ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳନ: ସାବିତ୍ରୀଆଡିରେ ବ୍ରତଧାରୀଙ୍କ ଭିଡ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ସୋମବାର ସମଗ୍ର ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଥିବା ବେଳେ ବନ୍ତ ବ୍ଲକର ସମସ୍ତ ପୁରପଲ୍ଲୀରେ ଏହି ବ୍ରତ ଯଥାରୀତି ପାଳନ ହୋଇଯାଇଛି । ସକାଳ ଠାରୁ ବ୍ରତଧାରୀ ମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏହି ବ୍ରତ ପାଳନ କରିଥିଲେ । ଗ୍ରାମର କେନ୍ଦ୍ରସ୍ଥଳ, ପୁରାତନ ବୃକ୍ଷମୂଳ ଓ ତୁଳସୀ ଚଉରା ମୂଳରେ ବ୍ରତଧାରୀ ମାନେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବ୍ଲକର ବନ୍ତ, ଟିଲୋ, ନିଳୋକ, ସେଣ୍ଢତୀରା, କେନ୍ଦୁଆପଦା, ବସନ୍ତିଆ ସମେତ ୨୫ଟି ପଞ୍ଚାୟତରେ ଏହି ବ୍ରତ ପାଳନ ହୋଇଯାଇଛି । ଅପରପକ୍ଷେ ଭଦ୍ରକ ଜିଲ୍ଲାର ଏକମାତ୍ର ସାବିତ୍ରୀ ପୀଠ ତଥା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ତୋଟାସାହି ସ୍ଥିତ ମା’ ସାବିତ୍ରୀଙ୍କ ପୀଠରେ ଆଜି ହଜାର ହଜାର ବ୍ରତଧାରୀଙ୍କର ଭିଡ ଦେଖିବାକୁ ମିଳିଥିଲା । ବ୍ଲକର ବିିଭିନ୍ନ ସ୍ଥାନରୁ ହଜାର ହଜାର ମହିଳା ମାନେ ଏଠାରେ ରୁଣ୍ଡିଭୂତ ହୋଇ ସତ୍ୟନିଷ୍ଠ ଭାବରେ ବ୍ରତ ପାଳନ କରିଥିଲେ । ଏହି ପୀଠରେ ଥିବା ମା’ଙ୍କ ପ୍ରସ୍ତର ମୂର୍ତ୍ତି ସମଗ୍ର ଭଦ୍ରକ ଜିଲ୍ଲାର ବିରଳ ଅଟେ । ପ୍ରତିବର୍ଷ ପରି ଚଳିତ ବର୍ଷ ଉକ୍ତ ପୀଠକୁ ଭଦ୍ରକ ଜିଲ୍ଲା ସମେତ ପଡୋଶୀ ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର ଆଦି ଜିଲ୍ଲାରୁ ୨୦ ହହାରରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା । ବ୍ରତଧାରୀ ମାନଙ୍କୁ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ପୂଜା କମିଟି ସମେତ ଜିଲ୍ଲା ଜଳ ଯୋଗାଣ ବିଭାଗ ଓ କେତେକ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଜଳ ଛତ୍ର ଖୋଲା ଯାଇଥିଲା । ପୂଜା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଧିକ ପୂଜକଙ୍କୁ ନିୟୋଜିତ କରାଯାଇଥିଲା । ଏଥିସହ ବ୍ରତଧାରୀ ମହିଳା ମାନଙ୍କ ପାଇଁ ବିଶ୍ରାମାଗାରର ବ୍ୟବସ୍ଥା କରାଯାଇଥିଲା । ପ୍ରାୟ ଭୋର ୪ଟା ୩୦ମିନିଟ୍ ସମୟରେ ମା’ଙ୍କୁ ପବିତ୍ର ଜଳରେ ସ୍ନାନ କରାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ପରେ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମା’ଙ୍କ ଦ୍ୱାର ଖୋଲା ଯାଇଥିଲା । ମନ୍ଦିରର ପୂଜକ ଉମାକାନ୍ତ ତ୍ରିପାଠୀଙ୍କ ସମେତ ରମାକାନ୍ତ ପଣ୍ଡା, ଅରବିନ୍ଦ ତ୍ରିପାଠୀ, ସୁଶାନ୍ତ କୁୁମାର ତ୍ରିପାଠୀ, ସଂଜୟ କୁମାର ଦଶ ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବନ୍ତ ଥାନା ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ ଥିଲେ । ପୂଜା କାର୍ଯ୍ୟରେ ତୋଟାସାହି, ପାରାବନ୍ଧ, ଠାକୁରଗଢିଆ, ମଂଗୁଲି, ଓଡଙ୍ଗ ସମେତ ଆଖପାଖ ଗ୍ରାମର ଲୋକମାନେ ସହଯୋଗ କରିଥିଲେ । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ମା’ସତୀ ସାବିତ୍ରୀ ପୂଜା କମିଟିର ଲକ୍ଷ୍ମୀଧର ନାୟକ, ପଦ୍ମଲୋଚନ ନାୟକ, ସୁରେଶ ନାୟକ, କେଶବ ବେହେରା, ଶଙ୍କର୍ଷଣ ବେହେରା, ଚନ୍ଦ୍ରମଣି ଘଡେଇ, ସନାତନ ସାହୁ, ସନ୍ତୋଷ କୁମାର ସାହୁ, ରମାକାନ୍ତ ରାଉତ, କୁଳମଣି ଜେନା, ରଘୁନାଥ ବିଶ୍ୱାଳଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ