ବଡ଼ରମ୍ପାସ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫-ଟି ବାଟବଣା
ହାତଡ଼ିହି, (ବିକାଶ ବିଶ୍ୱାଳ):ଇଂରେଜ ଅମଳ ର ବିଦ୍ୟାଳୟ ବର୍ତ୍ତମାନ ତାର ଅସ୍ତିତ୍ବ ହରାଇବା ଉପରେ। ପାଠ ପଢିବାକୁ ଶ୍ରେଣୀ ଗୃହ ନଥିବାରୁ ବାରଣ୍ଡା ରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ କରି କରି ଥକି ଗଲେ ମଧ୍ୟ ପଡୁନି କୌଣସି ଅଧିକାରି ଙ୍କ ନଜର। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ରମ୍ପାସ ସରକାରି ପ୍ରାଥମିକ ବିଦ୍ୟାଳୟ। ୧୯୪୬ ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢା ଯାଉଥିବା ବେଳେ ଛାତ୍ରଛାତ୍ରୀ ଙ୍କ ସଂକ୍ଷା ୧୮୦। ପାଠ ପଢିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହର ଅଭାବ। ଗୋଟିଏ ଶ୍ରେଣୀ ଗୃହର ଛାତ ଭାଙ୍ଗି ତଳକୁ ଖସୁଛି ଫଳରେ ଦୁଇଟି ଶ୍ରେଣୀରେ ଛାତ୍ରଛାତ୍ରୀ ଙ୍କୁ ଜାଗା ଧରୁନି। ବାରଣ୍ଡା ରେ ବସି ପାଠ ପଢ଼ୁଛନ୍ତି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀ। ବର୍ତମାନ ସମୟରେ ସରକାରୀ ବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମୁହଁ ଫେରାଉଥିବା ବେଳେ ଏହି ବିଦ୍ୟାଳୟରେ ତାର ବିପରୀତ ପରିଲକ୍ଷିତ ହେଉଛି। ଭଲ ପାଠ ପଢା ହେଉଥିବାରୁ ଅଭିଭାବକ ମାନେ ଚାହୁଁଛନ୍ତି ଏଇଠାରେ ଛୁଆଙ୍କୁ ପାଠ ପଢ଼ାଇବାକୁ ହେଲେ ବର୍ତ୍ତମାନ ର ଶ୍ରେଣୀଗୃହ ସମସ୍ୟା ସେମାନଙ୍କୁ ବାଧ୍ୟ କରୁଛି ବିଦ୍ୟାଳୟ ଛାଡ଼ିବାକୁ। ବିଦ୍ୟାଳୟ ର ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ସ୍କୁଲ ପରିବେଶ କୁ ସୌନ୍ଦର୍ଯ୍ୟ କରଣ କରି ସ୍କୁଲର ଶ୍ରୀ ବୃଦ୍ଧି କରୁଥିବା ବେଳେ ଶ୍ରେଣୀ ଗୃହ ସମସ୍ୟା ସେମାନଙ୍କୁ ଘୋର ଆଘାତ ଦେଉଛି। ଏନେଇ ସ୍କୁଲ୍ କମିଟି ପକ୍ଷରୁ ଅନେକ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଅନେକ ପଦାଧିକାରୀ ଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୁନ୍। ଏଣୁ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ ମାନେ ପୁନର୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶ୍ରେଣୀ ଗୃହ ଯୋଗାଇ ନଦେଲେ ଆନ୍ଦୋଳନ ପନ୍ଥା ଅପଣେଇବାକୁ ନିଷ୍ପତ୍ତି ନେଇଥିବା ସରପଞ୍ଚ ରବିନ୍ଦ୍ର କୁମାର ଜେନା, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ସତ୍ୟଭୂଷଣ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଗୋପାଳ ଚରଣ ସାହୁ, ଭକ୍ତ ଶେଖର ଜେନା, ବଳରାମ ସେନାପତି, ଜୟନ୍ତ କୁମାର ସାମଲ, ଅରବିନ୍ଦ ଜେନା, ଦୀପାରାଣୀ ରାଣୀ ଜେନା, ସୁରେନ୍ଦ୍ର ପେରେଇ, କାଳନ୍ଦୀ ମାଝି, ସୁଶାନ୍ତ ସେନାପତି, କୁନୁ ସାମଲ ପ୍ରମୁଖ କହିଛନ୍ତି। ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ ଅବଗତ କରିବା ପରେ ସେ ଅନୁପସ୍ଥିତ ଥାଇ ମଧ୍ୟ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ସରକାର ଙ୍କ ଯୋଜନାର ଅନେକ ଚର୍ଚ୍ଚା ହେଉଥିବା ବେଳେ କିଛି ବିଦ୍ୟାଳୟ ଏଥିରେ ସୁଫଳ ପାଇ ପାରୁନାହାନ୍ତି। ଉପଯୁକ୍ତ ତଦନ୍ତ କରି ଏହି ବିଦ୍ୟାଳୟ କୁ ଅତିରିକ୍ତ ଶ୍ରେଣୀ ଗୃହ ଯୋଗାଇ ଦେବାକୁ ଦାବି ହେଉଛି।