ବଢୁଛି ଭତ୍ତାବୃଦ୍ଧି ଆନ୍ଦୋଳନ ଗୋଳମାଳ ହେବ ୫୦ଲକ୍ଷ ଭୋଟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦାବି, ଅଧିକାର, ସାମ୍ବିଧାନିକ ବିଧି କିଛି ବୁଝନ୍ତିନାହିଁ ସେମାନେ । ସେମାନେ ବୁଝନ୍ତି ଜୀବନସାରା ପ୍ରତିକୂଳ ଅବସ୍ଥାରେ ଚାଷ କରିବା ଓ ମଜୁରୀ ଲାଗିବା । ମଜୁରୀ ଲାଗି ଚାଷ କରି କରି ବୁଢା ହେବା ପରେ ନିଜର ଭାଗ୍ୟକୁ ଆଦରି ମୁହଁମାଡ଼ି ପଡ଼ିରହିବା । ଯୌଥ ପରିବାର ଭାଙ୍ଗିଗଲା ପରେ ଏବେ ବାପମାଆଙ୍କୁ ପାଖରେ ରଖିବାକୁ ସମସ୍ତେ ବଡ଼ ବୋଝ ଭାବୁଛନ୍ତି । କେହି ଭାବୁନାହାଁନ୍ତି ବୁଢା ବୟସରେ ବାପମାଆଙ୍କୁ ରଖି ଦାୟିତ୍ୱ ନିଭାଇବାକୁ । ଆମ ସଭ୍ୟ ସମାଜରେ ପାଠପଢା ଲୋକଙ୍କୁ କୁହାଯାଉଛି ସନିୟର ସିଟିଜେନ । ଆମେ ଗାଁ ଲୋକେ କହୁଛୁ ବୁଢାବୁଢୀ । ବାପମାଆଙ୍କ ପାଖରେ ନ ରଖିବାର କାରଣ ଆଜିକାଲିର ବଜାର ଦର ଦେହ ପା’ ଖରାପ ହେଲେ ଘରୋଇ ମେଡ଼ିକାଲ ଖର୍ଚ୍ଚର ଚାପ ଏସବୁ ପାରିବାରିକ ସମ୍ପର୍କକୁ ଦୁର୍ବଳ କରୁଛି । ଏହି ସମୟରେ ଆମ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ର ଏହି ଚାଷୀମୂଲିଆ, ବିକଳାଙ୍ଗ, ବିଧବା ଲୋକଙ୍କ ପାଇଁ ଯେଉଁ ୫୦୦ଟଙ୍କାର ସହାୟତା ଘୋଷଣା କରିଛି ତାହା ସମୁଦ୍ରକୁ ଶଙ୍ଖେ ପରି । ଏହି ୫୦୦ଟଙ୍କା ଭତ୍ତାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପାଖାପାଖି ଦୁଇରୁ ତିନିମାସ ହେଲା ନିଆଳିରୁ ନିମାପଡ଼ା, ନାଉଗାଁରୁ ଖଣ୍ଡପଡ଼ା ଉପକୂଳ ଅଞ୍ଚଳରେ ଅଭିଯାନ ଆରମ୍ଭ କରିଛି । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଉପକୂଳ ଓ ଉତ୍ତର ଓଡ଼ିଶାର ୫ରୁ ୧୦ଟି ଜିଲ୍ଲା ବୁଲିବା ସହ ସବୁଆଡ଼େ ଭତ୍ତାଧାରୀମାନେ କୋଭିଡ଼ ନିୟମ ମାନି ସଭା ଓ ଶୋଭାଯାତ୍ରା କରିବାକୁ ଆହ୍ୱାନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ନିଜକୁ ଗରୀବଙ୍କ ସରକାର ବୋଲି ଦାବି କରୁଥିବା ନବୀନ ପଟ୍ଟନାୟକ ରାଜ୍ୟରେ ବିକଳାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ୫୦୦ରେ ସୀମିତ ରଖିଥିବା ବେଳେ ପଡ଼ୋଶୀ ଆନ୍ଧ୍ରରେ ଏହା ୨୫୦୦ ଛୁଇଁଛି । ତେଲେଙ୍ଗାନା, ପଞ୍ଜାବ, ଦିଲ୍ଲୀ, ଗୋଆ ଭଳି ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ପରିମାଣ ୨୦୦୦ କରିସାରିଲେଣି, ପଡ଼ୋଶୀ ପଶ୍ଚିମବଙ୍ଗରେ ଭତ୍ତା ୧୦୦୦ । କୌଣସି ପ୍ରମୁଖ ରାଜନୈତିକ ଦଳ ଏହି ପ୍ରସଙ୍ଗ ଉଜାଗର କରିନଥିବା ବେଳେ ଗଣସଂଗଠନ ହିସାବରେ ନବନିର୍ମାଣ ଏହାକୁ ଏକ ପ୍ରସଙ୍ଗ କରିଛି । ଢେଙ୍କାନାଳ, ନୟାଗଡ଼, କଟକ, କେନ୍ଦୁଝର ଓ ଯାଜପୁର ଭଳି ଜିଲ୍ଲାରେ ଗାଁ ଗାଁରେ ପୋଷ୍ଟର ଲାଗିଲାଣି । ସୂଚନାଯୋଗ୍ୟ ଯେ, ବିଭିନ୍ନ ଅଞ୍ଚଳରେ ଅନ୍ୟ ରାଜ୍ୟର ଭତ୍ତା ଟଙ୍କାର ପରିମାଣ ଓ ଆମ ରାଜ୍ୟର ନଗଣ୍ୟ ଭତ୍ତା ଅର୍ଥ ନେଇ ପ୍ରଚାର ପତ୍ର ମଧ୍ୟ ସଂଗଠନ ତରଫରୁ ବୟସ୍କ ଲୋକେ ବାଣ୍ଟିବା ଆରମ୍ଭ କରିଛନ୍ତି । ନିର୍ବାଚନ ପୂର୍ବରୁ ଅନ୍ୟୁନ ୧୦୦ଟି ବ୍ଲକରେ କୋଭିଡ଼ କଟକଣାକୁ ମାନି ଛୋଟମୋଟ ରାଲି ଓ ସଭାମାନ ଆୟୋଜନ କରାଯିବ ବୋଲି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ନନ୍ଦ କହିଛନ୍ତି ଯେ, କେବଳ ଭତ୍ତା ନୁହେଁ, ଧାନ ଦର ମଧ୍ୟ ଛତିଶଗଡ଼ ତୁଳନାରେ ଓଡ଼ିଶାରେ ଢେର୍ କମ୍ । ସେଠି ଧାନ କୁଇଣ୍ଟାଲ ୨୫୦୦ ହୋଇଥିବା ବେଳେ, ଏଠାରେ ଚାଷୀ ୧୨୦୦ଟଙ୍କାରେ ଅଭାବୀ ବିକ୍ରି କରୁଛି । ତେଣୁ ଚାଷୀ ଓ ବରିଷ୍ଠ ଏମାନେ ନବୀନ ସରକାରରେ ଉପେକ୍ଷିତ ହୋଇଛନ୍ତି । ବିଶେଷକରି ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ତିଆରି ହୋଇଥିବା ପୋଷ୍ଟର ଓ ଲିଫଲେଟ ପଞ୍ଚାୟତ ନିର୍ବାଚନରେ ଶାସକଙ୍କୁ ଆକ୍ରମଣ କରିବା ପାଇଁ ବିରୋଧୀ ଦଳମାନଙ୍କୁ ଖୋରାକ ଯୋଗାଉଛି । ଏବେ ବରିଷ୍ଠମାନଙ୍କ ପାଇଁ ସ୍ଲୋଗାନ ହୋଇଛି ଆମକୁ ଦିନକୁ ୧୭ ନୁହେଁ, ୭୦ ଦିଅ । କାରଣ ୫୦୦ ଟଙ୍କା ଭତ୍ତା ହିସାବରେ ଦିନକୁ ଜଣକୁ ୧୭ ଟଙ୍କା ପଡୁଛି । ଏଣୁ ୧୭ ଟଙ୍କାରେ କିଭଳି ଜଣେ ଦିନକୁ ଖାଦ୍ୟ, ବସ୍ତ୍ର, ପୋଷାକ ଓ ଔଷଧରେ ଭରଣପୋଷଣ ହୋଇପାରିବ ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଛି । ସେହିଭଳି ୧୭ ଟଙ୍କା ଦେଇ ମୁଁ ଖୁସି, ଆପଣମାନେ ଖୁସି ତ ସ୍ଲୋଗାନ ଏହି ନିର୍ବାଚନରେ ଚଳିବ ନାହିଁ ବୋଲି ଶ୍ରୀ ନନ୍ଦ କହିଛନ୍ତି ।