‘ଫ୍ୟୁଚର ବାଲେଶ୍ୱର’ପକ୍ଷରୁ ବିଧାନସଭା ଘେରାଓ ଚେତାବନୀ

ବାଲେଶ୍ୱର, (ସରୋଜ ପଣ୍ଡା): ଋଗ୍‌ଣ ସ୍ଥିତିକୁ ଚାଲି ଆସିଥିବା ଜିଲାର ଦୁଇ ପ୍ରମୁଖ ଶିଳ୍ପାନୁଷ୍ଠାନ ବିରଳା ଟାୟାର୍ସ ଓ ବାଲେଶ୍ୱର ଆଲୋଏଜେକୁ ପୁନଃ କାର୍ଯ୍ୟକ୍ଷମ ଦାବିରେ ସ୍ୱେଚ୍ଛାସେବୀ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରୁ ସଂଗଠନର ସଦସ୍ୟ ସଦସ୍ୟା ଓ ଦୁଇ ଶିଳ୍ପାନୁଷ୍ଠାନର ଶ୍ରମିକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଫ୍ୟୁଚର ବାଲେଶ୍ୱରର ସଭାପତି ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିବା ସହ ଦୁଇ ପ୍ରମୁଖ ଶିଳ୍ପାନୁଷ୍ଠାନର ଅଚଳାବସ୍ଥା ଯୋଗୁଁ ସାମ୍ପ୍ରତିକ ସ୍ଥିତିରେ ଶ୍ରମିକ କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ରାଜନୈତିନ ଓ ପ୍ରାଶାସନିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ କେବଳ ଦୁଇ ଶିଳ୍ପାନୁଷ୍ଠାନ ନୁହେଁ ଆଗାମୀ ଦିନରେ ବାଳେଶ୍ୱର ଜିଲା ଶିଳ୍ପଶୂନ୍ୟ ହେବା ନେଇ ଶ୍ରୀ ପାଣିଗ୍ରାହୀ ଆଶଙ୍କା ପ୍ରକାଶ କରିଛନ୍ତି । ଗତ ୨୦ମାସ ଧରି ଶ୍ରମିକ କର୍ମଚାରୀମାନେ ଦରମା ଓ ବୋନସ ଅର୍ଥ ନ ପାଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ବେଳେ ଇତିମଧ୍ୟରେ କୋଭିଡ ଆକ୍ରାନ୍ତ ହୋଇ କେତେକ ଶ୍ରମିକ ମୃତ୍ୟୁ ବରଣ କଲେଣି । ଅନ୍ୟପକ୍ଷରେ ଶ୍ରମିକଙ୍କ ଇପିଏଫ, ଇଏଆଇ ଅର୍ଥ କମ୍ପାନି ପକ୍ଷରୁ ଭରଣା ନହେବା ଯୋଗୁଁ ସମ୍ପୃକ୍ତ ଯୋଜନାରେ ଶ୍ରମିକମାନେ ସେମାନଙ୍କ ଅର୍ଥ ମଧ୍ୟ ପାଉ ନାହାନ୍ତି । ଦୁଇ ଶିଳ୍ପାନୁଷ୍ଠାନର ଉତ୍ପାଦନ ବନ୍ଦ ରହିବା ଯୋଗୁଁ ୧୦ହଜାରରୁ ଅଧିକ ଶ୍ରମିକ ଓ କର୍ମଚାରୀଙ୍କ ପରିବାର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଉଭୟ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜିଲା ପ୍ରଶାସନ, ସ୍ଥାନୀୟ ବିଧାୟକ, ସାଂସଦ, ଶ୍ରମ ମନ୍ତ୍ରୀ, ଶ୍ରମ ସଚିବଙ୍କଠାରେ ଗୁହାରୀ କରାଯାଇଥିଲେ ବି ଏହାକୁ ଗୁରୁତ୍ୱ ଦିଆନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏନେଇ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ‘ଫ୍ୟୁଚର ବାଲେଶ୍ୱର’ ବିଧାନସଭା ଘେରାଓ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ଶ୍ରମିକ ନେତା ଦୁକୁଲୁ ଘଡ଼େଇ, ବିଭୂପଦ ଦାସ, ଭବାନୀଶଙ୍କର ପଣ୍ଡା, ସଂଯୁକ୍ତାରାଣୀ ବେହେରା, ସବିତା ମହାନ୍ତି, ଆଲୋକ ଦାଶ ପ୍ରମୁଖ ଏଥିରେ ଯୋଗଦେଇ ଦୁଇ ଶଳ୍ପାନୁଷ୍ଠାନ ପରିଚାଳନାରେ ଲୋକପ୍ରତିନିଧି, ପ୍ରଶାସନ ତଥା ସରକାରଙ୍କ ଅସହଯୋଗକୁ ସମାଲୋଚନା କରିଥିଲେ । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଫ୍ୟୁଚର ବାଲେଶ୍ୱର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଏକ ସ୍ମାରପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ