ଫେସନ ପାଇଁ ଇ-ସିଗାରେଟ ପିଉଛନ୍ତି ଯୁବକ !
ଇ ସିଗାରେଟ ଦ୍ୱାରା ଶରୀରରେ ହେଉଥିବା କ୍ଷତି ପରେ ବି ଏହାର ବ୍ୟବହାର ବଢ଼ିବାରେ ଲାଗିଛି । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଇ-ସିଗାରେଟ ସେବନ କେବଳ ଦେଖାଇବାକୁ କରାଯାଉଥିବାବେଳେ ଏହାର ପ୍ରଭାବ ବାବଦରେ ଜାଣିପାରୁନାହାନ୍ତି । ତମ୍ବାକୁ ନିୟନ୍ତ୍ରଣ ପାଇଁ କାମ କରୁଥିବା ସଂସ୍ଥା ସଲାମ ବମ୍ବେ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ଏ ନେଇ ଜଣାପଡିଛି । ସର୍ଭେରେ ୩୦୦ ଜଣ ଯୁବକଙ୍କୁ ସାମିଲ କରାଯାଇଥିଲା ।
ଆଶ୍ଚର୍ଯ୍ୟର କଥା ଏମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ଲୋକ ଇ-ସିଗାରେଟ ସେବନ ବାବଦରେ ପୂର୍ବରୁ ଜାଣିଥିଲେ । ଏଥିରେ ସାମିଲ ହୋଇଥିବା ଯୁବକମାନଙ୍କ ମଧ୍ୟରୁ ୩୩ ପ୍ରତିଶତ ଯୁବକ ଏହାକୁ ସେବନ କରୁଥିବାର ସ୍ୱୀକାର କରିଥିଲେ । ସେହିପରି ୫୬ ପ୍ରତିଶତ ଯୁବକ ଭାବନ୍ତି ଇ-ସିଗାରେଟ ଅନ୍ୟ ତମାଖୁ ତୁଳନାରେ କମ୍ କ୍ଷତିକାରକ ।
ସଲାମ ବମ୍ବେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଫେସନ ପାଇଁ ଯୁବକମାନେ ଇ-ସିଗାରେଟ୍ ସେବନ କରୁଛନ୍ତି । ପରେ ଏହି ସିଗାରେଟ ବ୍ୟବହାର କରିବା ଅଭ୍ୟାସରେ ପରିଣତ ହୋଇଯାଇଥାଏ । ପୂର୍ବରୁ କୌଣସି ତମ୍ବାକୁ ବ୍ୟବହାର କରୁନଥିବା ଯୁବକ ଏହି ଇ-ସିଗାରେଟ ବ୍ୟବହାର କରିବାରେ ଏବେ ଅଭ୍ୟସ୍ତ ହୋଇଗଲେଣି । ଯାହାକୁ ନେଇ ସାମାଜିକ କର୍ମୀଙ୍କ ଚିନ୍ତା ବଢିଯାଇଛି । ଡାକ୍ତର କୁହନ୍ତି ଯେ ଅନ୍ୟ ସିଗାରେଟ ଭଳି ଏହା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏଥିରେ ବ୍ୟବହାର ହେଉଥିବା କେମିକାଲରେ କ୍ୟାନ୍ସର ମଧ୍ୟ ସୃଷ୍ଟି ହୋଇଥାଏ । ଇ-ସିଗାରେଟକୁ ନେଇ ଗତବର୍ଷ କେନ୍ଦ୍ର ସରକାର ଏହାର ବ୍ୟବହାର ନ କରିବାକୁ ରାଜ୍ୟ ସରକାରମାନଙ୍କୁ ବ୍ୟାନ୍ ଲାଗି ନିର୍ଦ୍ଦେଶ ଦେଇଥିଲେ ।


