ବଦଳିବାରେ ଲାଗିଛି ଚାଷର ପରିଭାଷା ସମୟ ସ୍ରୋତରେ ସ୍ମୃତି ପାଲଟିବାକୁ ଯାଉଛି ଶଗଡଗାଡି
ଆସିକା, (ୱାଇଏନ୍ଏସ୍):ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଗତ କିଛି ବର୍ଷ ହେଲା ବଦଳିବାରେ ଲାଗିଛି ଚାଷର ପରିଭାଷା । ଆସିକା ଅଞ୍ଚଳରେ ପାରମ୍ପରିକ ଚାଷ ଦିନକୁ ଦିନ କେତେକ ଅଞ୍ଚଳରେ ଲୋପ ପାଇବାରେ ଲାଗିଛି । ଏଥିଯୋଗୁଁ ଗାଁ ଦାଣ୍ଡରୁ ଶଗଡ ଓ ହଳବଳଦ ଉଭାନ ହୋଇଗଲାଣି । କେଉଁ ଆବାହମାନ କାଳରୁ ଚାଷୀମାନେ ପ୍ରତ୍ୟୁଷରୁ ହଳଲଙ୍ଗଳ ନେଇ ବଳଦ ମାଧ୍ୟମରେ ବିଲ ଚାଷ କରୁଥିଲା ବେଳେ ଶଗଡରେ ଖତ ବୋଝେଇ କରି ବିଲରେ ପକାଉଥିଲେ । ଆଧୁନିକ ଯୁଗରେ ଶଗଡ, ଲଙ୍ଗଳ ଓ ବଳଦର ଚାହିଦା ଦିନକୁ ଦିନ ହ୍ରାସ ପାଇଚାଲିଥିଲା ବେଳେ ଯନ୍ତ୍ରାଂଶ ମାଧ୍ୟମରେ ସ୍ୱଳ୍ପ ସମୟ ମଧ୍ୟରେ ଚାଷକାର୍ଯ୍ୟ ସଂପାଦନ ହେଉଛି । ବିଗତ କିଛି ବର୍ଷ ହେଲା କାଁଭାଁ କିଛି ଗ୍ରାମାଂଚଳକୁ ଛାଡିଦେଲେ ଶଗଡଗାଡି ଆଦୌ ଦେଖାଯାଉନାହିଁ । ଅତୀତରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ଏହି ଶଗଡ ଗାଡିରେ ଗାଁଠୁ ସହର ପର୍ଯ୍ୟନ୍ତ ଯାଉଥିଲେ । ଯାତାୟତର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା ଶଗଡଗାଡି । କାଳକ୍ରମେ ଯାନବାହାନର ବହୁଳ ବ୍ୟବହାର ଯୋଗୁଁ ଶଗଡଗାଡି କେବଳ କିଛି ବର୍ଷ ଚାଷକାମରେ ବ୍ୟବହାର ହେଲା । କାଠରେ ନିର୍ମିତ ସଂପୁର୍ଣ୍ଣ ପ୍ରଦୂଷଣମୂକ୍ତ ତଥା ପରିବେଶ ପାଇଁ ଉପକାରୀ ଏହି ପ୍ରାଚୀନ ଶଗଡଗାଡି ସାଂପ୍ରତିକ ପରିସ୍ଥିତିରେ ଆଧୁନିକତାର ଛାପ ଓ ଆଧୁନିିକ ଜ୍ଞାନକୌଶଳର ଉଦ୍ଭାବନ ଓ ଏହାର ପ୍ରୟୋଗ ଫଳରେ ଆଜିକାଲି ଶଗଡଗାଡି ଅଲୋଡା ହେବାରେ ଲାଗିଛି । ଅତୀତରେ ଲୋକଙ୍କ ପାଇଁ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ପରିବହନ ସକାଶେ ଏକମାତ୍ର ମାଧ୍ୟମ ଥିଲା ଶଗଡଗାଡି । ଜଙ୍ଗଲରୁ ଜାଳକାଠ ଆଣିବା ଠାରୁ ଆରମ୍ଭ କରି ଧାନ ଅମଳ ସମୟରେ କଳେଇ ବୋହିବା ଏମିତିକି ବାହାଘର ସମୟରେ କନ୍ୟାକୁ ବରଘରକୁ ଆଣିବା ପାଇଁ ଶଗଡଗାଡି ଖୋଜା ପଡୁଥିଲା । କିଛି ବର୍ଷ ତଳେ ଆସିକା ନିକଟସ୍ଥ ଅଧିକାଂଶ ଗ୍ରାମାଂଚଳ ଗୁଡିକରେ ବହୁ ଚାଷୀ ପରିବାରଙ୍କ ଘରେ ଶଗଡ ଗାଡି ଦେଖିବାକୁ ମିଳୁଥିଲା । କିନ୍ତୁ ବିଗତ କିଛି ବର୍ଷ ହେଲା ଆଧୁନିକତାର ଛାପରେ ଯନ୍ତ୍ର ଯୁଗର ଆଗମନ ପରେ ଶଗଡଗାଡି ଅଲୋଡା ହୋଇ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିବା ସହ ଶଗଡଗାଡିର କେଁକଟର ଧ୍ୱନିର କାଳର କରାଳ ଗର୍ଭରେ ହଜିବାକୁ ବସିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସିକା ଅଞ୍ଚଳର ଅଗ୍ରଣୀ ଚାଷୀ ରାଘବ କୁମାର ନାହାକ କହିଛନ୍ତି ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି ପୂର୍ବରୁ ଜୈବିକ ପ୍ରଣାଳୀରେ ଚାଷକାର୍ଯ୍ୟ ହେଉଥିଲା । ପରିବେଶ ସୁରକ୍ଷିତ ରହିଥିଲା ଓ ଲୋକେ ରୋଗମୁକ୍ତ ରହୁଥିଲେ । ଏବେ ଚାଷକାର୍ଯ୍ୟରେ ଅଧିକାଂଶ ସ୍ଥଳେ ମେସିନ୍ର ବହୁଳ ବ୍ୟବହାର ଯୋଗୁଁ ପରିବେଶ ବିଗିବାରେ ଲାଗିବା ସହ ବହୁ ବ୍ୟକ୍ତି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ପରିବେଶକୁ ସଜାଡିବା ପାଇଁ କିଛି ପାରମ୍ପରିକ ଉପକରଣ ବ୍ୟବହାର ଉପରେ ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ । ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିସାରିଥିବା ଶଗଡଗାଡିର ସଂରକ୍ଷଣ ଓ ବ୍ୟବହାର ପାଇଁ ପଦକ୍ଷେପ ନେବାକୁ ବେଳ ଥାଉ ଥାଉ ପଦକ୍ଷେପ ନିଆନଗଲେ ଆଗାମୀ କିଛି ବର୍ଷ ପରେ ଏହି ଶଗଡଗାଡି ସମୟ ସ୍ରୋତରେ ସ୍ମ୍ମୃତି ପାଲଟିବା ସହ ଏକ ଇତିହାସ ହୋଇ ରହିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।