ବଙ୍କର ସ୍କୁଲ : ଜାତୀୟ ସଙ୍ଗୀତ ଆରମ୍ଭ ହେଲେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରେ
ଜମ୍ମୁର ପୂରା ପାଖରେ ଠିକ୍ ଜିରୋ ଲାଇନରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଗାଁରେ ୧୯୯୬ ପୂର୍ବରୁ କୌଣସି ସ୍କୁଲ ନ ଥିଲା । ଏହାପରେ ସେଠାରେ ଗଢ଼ିଉଠିଛି ଏକ ସ୍କୁଲ । ସ୍କୁଲରେ ବଙ୍କର ରହିଥିବାରୁ ତାହାକୁ ବଙ୍କର ସ୍କୁଲ ବୋଲି କୁହାଯାଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଶହେରୁ ବେଶି ପିଲା ଏହି ସ୍କୁଲରେ ପଢୁଛନ୍ତିି । ସ୍କୁଲରେ ପଢୁଥିବା ପିଲାମାନେ ସକାଳୁ ତାଙ୍କ ବାପାଙ୍କ ସହ ଗାଈ ଚରାଇବାକୁ କିମ୍ବା ଦୁଗ୍ଧ ବିକିବାକୁ ଚାଲିଯାଆନ୍ତି । ଶିକ୍ଷକ ସେମାନଙ୍କୁ ଖୋଜି ଖୋଜି ପାଇବା ପରେ ବୁଝାଇ ସ୍କୁଲକୁ ଆଣନ୍ତି । ବେଳେବେଳେ ସେମାନଙ୍କୁ କାନ ଧରି ସ୍କୁଲକୁ ଆଣନ୍ତି । ପିଲାମାନେ ସ୍କୁଲକୁ ଆସିବା ପରେ ଶିକ୍ଷକଙ୍କୁ “ଗୁଡ୍ ମର୍ଣ୍ଣିିଂ ମାଷ୍ଟରଜୀ’ ବୋଲି ସମ୍ବୋଧନ କରନ୍ତି । ତା’ପରେ ସ୍କୁଲରେ ପ୍ରାର୍ଥନା ହୁଏ । ଏହାପରେ ପିଲାମାନେ ଜାତୀୟ ସଙ୍ଗୀତ ବୋଲନ୍ତି । ଠିକ୍ ସେତେବେଳେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ଆରମ୍ଭ ହୋଇଯାଏ । ଏହା ଆରମ୍ଭ ହେବା କ୍ଷଣି ଶିକ୍ଷକ ପିଲାମାନଙ୍କୁ ବଙ୍କର ମଧ୍ୟକୁ ନେଇଯାଆନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଶିକ୍ଷକ ନିଜ ଟଙ୍କାରେ ପାଚେରି ନିର୍ମାଣ କରିଛନ୍ତି । ସ୍କୁଲ ପାଚେରି ଓ ଘର କାନ୍ଥରେ ଗୁଳିଗୋଳାର ଚିହ୍ନ ଦେଖିବାକୁ ମିଳେ । ଯେତେବେଳେ ସୀମାରେ ଉତ୍ତେଜନା ପ୍ରକାଶ ପାଏ ସେତେବେଳେ ପ୍ରତିଦିନ ୮ରୁ ୧୦ଟି ଗୁଳି ସ୍କୁଲ ଅଗଣାରେ ପଡ଼େ । ଏହାକୁ ପିଲାମାନେ ସଫା କରି ପ୍ରିନ୍ସିପାଲ୍ଙ୍କ କୋଠରିରେ ସଜାଇ ରଖନ୍ତି । ଏହି ସ୍କୁଲକୁ ଶିକ୍ଷକ ନିୟମିତ ୧୬ କିଲୋମିଟର ଦୂରରୁ ଆସନ୍ତି ।


