ବଦଳିଲା ସରକାର ବଦଳିଲେ ବିଧାୟକ ହଟିଲାନି ରାସ୍ତା ଅବରୋଧ
ବରୀ, (ଯୁଗାବ୍ଦ ନ୍ୟୁଜ):ଇତି ମଧ୍ୟରେ ସଧାରଣ ନିର୍ବାଚନ ସରିଯାଇଛି। କିନ୍ତୁ ପରିତାପର ବିଷୟ ବରୀ ବ୍ଲକର ପ୍ରମୁଖ ରାସ୍ତା ମଧ୍ୟରୁ ଗୋଳକୁଣ୍ଡ ଇନ୍ଦୁପୁର ରାସ୍ତା ଉପରେ ଥିବା ଅବାରୋଧ ହଟି ପାରିନାହିଁ। ବରୀ ବ୍ଲକ ଗୋଳକୁଣ୍ଡ ପଞ୍ଚାୟତର ମା ବଟ ମଙ୍ଗଳାଙ୍କ ମନ୍ଦିର ନିକଟରୁ ଇନ୍ଦୁପୁର ପର୍ଯ୍ୟନ୍ତ ଯାଇଥିବା ଉକ୍ତ ରାସ୍ତାଟି ଯାଜପୁର ଜିଲ୍ଲାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥତ ପ୍ରସିଦ୍ଧ ବଳଦେବ ଜିୟୁ ମନ୍ଦିରକୁ ଯିବାକୁ ମୁଖ୍ୟ ଯୋଗାଯୋଗର ମାଧ୍ୟମ। ଉକ୍ତ ରାସ୍ତାର ଚନ୍ଦନପୁର ପଞ୍ଚାୟତ ମିର୍ଜାପୁର ମଙ୍ଗଳା ମନ୍ଦିର ନିକଟରେ ରାସ୍ତା ମଝିରେ ଏକ ବାଡ଼ ରହିଥିବାରୁ ଦୁଇ ଚକିଆ ଯାନ ଓ ପାଚଲା ଯାତ୍ରୀ ତ ଜାଣିପାରୁଛନ୍ତି କିନ୍ତୁ ହାଲୁକା ଯାନଟିଏ ଯିବାକୁ ହେଲେ କଷ୍ଟକର କଥା ଏଭଳି କ୍ଷେତ୍ରର ଭାରି ଯାନ କଥା ପଚାରେ କିଏ। ବିବରଣୀରୁ ପ୍ରକାଶ ଯେ ଗୋଳକୁଣ୍ଡ ଇନ୍ଦୁପୁର ରାସ୍ତାର ପ୍ରଥମ ଭାଗ ସମ୍ପ୍ରସାରଣ କାର୍ଯ୍ୟ ଚାଲିବା ସମୟରେ ମିର୍ଜାପୁର ମଙ୍ଗଳା ମନ୍ଦିର ବିପରୀତ ପାର୍ଶ୍ବରେ ଥିବା ପରିବାରର ଜୈନେକ ବ୍ୟକ୍ତି ତାଙ୍କ ଜମି ରାସ୍ତା ଉପରେ ଯାଇଛି ବୋଲି ଦାବୀ କରି ସେହି ଅଂଶର କାର୍ଯ୍ୟ ବନ୍ଦ କରିଥିଲେ। ଯଦ୍ୱାରା ଉକ୍ତ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ବସିଥିଲେ ସୁଦ୍ଧା ସେହି ଅଂଶର କାର୍ଯ୍ୟ ନ ହୋଇ ପଡ଼ି ରହିଥିଲା। ବର୍ଷା ହେଲେ ସେଠାରେ ଆଣ୍ଠୁଏ ପାଣି ଜମି ରହିବା ସହିତ ଦୁଇପଟ ରାସ୍ତା ଠାରୁ ଉକ୍ତ ସ୍ଥାନଟି ପ୍ରାୟ ଏକ ଫୁଟ ଖାଲ ଥିବାରୁ ଯାତାୟତରେ ଘୋର ଅସୁବିଧା ହେଉଥିଲା ଏପରିକି ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମଧ୍ଯ ଘଟୁଥିଲା। କିଛିଦିନ ପରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନିଜ ଜମିରେ ଥିବା ଦାବୀ କରୁଥିବା ବ୍ୟକ୍ତି ଜଣକ ରାସ୍ତା ମଝିରେ ଏକ ବାଡ ବୁଜି ଦେଇଥିବା ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠେ ଯଦି ପ୍ରକୃତ ପକ୍ଷେ ଉପରୋକ୍ତ ବ୍ୟକ୍ତିଙ୍କର ଜମି ରାସ୍ତା ଉପରକୁ ଥାଏ ତା ହେଲେ ଦୁଇ ବର୍ଷ ହେଲା ପ୍ରଶାସନ ପକ୍ଷରୁ ଏ ବାବଦରେ କୌଣସି ପଦକ୍ଷେପ ଯଥା ରାଜସ୍ବ ବିଭାଗ ଦ୍ବାରା ମାପ ଚୁପ କରି ସେହି ବ୍ୟକ୍ତିଙ୍କୁ କ୍ଷତି ପୂରଣ ପ୍ରଦାନ କରି ଜମି ଅଧି ଗ୍ରହଣ କାହିଁକି କରାଗଲା ନାହିଁ। ଏହି ଘଟଣାରେ ପ୍ରଶାସନ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ କରାଯାଇ ରାସ୍ତା ଖୋଲିବାକୁ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ତହସିଲ ପକ୍ଷରୁ ଜଣେ ରାଜସ୍ବ ନୀରିକ୍ଷକଙ୍କୁ ପଠାଇ ସରଜମିନ କରାଇ ଚୁପ୍ ରହି ଯାଇଥିଲେ। ଇତି ମଧ୍ୟରେ ବରି ନିର୍ବାଚନ ମଣ୍ଡଳୀରେ ନୂତନ ବିଧାୟକ ଭାବେ ଦାୟିତ୍ୱ ନେବାର ୪ ମାସ ହୋଇଗଲାଣି। ନୂତନ ବିଧାୟକ ଉକ୍ତ ସମସ୍ୟା ଉପରେ ଗୁରୁତ୍ବ ଦେଇ ସମାଧାନର ସୁତ୍ର ବାହାର କରିବେ ବୋଲି ଅଞ୍ଚଳ ବାସି ଭରଷା ରଖିଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଯିବି ମାନେ ପ୍ରକାଶ କରିଛନ୍ତି।