ବନ୍ଦ ହେଲା ‘ଜୟଶ୍ରୀ’ ସିନେମା ହଲ୍‌

କଟକ: ଦିନ ଥିଲା, ପ୍ରିମିୟର ସୋରେ ସେଠି ସିନେପ୍ରେମୀଙ୍କ ଭିତରେ ଟ୍ରାଫିକ ଜାମ ହୋଇ ଯାଉଥିଲା । ବାଲକୋନି ଉପରୁ ସିନେ ଷ୍ଟାରଙ୍କ ଝଲକ ଦେଖିବାକୁ ଲୋକେ ଭିଡ଼ ଜମାଉଥିଲେ । ଟିକେଟ ବ୍ଲାକ ହୋଇଥିବାରୁ ପୁଲିସ ଚଢ଼ାଉ କରୁଥିଲା । ଏ ଗହଳଚହଳ ସବୁ ଦିନ ପାଇଁ ବନ୍ଦ ହୋଇଗଲା । ଓଲିଉଡର ଆଉ ଏକ ନାମକରା ସିନେମା ହଲରେ ସବୁଦିନ ପାଇଁ ତାଲା ପଡ଼ିଯାଇଛି । ପୂର୍ବରୁ ମାନ୍ଦା ବେପାରକୁ ନେଇ ମାଲିକ ଚିନ୍ତାରେ ଥିବା ବେଳେ ବର୍ତ୍ତମାନର କରୋନା ପରିସ୍ଥିତି ଏଭଳି ଚରମ ନିଷ୍ପତ୍ତି ନେବାକୁ ମାଲିକଙ୍କୁ ବାଧ୍ୟ କରିଥିବା କୁହାଯାଉଛି । ଓଡ଼ିଆ ସିନେମା ଶିଳ୍ପର ରାଜଧାନୀ କୁହାଯାଉଥିବା କଟକ ସହରର ବାଦାମବାଡ଼ି ଛକରେ ଥିବା ‘ଜୟଶ୍ରୀ’ ସିନେମା ହଲକୁ ଏଭଳି ବନ୍ଦ କରି ଦେବା ପାଇଁ ନିଆଯାଇଥିବା ନିଷ୍ପତ୍ତି ଅନେକ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଛି । ୧୯୮୭ ମସିହାରେ ପ୍ରତିଷ୍ଠିତ ସହରର ପ୍ରମୁଖ ସ୍ଥାନରେ ଥିବା ‘ଜୟଶ୍ରୀ’ ସିନେମା ହଲ ଅନେକ ଘାତପ୍ରତିଘାତ ଭିତରେ ବି ମୁଣ୍ଡଟେକି ରହିଥିବା ବେଳେ କେବଳ ସହରବାସୀଙ୍କ ପାଇଁ ନୁହେଁ, ବାଦାମବାଡ଼ି ବସଷ୍ଟାଣ୍ଡ ସାମନାରେ ଥିବାରୁ ରାଜ୍ୟର ଲୋକଙ୍କ ପାଇଁ ମନୋରଞ୍ଜନର କେନ୍ଦ୍ର ରହି ଆସିଥିଲା । ୧୯୮୭ ରେ ପ୍ରତିଷ୍ଠିତ ଜୟଶ୍ରୀ ହଲରେ ପ୍ରଥମ ସିନେମା ଭାବେ ‘ଏଇତ ଦୁନିଆ’ ରିଲିଜ ହୋଇଥିଲା । ଶେଷ ଥର ପାଇଁ ବାବୁସାନଙ୍କ ଅଭିନୀତ ସିନେମା ‘ମିଷ୍ଟର ମଜନୁ’ ପ୍ରଦର୍ଶିତ ହୋଇଥିଲା । କିନ୍ତୁ ଧୀରେ ଧୀରେ ସିନେମା ହଲ ପ୍ରତି ଦର୍ଶକ ବିମୁଖ ହେବା କେବଳ ଆଇନକ୍ସକୁ ଯିବା ଭଳି ଘଟଣା ହଲ ମାଲିକଙ୍କ ଚିନ୍ତା ବଢ଼ାଇଥିଲା । ଏମିତିକି ନିୟମିତ ବିଦ୍ୟୁତ ଦେୟ, କର୍ମଚାରୀଙ୍କ ଦରମା, ହଲର ରକ୍ଷଣାବେକ୍ଷଣ କରିବା କଷ୍ଟକର ହେଉଥିଲା । ଶେଷରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ହଲରେ ତାଲା ପକାଇବା ବ୍ୟତୀତ ଅନ୍ୟ ବାଟ ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ