ଫନି ପ୍ରଭାବରେ ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ବସ୍ ଷ୍ଟାଣ୍ଡ ଭାଙ୍ଗି ଚୁର୍ମାର ଖୋଲା ଆକାଶ ତଳେ ପର୍ଯ୍ୟଟକ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ଗତ ୩ ତାରିଖରେ ମହାବାତ୍ୟା ଫାନିରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଏଥିରୁ ବାଦ୍ ପଡ଼ିନାହିଁ ପର୍ଯ୍ୟଟନ ସହରରେ ନୂତନ ଭାବେ ନିର୍ମାଣ ହୋଇଥିବା ମାଳତୀପାଟପୁର ବସ୍ଷ୍ଟାଣ୍ଡ । ଫାନି ବାତ୍ୟାରେ ଏହି ବସ୍ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବହୁ ଆଧୁନିକ ଶୈଳୀରେ ଏହି ବସ୍ଷ୍ଟାଣ୍ଡକୁ ନିର୍ମାଣ କରାଯାଇଥିଲା । ଶହ ଶହ ପର୍ଯ୍ୟଟକ ଏଠାକୁ ଆସି ଖାଦ୍ୟ, ପାନୀୟ ଓ ରହିବା ଲାଗି ସମସ୍ତ ବ୍ୟବସ୍ଥା ହୋଇଥିଲା । ତାହା ଆଜି ଭାଙ୍ଗି ଚୁରମାର ହୋଇଯାଇଛି । ପର୍ଯ୍ୟଟକ ଖୋଲା ଆକାଶ ତଳେ ଏହି ବସ୍ଷ୍ଟାଣ୍ଡ ପରିସରରେ ସମୟ ବିତାଉଛନ୍ତି । ଆଉମାତ୍ର ଏକମାସ ପରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଫାନି ପ୍ରଭାବରେ ପୁରୀ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବାବେଳେ ପର୍ଯ୍ୟଟକମାନେ କେଉଁଠାରେ ଆଶ୍ରୟ ନେବେ ତାହା ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । କେବେ ପର୍ଯ୍ୟଟନ ସହର ତାର ଭିତ୍ତିଭୂମି ସଜାଡ଼ୁଛି ତାହା ଉପରେ ସମସ୍ତଙ୍କ ନଜର । ସେହିପରି ପୁରୀ ସଦର ବ୍ଲକ୍ର ବୀରହରେକୃଷ୍ଣପୁର, ବାଲିଗୁଆଳି ଓ ସମଗରା ଗ୍ରାମରେ ଫାନି ତାଣ୍ଡବ କରି ଗ୍ରାମର ଶତାଧିକ ଘର ଭାଙ୍ଗିବାସହ ଗଛ, ବିଦ୍ୟାଳୟ ଗୃହ ଆଦି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏପରିକି ଗ୍ରାମବାସୀଙ୍କ ଭିଟାମାଟି ଛାଡ଼ି ପଲିଥିନ ତଳେ ଜୀବନ ବିତାଉଛନ୍ତି ।