ବରକୋଣା ଗ୍ରାମ୍ୟ ମୁଖ୍ୟ ରାସ୍ତା ଶୋଚନୀୟ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣଲୋକ ମାନଙ୍କର ଯାତାୟତର ସୁବିଧା ଲକ୍ଷ୍ୟରେ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ତାହାର କାର୍ଯ୍ୟକାରିତା ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁନାହିଁ । ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ଅଧିନ ତଥା ରାଜ୍ୟ ରାଜପଥର ବରକୋଣା ଛକ ଠାରୁ ବରକୋଣା ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଦୀର୍ଘ ୧୫ ବର୍ଷ ତଳେ ଏହି ରାସ୍ତା ମରାମତି କରାଯାଇଥିଲା । ତାପର ଠାରୁ ଏପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ମୁଠାଏ ମୋରମ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ବର୍ଷା ଦିନେ ଉକ୍ତ ରାସ୍ତାରେ ବଡ ବଡ ଖାଲରେ ପାଣି ଜମି ରହିବା ଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି । ଦୀର୍ଘ ୯୦୦ ମିଟର ରାସ୍ତା ଉପରେ ବରକୋଣା, ରାମପୁର ସମେତ ବିଭିନ୍ନ ଗ୍ରାମର ଲୋକେ ନିର୍ଭର କରୁଛନ୍ତି । ଏହି ରାସ୍ତାଟି ଆପଣ୍ଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବାରୁ ଦୈନନ୍ଦିନ ବହୁ ଲୋକ ଉକ୍ତ ଅଫିସକୁ ଯାଆସ କରୁଛନ୍ତି । ସେହିପରି ଏହି ରାସ୍ତାର ମଧ୍ୟମ ସ୍ଥଳରେ ପ୍ରସ୍ତାବିତ୍ କୋର୍ଟ ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ରାସ୍ତାର ଗୁରୁତ୍ୱ ରହିଛି । ଏପରିସ୍ଥଳେ ଏହି ରାସ୍ତା ଉପରେ ପ୍ରଶାସନ କିମ୍ବା ରାଜନେତା ମାନଙ୍କର ଟିକେହେଲେ ନଜର ନାହିଁ । ବର୍ଷା ଦିନରେ ଏହି ରାସ୍ତାରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଗ୍ରାମ ମଧ୍ୟକୁ ଯିବା ସମ୍ଭବପର ହେଉନାହିଁ । ବନ୍ତ ସଦର ମହକୁମାରେ ଅବସ୍ଥିତ ବିଭିନ୍ନ ସ୍କୁଲ ଓ କଲେଜକୁ ଛାତ୍ରଛାତ୍ରୀ ମାନେ ଯାତାୟତ କରିପାରୁନାହାନ୍ତି । ଏହି ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମବାସୀ ମାନେ ବହୁବାର ସରପଞ୍ଚ, ବିଡିଓ ଓ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରେ ଅଭିଯୋଗ କରିଆସୁଛନ୍ତି । ମାତ୍ର କୌଣସି ପଦକ୍ଷେପ ନିଆଯାଇନାହିଁ । ଉକ୍ତ ରସ୍ତାକୁ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ଗଣଆନ୍ଦୋଳନ କରାଯିବ ବୋଲି ବରକୋଣା ଓ ରାମପୁର ଗ୍ରାମର ମାର୍କଣ୍ଡ ବେହେରା, ସନ୍ନ୍ୟାସୀ ସ୍ୱାଇଁ, ପ୍ରଦୀପ କୁମାର ସ୍ୱାଇଁ, ଅଶୋକ କୁମାର ପାତ୍ର, ବୈଲୋଚନ ପାତ୍ର, ତାପସ ସ୍ୱାଇଁ, ମାନସ ସ୍ୱାଇଁ ପ୍ରମୁଖ ମୁଖ୍ୟମନ୍ତ୍ରୀ, ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ, ସଚିବ, ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କୁ ଳିଖିତ ଅବଗତ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ