ବଞ୍ଚୋ ଛକରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଭଦ୍ରକ ରାସ୍ତାର ବଞ୍ଚୋ ଛକ ନିକଟରେ ଘଟିଛି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ଜଣା ଯାଇଛି କି ମଙ୍ଗଳବାର ବିଳମ୍ବିତ ରାତିରେ ଅକରୁଆ ଗ୍ରାମର ଅଜୁ ଜେନା ଛେନାପଡି ଛକରୁ ଚାଲି ଚାଲି ଘରକୁ ଫେରୁଥିଲେ। ବଞ୍ଚୋ ଛକ ନିକଟରେ ଏହି ସମୟରେ କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଆଜି ସକାଳେ ରାସ୍ତାରେ ଯାଉଥିବା ବାଟୋଇ ଓ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ସୂଚନା ଦେବା ପରେ ଆନନ୍ଦପୁର ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତ ଅଜୁ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ଛେନାପଦି ବଜାରରେ ନିୟମିତ ସଫା ସୁତୁରା କରି ବ୍ୟବସାୟୀ ମାନେ ଯାହା ଦିଅନ୍ତି ସେଥିରେ ଚଳେ। ନିକଟରେ ଲାଗିଥିବା ସି ସି ଟିଭି କ୍ୟାମେରା ଯାଞ୍ଚ କରିବା ପରେ ଏକ ବାଲି ବୋଝେଇ ହାଇୱା ଅଜୁକୁ ଧକ୍କା ଦେଇଥିବା ଜାଣିବାକୁ ମିଳିଛି। ପ୍ରତିଦିନ ରାତିରେ ଶହ ଶହ ଲୁହାପଥର ବୋଝେଇ ଗାଡି ଓ ବାଲି ବୋଝେଇ ଗାଡି ଦ୍ରୁତ ଗତିରେ ଯାତାୟାତ କରୁଥିବାରୁ ଏପରି ଦୁର୍ଘଟଣା ବଢି ବଢି ଚାଲିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।