ବଡ ବର୍ଚ୍ଚିକୟାଁ ପଞ୍ଚାୟତ କାର୍ଯ୍ୟାଳୟ ପ୍ରସଙ୍ଗ; ଜିଲା ମାଜିଷ୍ଟେଟଙ୍କ ନିର୍ଦ୍ଦେଶରେ ଯୁଗ୍ମ ତଦନ୍ତ କଲେ ଅଧିକାରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବଡ ବର୍ଚ୍ଚିକୟାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ପ୍ରସଙ୍ଗରେ ଜିଲା ମାଜିଷ୍ଟେଟଙ୍କ ନିର୍ଦ୍ଦେଶରେ ଅଧିକାରୀ ମାନେ ଯୁଗ୍ମ ତଦନ୍ତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଓଡିଶା ସରକାରଙ୍କ ଗ୍ରାମ ପଞ୍ଚାୟତ ପୁର୍ନଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ବନ୍ତ ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତରୁ ବୃଦ୍ଧି ହୋଇ ୨୫ଟି ଗ୍ରାମ ପଞ୍ଚାୟତ ହୋଇଥିଲା । ୩ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବଡ ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ୟତମ । ବଡ ବର୍ଚ୍ଚିକୟାଁ, ବିଶଲକଣା, ଆପ୍ତିରା ଷଡଙ୍ଗୀ, ରାଉତରା ଗଢିଆ, କୁଶୁନ ନଗର ଓ ଜୟସିଂପୁର ଆଦି ୬ଟି ରାଜସ୍ୱ ଗ୍ରାମକୁ ନେଇ ବଡ ବର୍ଚ୍ଚିକୟାଁ ନୂତନ ପଞ୍ଚାୟତ ଗଠିତ ହୋଇଥିଲା । ଏହି ପଞ୍ଚାୟତର ମୋଟ ଜନସଂଖ୍ୟା ୪୭୫୧ ରହିଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ୩୪ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୯ ମସିହାରେ କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲୁଥିବା ବେଳେ କିଛି ଗ୍ରାମବାସୀ ନିର୍ମାଣାଧୀନ ଗୃହଟି ବିଦ୍ୟାଳୟ ପାଇଁ ସଂରକ୍ଷିତ ପ୍ଲଟରେ ହେଉଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ଓଡିଶା ସରକାରଙ୍କୁ ପକ୍ଷ କରାଯାଇ ଜୁଲାଇ ୨୨ରେ ଜନସ୍ୱାର୍ଥ ମାମଲା କରିଥିଲେ । ଉଚ୍ଚ ନ୍ୟାୟାଳୟରେ ଓଡିଶା ସରକାରଙ୍କ ତରଫରୁ ଆଡ୍ଭୋକେଟ ଜେନେରାଲ ଭଦ୍ରକ ଜିଲାପାଳଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ମାମଲା ବିଚାର ବେଳେ ଦାଖଲ କରିଥିଲେ । ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣୀ କରି ଅଭିଯୋଗକାରୀଙ୍କ ମାମଲାର ବିଚାର କରିବା ପାଇଁ ଭଦ୍ରକ ଜିଲାପାଳ ତଥା ଜିଲା ମାଜିଷ୍ଟେଟ ନିଜ ଇଜ୍ଲାସରେ ଏହି ମାମଲା ସହିତ ସଂପୃକ୍ତ ପକ୍ଷ ମାନଙ୍କୁ ଡକାଇ ଶୁଣାଣୀ କରିଥିଲେ । ଜିଲା ମାଜିଷ୍ଟେଟ ତାଙ୍କ ଶୁଣାଣୀରେ ପରବର୍ତ୍ତୀ ତାରିଖରେ ଅଭିଯୋଗକାରୀଙ୍କ ଦାବୀ ସ୍କୁଲ ପାଇଁ ସଂରକ୍ଷିତ ପ୍ଲଟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ବିଷୟରେ ବନ୍ତ ବିଡିଓ, ତହସିଲଦାର ଓ ଗୋଷ୍ଠୀ ଶିକ୍ଷାଧିକାରୀ ଯୁଗ୍ମ ତଦନ୍ତ କରି ପରବର୍ତ୍ତୀ ତାରିଖ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ମାଜିଷ୍ଟେଟଙ୍କ ସେହି ନିର୍ଦ୍ଦେଶ ଅନୁଯାୟୀ ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା କ୍ଷେତ୍ରୀୟ ପରିଦର୍ଶନ କରି ସରଜମିନ୍ ଯୁଗ୍ମ ତଦନ୍ତ କରିଥିଲେ । ତଦନ୍ତ ବେଳେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ମୋହନ ଜେନା, ପିଇଓ ସଂଗୀତାରାଣୀ ପାଣିଗ୍ରାହୀ, ସିଆରସିସି ମନୋଜ ରାଉଳ ଉପସ୍ଥିତ ଥିଲେ । ପରେ ଅଧିକାରୀ ମାନେ ବିଶଲକଣା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲ ପ୍ଲଟ ଉଚ୍ଛେଦ ବିଷୟରେ ଆଲୋଚନା କରିଥିଲେ ।