ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ ଆସିକାରେ ଚାଲିଛି ବହୁ ଔଷଧ ଦୋକାନ!
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଗ୍ରାମାଞ୍ଚଳ ଗୁଡିକରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଔଷଧ ଦୋକାନ ଖୋଲିଥିଲା ବେଳେ ବହୁ ଔଷଧ ଦୋକାନ ଫାର୍ମାସିଷ୍ଟ ମାନଙ୍କ ଅନୁପସ୍ଥିତିରେ ଚାଲିଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଔଷଧ ଦୋକାନ ଗୁଡିକରେ ଫାର୍ମାସିଷ୍ଟ ମାନେ ବସୁ ନଥିବା ସାଙ୍ଗକୁ ଅନଭିଜ୍ଞ ବେକାର ଯୁବକ ମାନଙ୍କ ଦ୍ୱାରା କେତେକ ଔଷଧ ଦୋକାନ ଚାଲିଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ପ୍ରଶାସନର ନିଘୋଡ ନିଦ୍ରା ଭାଙ୍ଗୁ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଔଷଧ ବ୍ୟବସାୟ ଏକ ଲାଭଜନକ ବ୍ୟବସାୟ ବୋଲି ଭାବି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲି ଚାଲିଥିଲା ବେଳେ ରୋଗୀ ଓ ତାଙ୍କ ସମ୍ପର୍କିୟଙ୍କୁ ଔଷଧ କିଣିବା ସମୟରେ ଅଧିକରୁ ଅଧିକ ରିହାତି ଦେବା ପାଇଁ କେତେକ ବ୍ୟବସାୟଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ବୋଲି ଚର୍ଚ୍ଚା ହେଉଛି । ଆସିକା ସହରର କେତେକ ହାତଗଣତି ଔଷଧ ଦୋକାନୀ ଔଷଧ ମୁଲ୍ୟର ପ୍ରିଣ୍ଟ ଦର ଉପରେ ସବୁଠୁ ଅଧିକ ରିହାତି ଗ୍ରାହକଙ୍କୁ ଦେଉଥିବା ଯୋଗୁଁ ବହୁ ବ୍ୟବସାୟି ହାତବାନ୍ଧି ବସୁଥିବା ଅଭିଯୋଗ ହେଉଛି । ଔଷଧ ଦୋକାନ ଖୋଲିବା ପାଇଁ ଆବଶ୍ୟକୀୟ ନଥିପତ୍ର ଦାଖଲ କରାଯାଇ ଡ୍ରଗ୍ସ ଇନିସପେକ୍ଟରଙ୍କ ଠାରୁ ଲାଇସେନ୍ସ ଆଣି ଖୋଲାଯାଉଥିଲେ ମଧ୍ୟ ପ୍ରତ୍ୟେକ ଔଷଧ ଦୋକାନରେ ଫାମସିଷ୍ଟ୍ ହିଁ ଗ୍ରାହକଙ୍କୁ ଔଷଧ ଦେବା ନିୟମ ଆସିକାରେ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ବିନା ଫାର୍ମାସିଷ୍ଟରେ ଔଷଧ ଦୋକାନରୁ ଔଷଧ ବିତରଣ ଆଇନ ସମ୍ମତ ନଥିବା ବେଳେ ସହରର ଅଧିକାଂଶ ଔଷଧ ଦୋକାନରେ ଗତ କିଛି ମାସ ହେଲା ଅପାଠୁଆ ଓ ଅନଭିଜ୍ଞ ଯୁବକ ମାନେ ରୋଗୀ ଓ ଗୋଗୀଙ୍କ ସର୍ମ୍ପକୀୟଙ୍କୁ ବିଭିନ୍ନ ରୋଗ ପାଇଁ ଅବାଧରେ ଔଷଧ ଦେଉଥିବା ଦେଖିବାକୁ ମିଳୁଛି । କେତେକ ସ୍ଥଳେ ଡାକ୍ତର ଲେଖିଥିବା ଔଷଧ ଚିଠା ବଦଳରେ ଏହି ଅପାଠୁଆ ଓ ଅନଭିଜ୍ଞ ଔଷଧ ବ୍ୟବସାୟୀ ମାନେ ଅଧିକାଂଶ ସମୟରେ ଏହାର ବିକଳ୍ପ ଔଷଧ ରୋଗୀଙ୍କୁ ଦେଉଥିବା ଅଭିଯୋଗ ହେଉଛି । ପ୍ରଶାସନ ପକ୍ଷରୁ ଔଷଧ ଦୋକାନ ଗୁଡିକ ଉପରେ ନିୟମିତ ଚଢାଉ କରିବା ସହ ଫାର୍ମାସିଷ୍ଟ ମାନେ ଯେପରି ଔଷଧ ବ୍ୟବସାୟ ପ୍ରତିଷ୍ଟାନ ଗୁଡିକରେ ବସିବେ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଖୁଚୁରା ଔଷଧ ଦୋକାନ ଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୭୦ପ୍ରତିଶତ ଔଷଧ ଦୋକାନରେ ଫାର୍ମାସିଷ୍ଟ ବସୁନଥିବା ଅଭିଯୋଗ ହେଉଛି । କେତେକ ଔଷଧ ଦୋକାନୀ ଫାର୍ମାସିଷ୍ଟ ପାଠ ପଢିଥିବା ବ୍ୟକ୍ତିବିଶେଷଙ୍କ ଠାରୁ ସାର୍ଟିଫିକେଟ୍କୁ ମାସିକ ୩ହଜାରରୁ ୫ହଜାର ଟଙ୍କାରେ ଭଡାରେ ଆଣି ଦୋକାନ ଖୋଲିଥିଲା ବେଳେ କାଁ ଭାଁ କିଛି ଫାର୍ମାସିଷ୍ଟ ନିଜେ ମେଡିସିନ୍ ଦୋକାନ କରିଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ରୋଗ ହେଲେ କେତେକ ବ୍ୟକ୍ତି ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଦୋକାନୀ ଠାରୁ ଔଷଧ କିଣି ଆଣୁଥିବା ବେଳେ କେତେକ କ୍ଷେତ୍ରରେ ଅପାଠୁଆ ଓ ଅନଭିଜ୍ଞ ତଥା ମ୍ୟାଟ୍ରିକ୍ ଫେଲ୍ ଯୁବକ ମାନେ ମନଇଛା ଔଷଧ ଦେଉଥିବା ଚର୍ଚ୍ଚା ହେଉଛି । ଫଳରେ କେତେବେଳେ କିଛି ଅଘଟଣ ଘଟିବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉ ନାହିଁ । ଔଷଧ ଦୋକାନ କିଏ କରିଛି, ଦୋକାନର ଫାର୍ମାସିଷ୍ଟ ସାର୍ଟିଫିକେଟ୍ କାହା ନାମରେ ଅଛି ସେ ନେଇ ଖୋଳତାଡ କରିବା ସାମ୍ପ୍ରତିକ ପରିସ୍ଥିତିରେ ଜରୁରୀ ହୋଇପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ବେଳ ଥାଉ ଥାଉ ଏଥିପ୍ରତି ଦୃଷ୍ଟି ନଦେଲେ କେତେକ ଅର୍ଥଲୋଭୀ ମୁନାଫଖୋରୋ ଔଷଧ ବ୍ୟବସାୟଙ୍କ ଯୋଗୁଁ ୍ରୋଗୀ ମାନେ ବିନା କାରଣରେ ମରଣଯନ୍ତା ଭିତରକୁ ଟାଣି ହେବେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।