ବଦଳି ଗଲାଣି ସାମାଜିକ ଚଳଣି : ଗାଁ ଦାଣ୍ଡରେ ଆଉ ଶୁଭୁନାହିଁ ଯୋଗୀ ପୁଅଙ୍କ କେନ୍ଦରା ଗୀତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ସମୟ ଥିଲା ଆଗନ୍ତୁକ କଳାକାର ମାନଙ୍କ ଦ୍ୱାରା ଗାଁ ଦାଣ୍ଡରେ ବିଭିନ୍ନ ଗୀତ ସଙ୍ଗୀତର ସମାହାର ଦେଖିବାକୁ ମିଳୁଥିଲା। ବିଶେଷ କରି ଚକୁଳିଆ ପଣ୍ଡା ଓ ଯୋଗୀ ପୁଅର କେନ୍ଦରା ଗୀତ ଗାଁ ଦାଣ୍ଡ ସଙ୍ଗୀତର ଏକ ବଳିଷ୍ଠ ଚିତ୍ର ଥିଲା। ସମୟର ସୁରେ ଆଜି ତାହା ପ୍ରାୟ ନିଶ୍ଚିହ୍ନ ହୋଇଗଲାଣି। ନା ଅଛି ଚକୁଳିଆ ପଣ୍ଡାଙ୍କର ଆଗମନ, ନା ଅଛି କେନ୍ଦରା ବାଜାରେ ଧୋ ରେ ବାୟା ଧୋ ଗୀତ ସ୍ୱର । ପୂର୍ବେ ମାର୍ଗଶୀର ଓ ପୌଷ ମାସ ଠାରୁ ଚୈତ୍ର, ବୈଶାଖ ମାସ ଯାଏଁଭଣ୍ଡାରିପୋଖରୀ ବ୍ଲକ ସମେତ ଆଖପାଖ ଅଞ୍ଚଳକୁ ଛୁଟି ଆସୁଥିଲେ ଚକୁଳିଆ ପଣ୍ଡା ଓ କେନ୍ଦରା ବଜାଳି ଯୋଗୀ ପୁଅ। ଏମାନେ ସାଧାରଣତଃ ପୁରୀ, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳ ପ୍ରମୁଖ ଅଞ୍ଚଳରୁ ବିଭିନ୍ନ ଗାଁ ଗଣ୍ଡାକୁ ଆସିଥାନ୍ତି। ଯାଯାବର ଭାବେ ଏ ଗାଁ ରୁ ସେ ଗାଁ ପରିଭ୍ରମଣ କରି ଲୋକ ଗୀତରେ ଗାଁ ଦାଣ୍ଡକୁ ପ୍ରକମ୍ପିତ କରନ୍ତି। ଏହା ପ୍ରତିବଦଳରେ ଗାଁ ର ପ୍ରତ୍ୟେକ ଗୃହସ୍ଥଙ୍କ ନିକଟରୁ ସେମାନେ ଧାନ ଚାଉଳ ଗ୍ରହଣ କରନ୍ତି। ପାଖାପାଖି ବର୍ଷର ଅର୍ଦ୍ଧାଧିକ ସମୟ ଯୋଗୀ ପୁଅ ମାନେ କେନ୍ଦରା ବଜାଇ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ କିନ୍ତୁ ସେ ଚିତ୍ର ପ୍ରାୟ ଦେଖାଯାଉନାହିଁ। ପରିବର୍ତ୍ତିତ ସମୟରେ କଂକ୍ରିଟ କରଣ ଗାଁ ଦାଣ୍ଡରେ ଉଡୁ ନାହିଁ ଧୂଳି କି ଶୁଭୁନାହିଁ ଆଉ କେନ୍ଦରା ଗୀତ। ବିଶେଷ କରି ଗ୍ରାମାଞ୍ଚଳରେ ପାରମ୍ପରିକ କୃଷି ପ୍ରଣାଳୀ ଦେଖାଯାଉ ନଥିବା ବେଳେ ଆଧୁନିକ ପ୍ରଣାଳୀରେ ଏବେ ବିଭିନ୍ନ ଧାନ ଚାଷ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କ୍ଷେତରୁ କ୍ଷେତରୁ ଧାନ ଅମଳ କରାଯାଇ ବିକ୍ରି କରାଯାଉଥିବା ବେଳେ କୌଣସି ଚଷାପୁଅ ଘରକୁ ଆଉ ଶସ୍ୟ ମୁଠେ ଆସୁନାହିଁ। ଏପଟେ ସରକାର ମାଗଣାରେ ଚାଉଳ ଯୋଗାଉଥିବାରୁ ଚାଷୀ ପୁଅ ଘରକୁ ଧାନ ମୁଠାଏ ଆଣିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ଫଳରେ କାହାରି ଘରେ ଆଉ ସ୍ବଦେଶୀ ଧାନ ଚାଉଳ ଦେଖାଯାଉନଥିବା ବେଳେ ଏହାକୁ ଭରଷା କରି ବିଭିନ୍ନ ପର୍ବ ପର୍ବାଣୀରେ ଗାଁ କୁ ଆଗମନ କରୁଥିବା ବାଟ ଭିକାରୀ ମଧ୍ୟ ଆସିବା ବନ୍ଦ କରିଦେଲେଣି। ଏପରିକି ଦୂର ଦୁରାନ୍ତରୁ ଆସୁଥିବା ଯୋଗୀ ପୁଅ କେନ୍ଦରା କଳାକାର ମଧ୍ୟ ଗାଁ ଦାଣ୍ଡରୁ ମୁହଁ ଫେରାଇ ନେଲେଣି। ସେ ଯାହାବି ହେଉ ଆଧୁନିକ ଚାକଚକ୍ୟ ମଧ୍ୟରେ ସମାଜ ପ୍ରତିଯୋଗିତା ମୂଳକ ଭାବେ ଗତି କରୁଥିବା ବେଳେ ପ୍ରାଚୀନ ଓଡ଼ିଆ ସଂସ୍କୃତି ପରମ୍ପରା ଆଜି ନିଶ୍ଚିହ୍ନ ହେବାକୁ ବସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।