଧି ଭାବେ ନିଜକୁ ଉପସ୍ଥାପିତ କରିବାରେ ସମର୍ଥ ହୋଇଛନ୍ତି । ଯଦି ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଯାହା କନ୍ୟାକୁମାରୀ ଠାରୁ ହୋଇ ଶ୍ରୀନଗରରେ ଉଦଯାପିତ ହୋଇଥିବା ଯାହାକି ତାଙ୍କ ପାଇଁ ଏବଂ ଦଳର ହଜାର ହଜାର ନେତା ଓ କର୍ମୀଙ୍କ ନୂତନ ଉତ୍ସାହ ଓ ଉନ୍ୱାଦନାର ପ୍ରେରଣା ଥିଲା, କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା, ଯାହା ମଣିପୁରରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ତାହା ବିଶେଷ ପ୍ରଭାବୀ ଥିବା କୁହାଯାଏ । ସେହିପରି ରାହୁଲଙ୍କ ପ୍ରଥମ ପର୍ଯ୍ୟାୟ ଯାତ୍ରା ପ୍ରେମ ଓ ସଦ୍ଭାବର ବାହାବହ ହୋଇଥିଲା । ଘୃଣା ରଥ୍ନୀତି ବିରୁଦ୍ଧରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ତାଙ୍କ ଯାତ୍ରାର ମୁଖ୍ୟ ଲକ୍ଷ୍ୟ ଥିଲା । ଯେଉଁଥିପାଇଁ କି ତାଙ୍କର ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣ ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଥିଲେ । ଏହି ଯାତ୍ରାର ନିର୍ବାଚନ ସହ କୌଣସି ସମ୍ପର୍କ ନଥିବା କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଥିବାବେଳେ ଏହା ଏକ ଆଦର୍ଶଗତ ପ୍ରଚାର ବୋଲି ଦର୍ଶାଯାଇଥିଲା । ଏହି ଯାତ୍ରା ପରେ କଂଗ୍ରେସ ଦୁଇଟି ରାଜ୍ୟ ତଥା କର୍ଣ୍ଣାଟକ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚର୍ନର ସଫଳତା ପାଇଥିଲା । କିନ୍ତୁ ଦଳ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ପରାଜିତ ହୋଇ କ୍ଷମତାଚ୍ୟୁତ ହୋଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରାର ବାର୍ତା ସାମାଜିକ ନ୍ୟାୟା ପ୍ରତିଷ୍ଠା ଏବଂ କ୍ଷମତାରେ ଅଧିକ ସଂଖ୍ୟାରେ ବିଭିନ୍ନ ଜାତି ବା ବର୍ଗର ପ୍ରତିନିଧିତ୍ୱ ଥିଲା । ଏହା କିନ୍ତୁ ନସନ୍ଦେହ ଯେ, ଉଭୟ ପର୍ଯ୍ୟାୟ ଯାତ୍ରାରେ କଂଗ୍ରେସର ଶକ୍ତି ସହ କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ନୂତନ ଉତ୍ସାହ ଓ ଉନ୍ୱାଦନା ସୃଷ୍ଟି କରିବାରେ ସହାୟକ ହୋଇଛି । ଆହୁରି ମଧ୍ୟ ଦଳର ନେତାମାନେଙ୍କ ମଧ୍ୟରେ ଥିବା ପରସ୍ପର ବିରୋଧି ମନୋଭାବ, ମନୋଭାବ ଦୂର କରିବାରେ ସହାୟକ ହୋଇଛି । କଂଗ୍ରେସ ପୁର୍ନଜୀବନ ଦେବା ପାଇଁ ସେମାନେ ଯେପରି ସଂକଳ୍ପବଦ୍ଧ ହୋଇଥିବା ମନେକରାଯାଏ । ଅନ୍ୟପକ୍ଷରେ ଏହି ଯାତ୍ରା ପ୍ରତି ସହଯୋଗୀ ଦଳମାନଙ୍କର ସମର୍ଥନ ଦଳକୁ ଆହୁରି ଉତ୍ସାହିତ କରିବା ସହ ବଳ ଯୋଗାଇଥିବା ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇନପାରେ । ଆହୁରି ମଧ୍ୟ କ୍ରମାଗତ ଭାବେ ଦୀର୍ଘ ୧୦ବର୍ଷ ଧରି ଅସ୍ଥିର, ଦୁର୍ବଳ ଏବଂ ନବନୀୟ ହୋଇପଡିଥିବା କଂଗ୍ରେସ ଏକ ଦୃଢ ବିଜେପି ବିରୋଧି ମେଂଟ ଗଠନ ଅଭିଯାନକୁ ଦୃଢ କରିବାରେ ମଧ୍ୟ ସମର୍ଥ ହୋଇଛି । ସହଯୋଗୀ ଦଳମାନଙ୍କୁ ବିରୋଧି ବିରୁଦ୍ଧରେ ଏକାଠି କରିବାରେ ମଧ୍ୟ ସକ୍ଷମ ହୋଇଛି । ଯେଉଁଠାରେ ଆଂଚଳିକ ଦଳର ଦବ୍ଦବା ରହିଛି, ବିଶେଷ କରି ବିହାର ଠାରୁ ଆରମ୍ଭ କରି ତାମିଲନାଡୁ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ମେଂଟ ଗଠନ ତଥା ଆସନ ବଂଟନ କରିବାରେ ସମର୍ଥ ହୋଇଛି । କିନ୍ତୁ ପଶ୍ଚିମବଙ୍ଗରେ ଯେଉଁଠାରେ ତୃଣମୂଳ କଂଗ୍ରେସ(ଟିଏମସି)ର ଅଖଣ୍ଡ ପ୍ରଭାବ ରହିଛି, ସେଠାରେ ଟିଏମସିର ସର୍ତରେ ସହମତ ନହେବାରୁ ଆସନ ବୁଝାମଣା ବ୍ୟର୍ଥ ହୋଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା ହେଉଛି ଦୁଇଟି ପଦଯାତ୍ରା ଯୋଜନା ଓ ସୁପରିଚାଳନା ଯୋଗୁଁ କଂଗ୍ରେସ ସାଂଗଠନିକ ଦକ୍ଷତାରେ ଉଲ୍ଳେଖନୀୟ ସଫଳତା ହାସଲ କରିଛି, ଏହା କେହି ଅସ୍ୱୀକାର କରିପାରିବେ ନାହିଁ । ଏହା କିନ୍ତୁ ନିଶ୍ଚିତ ଯେ, ରାହୁଲ ଦୁଇଟି ଭାରତ ଯୋଡ ଯାତ୍ରା ଦେଶର ଜନସାଧାରଣଙ୍କ ଉପରେ କି ପ୍ରଭାବ ପକାଇବାରେ ସମର୍ଥ ହୋଇଛି । ତାହା ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ହିଁ କହିବ ।