ବଣିଆ ମନ୍ଦିରରେ ନିତ୍ୟାନନ୍ଦ ମହାପଭୁଙ୍କ ଜନ୍ମୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଅଗ୍ରପୁଜ୍ୟ ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସଖା ତଥା ଅନୁଗାମୀ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ ବାଲେଶ୍ୱର ସହରର ବଣିଆ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଆୟୋଜିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ତାମ୍ରଫଳକ ଅନୁସାରେ ନିତ୍ୟାନନ୍ଦ ମହାପ୍ରଭୁ ସାଥୀ, ସହଚର ଓ ଅନୁଗାମୀଙ୍କ ସହ ପଶ୍ଚିମବଙ୍ଗ ନଦିଆରୁ ଶ୍ରୀକ୍ଷେତ୍ର ପୁରୀ ଯିବା ଅବସରରେ ବଣିଆ ମନ୍ଦିର ନିକଟରେ ଅବସ୍ଥାନ କରିଥିଲେ । ସେହି ସ୍ମୃତିରେ ପ୍ରତିବର୍ଷ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ ହୋଇଆସୁଛି । ତେବେ କେତେବର୍ଷ ଧରି ଏହା ପାଳିତ ହେଉଛି ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ବଣିଆ ମନ୍ଦିରରେ ୨ଶହରୁ ଉର୍ଦ୍ଧ୍ୱ ବର୍ଷ ଧରି ଏହି ଉତ୍ସବ ପାଳନ କରାଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସ୍ୱର୍ଗତ ନିରଞ୍ଜନ ଦତ୍ତଙ୍କ ଦ୍ୱାରା ମନ୍ଦିର ପୁନରୁଦ୍ଧାର ହେବା ପରେ ତାଙ୍କ ବଂଶଧର ଏହି ଉତ୍ସବ ପାଳନ କରି ଆସୁଛନ୍ତି । ଜନ୍ମୋତ୍ସବ ଅବସରରେ ମହାପ୍ରଭୁଙ୍କ ନିକଟରେ ଭୋଗରାଗ ଲାଗି କରାଯିବା ସହ ତାଙ୍କ ସଖା ସହଚରଙ୍କ ଉଦ୍ଦେଶ୍ୟରେ ମଧ୍ୟ ସ୍ୱତନ୍ତ୍ର ଭୋଗ ଅର୍ପଣ କରାଯାଇଥିଲା । ପୂର୍ଜାର୍ଚ୍ଚନା ସହ ହୋମ ଆଦି କର୍ମକାଣ୍ଡ ମାଧ୍ୟମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଇଥିଲା ।ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଚିତ୍ତରଞ୍ଜନ ଦତ୍ତ, ଦୀପ୍ତି ରଞ୍ଜନ ଦତ୍ତ, ରଞ୍ଜନ ଦତ୍ତ, କଳୀଭୂଷଣ ଦତ୍ତ, ଶ୍ରୁତିରଞ୍ଜନ ଦତ୍ତ, ପ୍ରଦୀପ ବଢାଇ, ଗୌରୀଶଙ୍କର ପ୍ରମୁଖଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ