ବଜ୍ର ନିରୋଧକ ତାଳଗଛ

ଏବେ ଯେଭଳି ପ୍ରାକୃତିକ ବିପର୍ଯ୍ୟାୟ ଏବଂ ବଜ୍ରପାତ ବୃଦ୍ଧି ପାଉଛି, ତାହା ଅତ୍ୟନ୍ତ ଉଦ୍‌ବେଗନକ । କେବଳ ବଜ୍ରପାତ ସଂଖ୍ୟା ବୃଦ୍ଧି ପାଇନାହିଁ, ତା’ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି ‘କ୍ଳାଇମେଟ ରେସିଲିଏଂଟ ଅବଜର୍ଭିଂ ସିଷ୍ଟମ ପ୍ରମୋସନ କାଉନସିଲ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ୨୦୨୨-୨୩ବର୍ଷରେ ସମଗ୍ର ଦେଶରେ ୨୦ ନିୟତରୁ ଅଧିକ ଥର ବଜ୍ରପାତ ହୋଇଥିବାବେଳେ ଓଡିଶାରେ ୬ଲକ୍ଷରୁ ଅଧିକ ଥର ବଜ୍ରପାତ ହୋଇଥିଲା । ନିକଟରେ କୋରାପୁଟରେ ମାତ୍ର ୩୦ମିନିଟ୍ ମଧ୍ୟରେ ୪୫ହଜାରରୁ ଅଧିକ ଥର ଘନଘନ ବଜ୍ରପାତ ହୋଇଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ସେହିପରି ରାଜ୍ୟରେ ବଜ୍ରପାତରେ ବାର୍ଷିକ ପ୍ରାୟ ୫୦୦୦ରୁ ଅଧିକ ଲୋକଙ୍କର ଜୀବନ ଯାଉଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ । ବଜ୍ରପାତ ଜନିତ ମୃତ୍ୟୁକୁ ସମୀକ୍ଷା କଲେ ଦେଖାଯାଏ ଯେ, ସହରାଚଂଳ ତୁଳନାରେ ଗ୍ରାମାଚଂଳରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ୯୦ପ୍ରତିଶତ ଅଧିକ । ବିଶେଷ କରି ବିଲ ବାଡିରେ କାମ କରୁଥିବା, ଖେଳପଡିଆରେ ଖେଳୁଥିବାବେଳେ ବଜ୍ରପାତରେ ଅଧିକାଂଶଙ୍କ ମୃତ୍ୟୁ ଘଟୁଛି । ଚଳିତ ବର୍ଷ ଆମ ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ ଭାବେ ବଢୀଚାଲିଛି । ତେବେ ସବୁଠୁ ଚିନ୍ତାଜନକ ଘଟଣା ହେଉଛି, ଖୋଲାସ୍ଥାନରେ ବଜ୍ରପାତ ମୃତ୍ୟୁ ଅଧିକ । ପରିବେଶ ବିଜ୍ଞାନୀଙ୍କ ମତରେ ବଜ୍ରପାତକୁ ସାଧାରଣତଃ ଡେଙ୍ଗା ପ୍ରଜାତିର ଗଛ ପ୍ରତିରୋଧ କରିଥାଏ । ଏବେ ବିକାଶ ନାମରେ ମଣିଷ ଡେଙ୍ଗା ପ୍ରଜାତିର ଗଛ ବିଶେଷ କରି ତାଳ ନଡିଆ ସହ ବିଭିନ୍ନ ବୃହତକାୟ ଗଛ, ବାଡି ବଗିଚା ଓ ଜଙ୍ଗଲକୁ କାଟି ଧ୍ୱଂସ କରିଦେବା ଯୋଗୁଁ ଖୋଲା ସ୍ଥାନରେ ବ୍ରଜପାତ ଅଧିକ ହେବା ସ୍ୱାଭାବତକ । ତାର ପରିଣତି ସ୍ୱରୁପ ବିଲବାଡିରେ କାମ କରୁଥିବା ଶ୍ରମିକ, ଖୋଲାପଡିଆରେ ଖେଳୁଥିବା ପିଲା, ଦେଖଣାହାରୀ, ରାସ୍ତାରେ ଯାଉଥିବା ପଥିକଙ୍କ ଜୀବନ ନେଉଛି । ବିଜ୍ଞାନୀଙ୍କ ମତରେ ତାଳଗଛ’ର ବଜ୍ରପାତ ପ୍ରତିରୋଧକ ଶକ୍ତି ଅଧିକ ରହିଛି । ଯାହାଫଳରେ ଅତୀତରେ ବଜ୍ରପାତ ଜନିତ ମୃତ୍ୟୁ ଅତି ନଗଣ୍ୟ ରହିଥିଲା । ଅନ୍ଧବିଶ୍ୱାସ ଓ ବିକାଶ ଆଳରେ ତାଳଗଛ କଟା ଏବଂ ବାତ୍ୟା ପ୍ରଭାବରେ ତାଳଗଛ ଏକ ପ୍ରକାର ବିଲ, ବାଡିରୁ ଉଭାନ ହୋଇଯିବା ଯୋଗୁଁ ବଜ୍ରପାତ ସିଧାସଳଖ ଆଜି ଖୋଲାସ୍ଥାନରେ ପଡୁଥିବା କୁହାଯାଏ । ତେବେ ବଜ୍ରପାତ ଜନିତ ମୃତ୍ୟୁକୁ ରୋକିବା ଲାଗି ରାଜ୍ୟସରକାର ତାଳଗଛ କଟା ଉପରେ ନିଷେଧ ଦେଶ ଜାରି କରିବା ସହ ଚଳିତ ବର୍ଷ ଖୋଲା ସ୍ଥାନରେ ତଥା ସରକାରୀ ଜମିରେ ୧୯ଲକ୍ଷ ତାଳ ବୃକ୍ଷ ରୋପଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକି ସାଂପ୍ରତିକ ସମୟରେ ଅତ୍ୟନ୍ତ ସମୟୋପଯୋଗୀ ଏବଂ ସ୍ୱାଗତଯୋଗ୍ୟ ନିଷ୍ପତି କୁହାଯାଇପାରିବ । ଏପରି କି ନିଜ ତଥା ବ୍ୟକ୍ତିଗତ ଜମିରେ ଥିବା ତାଳଗଛ ବନିବିଭାଗର ବିନା ଅନୁମତିରେ କାଟିବାକୁ ସରକାର ନିଷିଦ୍ଧ କରିଛନ୍ତି । ବିନା ଅନୁମତିରେ ତାଳଗଛ କାଟିଲେ କଠୋର କାର୍ଯ୍ୟାନୁଷ୍ଠାନ ତଥା ଦଣ୍ଡବିଧାନ ପାଇଁ ବନବିଭାଗ ଘୋଷଣା କରିଛି । କହିବା ବାହୁଲ୍ୟ ଯେ, ତାଳଗଛ ରୋପଣ ମିଶନ ନୂଆ ନୁହେଁ । ୨୦୧୮ ମସିହାରେ ପ୍ରଥମ ଥର ପାଇଁ ରାଜ୍ୟରେ ତାଳଗଛ ବଂଶ ବୃଦ୍ଧି ପାଇଁ ସରକାର ଘୋଷଣା କରିଥିଲେ । ମାତ୍ର ଇତିମଧ୍ୟରେ ଦୀର୍ଘ ୬ବର୍ଷ ବିତିଯାଇଥିଲେ ମଧ୍ୟ ତାଳଗଛ ବଂଶ ବିସ୍ତାର ଯେପରି କୌଣସି ଆଖିଦୃଶିଆ ସଫଳତା ମିଳିନଥିବା ମନେହୁଏ ନାହିଁ । ଅନ୍ୟପକ୍ଷରେ ରାଜ୍ୟର ଉପକୂଳବର୍ତୀ ଏବଂ ଦକ୍ଷିଣ ଓ ପଶ୍ଚିମ ଓଡିଶାର ବିଲ ହୁଡା ଓ ପାହାଡିଆ ସ୍ଥାନରେ ଥିବା ତାଳ ଗଛ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ସାଂପ୍ରତିକ ସମୟରେ ତାଳଗଛ ଏକ ପ୍ରକାର ଅଦରକାରୀ ବୃକ୍ଷରେ ପରିଣତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ତାଳଗଛର ଗଣ୍ଡିକୁ ଘରର ଓରା ବା ଶେଣୀ ଏବଂ ଜଳସେଚନ ପାଇଁ ଲୋଧା ଭାବେ ବ୍ୟବହାର କରାଯାଉଥିଲା । ଏବେ ଆଉ ଚାଳଘର ସ୍ଥାନରେ କୋଠା ନିର୍ମିତ ହେଉଥିବାରୁ ଆଉ ଘର ପାଇଁ ଓରା କିମ୍ବା ଶେଣୀର ଆବଶ୍ୟକତା ପଡୁନାହିଁ । ସେହିପରି ତେଣ୍ଡାରେ ଜମିକୁ ଜଳସେଚନ ଆଉ ହେଉନଥିବାରୁ ଲୋଧା ମଧ୍ୟ ବିଲୁପ୍ତ ହୋଇଗଲାଣି? ଅନ୍ଧ ବିଶ୍ୱାସ ଯୋଗୁଁ ତାଳଗଛ ଜାଳେଣି ଭାବେ ବ୍ୟବହାର ହୁଏ ନାହିଁ । ଆହୁରି ମଧ୍ୟ ଗୋଟିଏ ତାଳଗଛ ଫଳଧରିବା ଦୀର୍ଘ ୩୦ରୁ ୪୦ବର୍ଷ ଲାଗିଯିବା ଏବଂ ଏହାର ଚେର ଜମିର ଉର୍ବରତା ହରାଉଥିବାରୁ ଏହାକୁ ଲଗାଇବା ପାଇଁ ଲୋକେ ଆଗ୍ରହୀ ନୁହଁନ୍ତି । ଏପରି କ୍ଷେତ୍ରରେ ରାଜ୍ୟ ସରକାର ୨୦୧୮ ମସିହାରୁ ତାଳମିଶନ ଆରମ୍ଭ କରିଥିବା ସତ୍ୱେ ସଚେତନତା ଅଭାବରୁ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ କି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିନାହିଁ । ଏହା ନିସନ୍ଦେହ ଯେ, ସରକାର କୋଟି କୋଟି ଟଙ୍କା ବ୍ୟୟ କରି ତାଳଗଛ ଲଗାଇବେ । ଗଛ ଲଗାଇବା ଅତିସହଜ । ମାତ୍ର ଗୋଟିଏ ଗଛକୁ ବଡ ହେବା ପର୍ଯ୍ୟନ୍ତ ଉତାରିବା ନିଶ୍ଚିତ ଭାବେ ଅତ୍ୟନ୍ତ କଷ୍ଟକର । ସରକାର ୧୯ଲକ୍ଷ ତାଳଗଛ ରୋପଣ କଲେ ଏହାର ରକ୍ଷଣାବେକ୍ଷଣ ଏକ ଚ୍ୟାଲେଞ୍ଜ । ଏଥିଲାଗି ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ସରକାର ଏବଂ ବନବିଭାଗ ସଂକଳ୍ୱବଦ୍ଧ ହେବା ଜରୁରୀ । ତାଳଗଛ ସଂଖ୍ୟା ବଢିଲେ, ମଣିଷ ଓ ପଶୁ ବଜ୍ରପାତରୁ ବଂଚିବେ । ଅନ୍ୟଥା ରାଜ୍ୟରେ ବଜ୍ରପାତ ଜନିତ ପ୍ରାକୃତିକ ବିପର୍ଯ୍ୟାୟର ମୃତ୍ୟୁ ସଂଖ୍ୟା ବଢିବ ଏଥିରେ ସନ୍ଦେହ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ