ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ଯାଇଥିବା ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ମାଡ

ହାଟଡିହି,(ବିକାଶ ବିଶ୍ୱାଳ ): ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରିବାପାଇଁ ଯାଇଥିବା ଆନନ୍ଦପୁର ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଆହତ ନିର୍ବାହୀଯନ୍ତ୍ରୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରରୁ ଜଣାଯାଇଛି ଯେ ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, କନିଷ୍ଠଯନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ଅନ୍ୟକିଛି କର୍ମଚାରୀ ମାନଙ୍କୁ ଧରି ଅଣାଛକ କେନାଲ ନିକଟରେ ରହୁଥିବା ବାସନ୍ତୀ ମହାପାତ୍ର ନାମକ ଜଣେ ଗ୍ରାହକଙ୍କ ଘରକୁ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରିବାପାଇଁ ଯାଇଥିଲେ । ତାଙ୍କର ୭୩ହଜାର ବାକି ଥିବାରୁ ସେମାନେ ତାଙ୍କୁ ୫୦ଭାଗ ବକେୟା ଶୁଳ୍କ ଦେବାକୁ ମାଗିଥିଲେ । ଏନେଇ ବାସନ୍ତୀଙ୍କ ସ୍ୱାମୀ ଘନଶ୍ୟାମ ମହାପାତ୍ରଙ୍କ ସହିତ ଆଲୋଚନା କରୁଥିବାବେଳେ କରୋନା ସମୟରେ ଏତେଟଙ୍କା ଦେବାକୁ ଘନଶ୍ୟାମ ଅକ୍ଷମତା ପ୍ରକାଶ କରିଥିଲେ । ଆଗରୁ ନୋଟିସ ଦିଆଯାଇଛି ତେଣୁ ବକେୟା ବିଲ ନଦେଲେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବ ବୋଲି ନିର୍ବାହୀଯନ୍ତ୍ରୀ କହିବାରୁ ଘନଶ୍ୟାମଙ୍କ ପୁଅ ଅନିଲ ଏଥିରେ ଉତକ୍ଷିପ୍ତ ହୋଇ ଏକ କାଠଫାଳିଆ ସାହାଯ୍ୟରେ ନିର୍ବାହୀଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଫଳରେ ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସାପାଇଁ ନିଆଯାଇଛି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ