ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି):ଦୀର୍ଘ ୩୩ ବର୍ଷ ଧରି ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମହାସମାରୋହରେ ପାଳିତ ହେଉଛି । ଗତ ୨ ବର୍ଷ ହେବ କୋଭିଡ୍ ପାଇଁ ଏହି ପୂଜା ନିରାଡମ୍ବର ଭାବେ ପାଳିତ ହୋଇଥିଲା । ମାତ୍ର ଚଳିତ ବର୍ଷ ଏହି ପୂଜା ମହାଆଡମ୍ବର ସହକାରେ ଅନୁଷ୍ଠିତ ହେଉଛି । କୁମାର ପୂର୍ଣ୍ଣିମା ରାତ୍ରରେ ଉଭୟ ମଣ୍ଡପରେ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇ ପୂଜା ଆରମ୍ଭ ହୋଇଛି । ଥାନା ଛକ ମଣ୍ଡପରେ ସଞ୍ଜୀବ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ସାହୁ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି ପୂଜା ଦାୟୀତ୍ୱ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ରାମ ଚନ୍ଦ୍ର ପଣ୍ଡା, ସଂପାଦକ ନୃସିଂହ ଚରଣ ପରିଡା, ଉପସଭାପତି ସୌକତ୍ ଅଲ୍ଲୀ, ବିଜୟ ସାହୁ, ଜଳଧର ପଣ୍ଡା, ଧିରେନ୍ଦ୍ର ରାଉଳ, ଭାଗିରଥି ସାହୁ, ପ୍ରମୋଦ ସାମଲଙ୍କ ସମେତ ଅନ୍ୟ ମାନେ ସମସ୍ତ ଦାୟୀତ୍ୱ ତୁଲାଉଛନ୍ତି । ସେହିପରି କେନ୍ଦୁଆପଦା ଛକ ମଣ୍ଡପରେ କାଳନ୍ଦି ସ୍ୱାଇଁ କଳସ ଆଣିଥିବା ବେଳେ ପୂଜକ ଭାବେ ଭଗବାନ ପତି, ରାଷ୍ଟ୍ରପତି ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ମୋହନ ଚରଣ ସାହୁ, ସଂପାଦକ ଅଖିଳ ସାହୁ, ସେକ୍ ଅନୀଲ, ଲିଟୁ ଲେଙ୍କା, ଦେବୁନ ରାମ, ଉମେଶ ସାମଲ, ଭରତ ବେହେରାଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲା ଭଳି ପୂଜା ମଣ୍ଡପରେ ବାରୁଆଳୀ ମୂର୍ତ୍ତି ତିଆରି କରାଯିବା ସହ ସୁଉଚ୍ଚ ତୋରଣ ମାନ ନିର୍ମାଣ କରାଯାଇଛି । ବଜାରର ଉଭୟ ପାଶ୍ୱର୍କୁ ରଙ୍ଗୀବେରଙ୍ଗୀ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଏହି ପୂଜା ଦେଖିବା ପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲାରୁ ଲୋକେ ଆସିଥାନ୍ତି । ଲୋକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ବ୍ୟବସାୟୀ ମାନେ ଦୋଳି, ମୀନାବଜାର, ଚାଟ, ମନୋହରୀ ଦୋକାନ ଗୁଡିକ ଖୋଲିଥିବାର ଦେଖାଯାଇଛି । ଶାନ୍ତିଶୃଂଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ବନ୍ତ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଭୟ କମିଟିରେ ଭସାଣୀ ଉତ୍ସବ ଆସନ୍ତା ସୋମବାର ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ