କଳାକାର ସହାୟତା ହିତାଧିକାରୀ ଚୟନରେ ସ୍ୱଚ୍ଛତା ଅବଲମ୍ବନ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା): ବିଭିନ୍ନ ଦାବିନେଇ ଜିଲା ଲୋକକଳା, ଓଡ଼ିଆ ଭାଷା ସାହିତ୍ୟ ଓ ସମାଜସେବା କଲ୍ୟାଣ ସଂଘ ପକ୍ଷରୁ ଜିଲାପାଳଙ୍କୁ ମଙ୍ଗଳବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀ ଚୟନରେ ସ୍ୱଚ୍ଛତା ଅବଲମ୍ବନ ଉପରେ ସଂଘର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ବିଶେଷ କରି ପଞ୍ଜୀକୃତ କଳାକାରଙ୍କୁ ଏହି ସହାୟତା ପ୍ରଦାନ କରିବା, ଅଣକଳାକାର ପରିବର୍ତ୍ତେ ପ୍ରକୃତ କଳାକାରଙ୍କୁ ଚୟନ କରିବା, ବ୍ଲକ ସ୍ତରରେ ସ୍ୱତନ୍ତ୍ର କମିଟି ଗଠନ ସହ ସହାୟତା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବା ଉପରେ ସଂଗଠନର କର୍ମକର୍ତ୍ତାମାନେ ଗୁରୁତ୍ୱାରୋପ କରିଛନ୍ତି । ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଉପସଭାପତି ପୂର୍ଣ୍ଣଚନ୍ଦ୍ର କଟୁଆଳ, ସମ୍ପାଦକ ଗଜେନ୍ଦ୍ର ଜେନା, ଯୁଗ୍ମ ସମ୍ପାଦକ ଚନ୍ଦନ ଦାସ, କୋଷାଧ୍ୟକ୍ଷ ମଧୁସୂଦନ ପାଢ଼ୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।


