ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ମୋଦି ସରକାର ପୁଣି ଚାଷୀଙ୍କୁ ପ୍ରତାରିତ କଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍. ଏସ୍ . ପି )ବାବଦରେ କୃଷକମାନଙ୍କୁ ଏଥର ମଧ୍ୟ ପ୍ରତାରଣା କଲା କେନ୍ଦ୍ରର ମୋଦୀ ସରକାର । ଚାଷର ପ୍ରକୃତ ଖର୍ଚ୍ଚକୁ ଆଢୁଆଳରେ ରଖି ଗତ ବୁଧବାର (୧୯-୦୬-୨୦୨୪) ଦିନ କେନ୍ଦ୍ର ସରକାର ଧାନ ସହ ୧୪ ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି) ଘୋଷଣା କଲେ । କେନ୍ଦ୍ରୀୟ ମନ୍ତ୍ରୀସଭାର ବୈଠକ ପରେ ଜଣାଇ ଦିଆଗଲା ଯେ ଗତ ବର୍ଷ ତୁଳନାରେ ଧାନର ସଂଗ୍ରହ ମୂଲ୍ୟ ୫.୩୫ ଶତାଂଶ ବଢାଇ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା କରାଯାଇଛି । ୨୦୨୪-୨୫ ଖରିଫ ଚାଷ ପାଇଁ ଧାନର ଏମ୍.ଏସ୍.ପି କ୍ୟୁଇଣ୍ଟାଲ ପିଛା୧୧୭ ଟଙ୍କା ବଢେଇ ଦିଆଯାଇଛି । ଏହା ସହିତ ତୈଳବୀଜ, ଡାଲି ଜାତୀୟ ଫସଲ, ତୁଳା ,ବାଜରା ଇତ୍ୟାଦି ଫସଲର ନୂଆ ଏମ୍.ଏସ୍.ପି ଘୋଷଣା କରାଯାଇଛି । କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଢିବା ପରେ ଏହା ଥିଲା ମୋଦୀ ମନ୍ତ୍ରୀସଭାର ପ୍ରଥମ ବୈଠକ । ବୈଠକ ଶେଷରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଥିଲେ । ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଶକ୍ତ ଧକ୍କା ଖାଇଲା ପରେ ପ୍ରଥମରୁ ମୋଦୀ ସରକାର ନିଜଜୁ କୃଷକ-ଦରଦୀ ବୋଲି ଦେଖାଇବା ପାଇଁ ଫସଲର ଏମ୍.ଏସ୍.ପି ବିଷୟ ର ସିଦ୍ଧାନ୍ତ କୁ ନେଇ ମନ୍ତ୍ରୀ ମହାଶୟ ବିସ୍ତାରିତ ବ୍ୟାଖ୍ୟା ଦେବାରେ ଲାଗିଲେ । ବାରମ୍ବାର ସେହି ଗୋଟିଏ କଥା କହିବାରେ ଲାଗିଲେ- କୃଷକର ସ୍ୱାର୍ଥ ରକ୍ଷା ପାଇଁ ମୋଦୀ ସରକାର ଏହି ସିଦ୍ଧାନ୍ତ ନେଇଛି । ମନ୍ତ୍ରୀ ଜଣାଇଲେ, ସାଧାରଣ ଗ୍ରେଡ଼୍ ର ଧାନ କ୍ଷେତ୍ରରେ ଏମ୍.ଏସ୍.ପି କ୍ୟୁଇଣ୍ଟାଲ ପିଛା ୧୧୭ ଟଙ୍କା ବଢେଇ ୨୦୨୪-୨୫ ଖରିଫ ଫସଲ ପାଇଁ ୨୩୦୦ ଟଙ୍କା କରାଯାଇଛି । ‘ଏ’ ଗ୍ରେଡ଼୍ ଭେରାଇଟି ର ଧାନର ଏମ୍.ଏସ୍.ପି କ୍ୟୁଇଣ୍ଟାଲ ପିଛା ୨୩୨୦ ଟଙ୍କା ରଖାଯାଇଛି । ଗତ ବର୍ଷ ତୁଳନାରେ ତୈଳବୀଜ, ଡାଲି ଜାତୀୟ ଫସଲର ସହାୟକ ମୂଲ୍ୟ ଏକା ଥରକେ ସର୍ବୋଚ୍ଚ ବୃଦ୍ଧି ଘଟିଛି ବୋଲି ସେ ଦାବି କରିଥିଲେ । ମନ୍ତ୍ରୀ କହିଲେ, ଏଥର ମନ୍ତ୍ରୀସଭା ମକା ଫସଲର ଏମ୍.ଏସ୍.ପି ପ୍ରତି କ୍ୟୁଇଣ୍ଟାଲ ୨୨୨୫ ଟଙ୍କା,ହରଡ଼ ଡାଲି କ୍ୟୁଇଣ୍ଟାଲ ପିଛା ୭୫୫୦ ଟଙ୍କା, ମୁଗ ଡାଲି -୮୬୮୨ ଟଙ୍କା, ସୂର୍ଯ୍ୟମୁଖୀ ବୀଜ ୭୨୮୦ ଟଙ୍କାର ଏମ୍.ଏସ୍.ପି ପାଇଁ ସୁପାରିଶ କରାଯାଇଛି । ଏଠାରେ ଲକ୍ଷ୍ୟ କରିବାର କଥା ଯେ, ଚାଷର ଖର୍ଚ୍ଚ ଅସ୍ୱାଭାବିକ ହାରରେ ବଢିଯାଇଛି । କିନ୍ତୁ ସେହି କଥାକୁ ଲୁଚାଇ ରଖି , କାର୍ଯ୍ୟତଃ ପ୍ରତାରଣା ସୁଲଭ ଢଙ୍ଗରେ ମନ୍ତ୍ରୀ ମହାଶୟ କହିଲେ, ଫସଲର ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ଦାମ ଏମ୍.ଏସ୍.ପି ହିସାବରେ ଦେବାର ନୀତି ୨୦୧୮ ସାଲରେ କେନ୍ଦ୍ରୀୟ ବଜେଟରେ ମୋଦୀ ସରକାର ଘୋଷଣା କରିଥିଲେ । ତେଣୁ ଏଥର ମଧ୍ୟ କୃଷକକୁ ଚାଷର ଖର୍ଚ୍ଚର ଦେଢଗୁଣ ଏମ୍.ଏସ୍.ପି ହିସାବରେ ଦେବାପାଇଁ ସିଦ୍ଧାନ୍ତ ହୋଇଛି । କମିଶନ୍ ଫର୍ ଏଗ୍ରୀକଲ୍ଚୂରାଲ୍ କଷ୍ଟ୍ ଆଣ୍ଡ ପ୍ରାଇସେସ୍ (ସି.ଏ.ସି.ପି)ର ସୁପାରିଶକୁ ମାନି ଏହି ସିଦ୍ଧାନ୍ତ ହୋଇଛି ବୋଲି ମନ୍ତ୍ରୀ ମହାଶୟ ଦାବି କରିଥିଲେ । କିନ୍ତୁ ବାସ୍ତବରେ ଚାଷର ଖର୍ଚ୍ଚ ଯେମତି ଭାବରେ ଆକାଶଚୁମ୍ବୀ ହୋଇଛି, ସି.ଏ.ସି.ପି ର ହିସାବ ତା’ ପାଖାପାଖି ପହଞ୍ଚି ନଥାଏ ବୋଲି ସବୁ ରାଜ୍ୟର କୃଷକମାନେ ବାରମ୍ବାର ଅଭିଯୋଗ ଉଠାଇଥିଲେ । କୃଷକଙ୍କୁ ଯେଉଁ ପ୍ରତାରଣା କରାଯାଉଛି, ତା’ର ଯାବତୀୟ ରହସ୍ୟ ଏହି ସି.ଏ.ସି.ପି ର ହିସାବ ମଧ୍ୟରେ ଲୁକାୟିତ ହୋଇ ରହିଥାଏ । ସରକାର ଚାଷର ପ୍ରକୃତ ଖର୍ଚ୍ଚକୁ ଇଚ୍ଛାକୃତ ଭାବେ କମ୍ କରି ଦେଖାଇଥାନ୍ତି । ଦେଶର କୃଷକମାନଙ୍କ ସହ କୌଣସି ଆଲୋଚନା ନ କରି, ସେହି ଛଳନାପୂର୍ଣ୍ଣ ହିସାବକୁ ଭିତ୍ତି କରି ସରକାର ପ୍ରତ୍ୟେକ ଥର ଏମ୍.ଏସ୍.ପି ଘୋଷଣା କରିଥାନ୍ତି । ପରିସ୍ଥିତି ଏହିପରି ହେବା ଦ୍ୱାରା କେରଳର ବାମପନ୍ଥୀ ସରକାର ପ୍ରକୃତ “ଅନ୍ନଦାତା”ମାନଙ୍କ ପାଖରେ ଠିଆହୋଇ ଧାନ କ୍ୟୁଇଣ୍ଟାଲ ପିଛା ୨୮୫୦ ଟଙ୍କା ଦେଉଛନ୍ତି । ଏହି ମୂଲ୍ୟ କେନ୍ଦ୍ରର ଘୋଷିତ ମୂଲ୍ୟ ଅପେକ୍ଷା ଅନେକ ବେଶୀ । ଫଳରେ, “ଉତ୍ପାଦନ ଖର୍ଚ୍ଚର ଦେଢଗୁଣ ଦାମ୍” ଦେବା ନାଁଆରେ କେନ୍ଦ୍ର ସରକାର ଏବେ ଯେଉଁ ଏମ୍.ଏସ୍.ପି ଘୋଷଣା କରିଛନ୍ତି, ତା’ ବିରୁଦ୍ଧରେ ସାରା ଦେଶରେ କୃଷକମାନେ ପ୍ରତିବାଦ ମୁଖର ହୋଇଛନ୍ତି । ଭୁକ୍ତଭୋଗୀ କୃଷକମାନେ ପ୍ରଶ୍ନ ଉଠାଇଛନ୍ତି, କେନ୍ଦ୍ର ସରକାର ଯଦି ଏତେ କୃଷକ-ଦରଦୀ , ତେବେ ବାରମ୍ବାର ଦାବି କରିବା ସତ୍ୱେ ଚାଷର ପ୍ରକୃତ ଖର୍ଚ୍ଚ ର ଦେଢଗୁଣକୁ ଏମ୍.ଏସ୍.ପି ବୋଲି ସ୍ୱୀକୃତି ଦେଇ କାହିଁକି ଆଇନ ତିଆରି କରୁନାହିଁ ? ଐତିହାସିକ କୃଷକ ଆନ୍ଦୋଳନର ଏହି ଦାବି ପ୍ରକାଶ୍ୟରେ ମାନିନେଇଥିଲେ ମଧ୍ୟ କେନ୍ଦ୍ରର ମୋଦୀ ସରକାର କୃଷକମାନଙ୍କୁ କାହିଁକି ବାରମ୍ବାର ଠକୁଛନ୍ତି, ଏବେ ମଧ୍ୟ ପୁଣି କାହିଁକି ଠକିଲେ? ଏମ୍.ଏସ୍.ପି ଘୋଷଣା କରିବା ଆଗରୁ କାହିଁକି କୃଷକମାନଙ୍କ ମତାମତ ନେଉ ନାହାନ୍ତି ଏହି ସରକାର? ଅତଏବ, ମୋଦୀ ସରକାର କୃଷକ ବିରୋଧୀ ହୋଇ ରହିଯାଇଛନ୍ତି । ଏହି ପ୍ରସଙ୍ଗରେ ବିଚାର କରି ଦେଖିଲେ ଜଣାପଡୁଛି ଯେ ଏହି ମୋଦୀ ସରକାର କୃଷକ ସହ ଶ୍ରମଜୀବୀ ମଣିଷଙ୍କୁ କେବଳ ପ୍ରତାରଣା କରି ଚାଲିଛି । ବିହନ, ସାର, କୀଟନାଶକ, ଡିଜେଲ, ବିଦ୍ୟୁତ- ଚାଷ କାର୍ଯ୍ୟର ସମସ୍ତ ଉପାଦାନଗୁଡିକର ବଢି ଯାଇଥିବା ମୂଲ୍ୟ କୃଷକର ପହଞ୍ଚ ବାହାରେ । ଫଳରେଘୋଷଣା କରାଯାଇଥିବା ଏମ୍.ଏସ୍.ପି ର ମୂଲ୍ୟ ଦ୍ୱାରା କୃଷକର କୌଣସି ଲାଭ ହେବନାହିଁ, ସେମାନଙ୍କର ଦୁର୍ଦ୍ଦଶାରୁ କୌଣସି ମୁକ୍ତି ମିଳିବ ନାହିଁ । କାରଣ, ଧାନ ବିକ୍ରି କରିବାକୁ ଗଲେ, ବିଭିନ୍ନ ନାଁ’ରେ କୌଶଳ କରି ସରକାର କିଛି ପରିମାଣର ଧାନ ମୋଟ ଓଜନରୁ ବାଦ ଦେଇ ଦିଅନ୍ତି । ସୁତରାଂ, ଏହି ବିଷୟକୁ ନେଇ କୃଷକମାନଙ୍କୁ ପୁଣି ରାସ୍ତାକୁ ଓଲ୍ହାଇବାକୁ ପଡିବ । ରାଜନୈତିକ ବିଶ୍ଲେଷକମାନଙ୍କ ବକ୍ତବ୍ୟ, ଏହି ବର୍ଷରେ ହରିଆଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀରେ ବିଧାନସଭା ଭୋଟ ହେବ । ସାରା ଦେଶରେ ଲଗାତାର କୃଷକ ଆନ୍ଦୋଳନ ଫଳରେ ମୋଦୀ ସରକାର ଗତ କେତେ ବର୍ଷ ଧରି ଚାପ ମଧ୍ୟରେ ରହିଛି । ତା ସହିତ ସଦ୍ୟ ସମାପ୍ତ ନିର୍ବାଚନରେ ବଡ ରକମର ଧକ୍କା ଖାଇ ଅସମ୍ଭାଳ ‘ମୋଦୀ-ଶାହା’ର ନେତୃତ୍ୱାଧୀନ ଏନ ଡି ଏ ସରକାର ଏଥର ନିଜକୁ ‘କୃଷକ-ଦରଦୀ’ ଭାବେ ପ୍ରତିସ୍ଥାପିତ କରିବାକୁ ଜୋର ରେ ଲାଗିଛନ୍ତି । ଏହି କାରଣରୁ ତୃତୀୟ ମିଆଦରେ ଶପଥ ନେବା ପରେ ପରେ ପ୍ରଥମ ଦିନ ହିଁ ନିଜ କାର୍ୟାଳୟକୁ ଯାଇ କିଶାନ-ନିଧି ଫାଇଲ୍ ରେ ମୋଦୀ ଦସ୍ତଖତ କରିଛନ୍ତି । ସେହିଦିନ ହିଁ ମୋଦିଙ୍କ ସଭାପତିତ୍ୱରେ ମନ୍ତ୍ରୀସଭାର ପ୍ରଥମ ବୈଠକରେ ହିଁ ଏମ୍.ଏସ୍.ପି ବାବଦରେ ନିଆଯାଇଥିବା ସିଦ୍ଧାନ୍ତକୁ ଫୁଲାଇ ଫମ୍ପେଇ ବହୁତ ବଡ଼ କରି ଦେଖାଇବାର ଚେଷ୍ଟା କରାଯାଇଛି । ତେବେ, ଏମ୍.ଏସ୍.ପି ବଢାଇବା ନାଁ’ରେ ଯେଉଁ ସରକାରୀ ପ୍ରତାରଣା ଚାଲିଛି,ସେହି କୃଷକ ବିରୋଧୀ ନିତୀ ବିରୋଧରେ ପ୍ରତିବାଦ ଜାରି ରହିବ ବୋଲି ଓଡିଶା କୃଷକ ସଭାର କେନ୍ଦ୍ରାପଡା ଜିଲ୍ଲା ସଭାପତି ଗୟାଧର ଧଳ ଏବଂ ସମ୍ପାଦକ ବିଜୟ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।