ଫେରାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଲେ ଜେଲ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କଂସାମାରୀ ପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ ଙ୍କୁ ଅର୍ଥ ଆତ୍ମସାତ ମାମଲା ରେ ପୋଲିସ ଗିରଫ କରି ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି । ପାଟପୁର ଥାନା ମାମଲା ନଂ.୨୩୪/୧୯ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ନିର୍ବାହୀ ଅଧିକାରୀଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସୂଚନାନୁସାରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କଂସାମାରୀ ପଞ୍ଚାୟତ ର ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣକ ୧୦ ଲକ୍ଷ ରୁ ଉର୍ଦ୍ଧ ସରକାରୀ ଅନୁଦାନ ଅର୍ଥରାଶି ତୋଷାରପାତ ଅଭିଯୋଗରେ ଗଞ୍ଜାମ ଜିଲ୍ଲାପାଳ ଚିଠି ନଂ ୧୨୭୨/ ତା. ୨|୧୧|୧୯ ରେ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ ଙ୍କୁ ନିଲମ୍ବିତ କରିଥିଲେ l ପରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଗତ ୪|୧୧|୧୯ ରେ ପାଟପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ l ମାମଲା ର ତଦନ୍ତ କରି ପୋଲିସ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତ ଚାଲିଥିବା ବେଳେ ନିର୍ବାହୀ ଅଧିକାରୀ ଇସାକ ଗିରଫ ଭୟରେ ଫେରାର ଥିଲେ l ସୋମବାର ଇସାକ ପ୍ରଧାନ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପାଟପୁର ପୋଲିସ ଏସ ଆଇ ଶୁଭ୍ରଜିତ ସାମନ୍ତରାୟ ଙ୍କ ତତ୍ୱାବଧାନରେ ଏକ ପୋଲିସ ଟିମ ଇସାକ ପ୍ରଧାନ ଙ୍କୁ ଗିରଫ କରି ଥାନାକୁ ଆଣି ଘଟଣାର ସବିଶେଷ ତଦନ୍ତ କରିଥିଲେ l ଇସାକ ସରକାରୀ ଅନୁଦାନ ଅର୍ଥରାଶି ହଡ଼ପ କରିଥିବା ସ୍ୱୀକାର କରିବା ପରେ ପୋଲିସ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି l


