ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ ସିଲ୍ ଖୋଲିଲା
ଭୁବନେଶ୍ୱର: କରୋନା ହଟସ୍ପଟ ତାଲିକାରେ ଥିବା ଭୁବନେଶ୍ୱରରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତ ବାହାରି ନଥିବାରୁ ଏବଂ ସଂକ୍ରମିତ ଜୋନରେ ହୋଇଥିବା ପ୍ରାୟ ୩ ହଜାର ରାପିଡ ଟେଷ୍ଟରୁ ଜଣେ ହେଲେ ପଜିଟିଭ ନଥିବାରୁ ବିଏମସି ଭୁବନେଶ୍ୱରର ସବୁଯାକ ସଂକ୍ରମଣ ଅବରୋଧ ଅଞ୍ଚଳକୁ ମୁକ୍ତ କରିଛି । ଏବେ ଭୁବନେଶ୍ୱରେ କେବଳ ଲକଡାଉନ ନିୟମ ଲାଗୁ ହେବ । ବିଏମସି ପକ୍ଷରୁ ବମିଖାଲ, ସତ୍ୟନଗର ଏବଂ ସୂର୍ଯ୍ୟନଗର ଅଞ୍ଚଳକୁ ଅଣସଂକ୍ରମିତ ଜୋନ ଘୋଷଣା କରି ସିଲ୍ ଖୋଲି ଦିଆଯାଇଛି । ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ତିନିଟି ଅଞ୍ଚଳ ଆକ୍ଟିଭ ସର୍ଭେଲାନ୍ସରେ ରହିବ । ଏଠାରେ କୌଣସି ସନ୍ଦିଗ୍ଧ ଚିହ୍ନଟ ହେଲେ ତାଙ୍କର ନମୁନା ସଂଗ୍ରହ ହେବ । ବିଏମସି ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୩ ରୁ ସିଲ୍ ହୋଇଥିବା ବମିଖାଲ ଅଞ୍ଚଳ, ଏପ୍ରିଲ ୭ ରୁ ସିଲ ହୋଇଥିବା ସତ୍ୟନଗର ଏବଂ ଏପ୍ରିଲ ୧୪ ରେ ପୁନଃ ସିଲ ହୋଇଥିବା ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ ମୁକ୍ତ କରାଯାଇଛି । ଏହି ସବୁ ଅଞ୍ଚଳରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।