ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :ବିଭିନ୍ନ ଦାବି ନେଇ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ପଟ୍ଟନାୟକଙ୍କୁ ଶୁକ୍ରବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଗସ୍ତ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ରେଳ ରୁଟକୁ ଦକ୍ଷିଣପୂର୍ବ ରେଳଜୋନରୁ ଆଣି ପୂର୍ବ ତଟ ଜୋନରେ ସାମିଲ ପାଇଁ ମଞ୍ଚ ସ୍ମାରକପତ୍ରରେ ଦାବି କରିଛି । ସେହିପରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ରେଳ ରୁଟଓ କେନ୍ଦୁଝର ଜିଲ୍ଲାର କେତେକ ରେଳ ରୁଟ୍କୁ ନେଇ ବାଲେଶ୍ୱର ଠାରେ ରେଳ ଡିଭିଜନ୍ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି । ୪୨ କିମି ବାଙ୍ଗିରିପୋଷି-ଗୋରୁମହିଷାଣୀ ରେଳପଥର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବା, ବାଲେଶ୍ୱର-ନୀଳଗିରି ରେଳପଥକୁ କପ୍ତିପଦା, ଉଦଳା ଦେଇ କେନ୍ଦୁଝରଗଡ଼ ଯାଏ ସଂପ୍ରସାରଣ କରିବା, ପ୍ରସ୍ତାବିତ ତେଲଙ୍ଗାନାର ଭଦ୍ରାଚଳମରୁ ମୟୂରଭଞ୍ଜ ଦେଇ ପଶ୍ଚିମବଙ୍ଗର ଖଡ଼ଗପୁର (୮୭୫କିମି) ଯାଏ ରେଳପଥ ଓ ବାଦାମପାହାଡ଼-କେନ୍ଦୁଝର ରେଳପଥ ନିର୍ମାଣ ପାଇଁ ମଧ୍ୟ ଦାବି ରଖାଯାଇଛି । ଏଥି ସହିତ ପର୍ଯ୍ୟଟନ, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଦୀଘାରୁ ତାଳସାରି, ଡଗରା, ଚାନ୍ଦିପୁର, ଚାନ୍ଦବାଲି ଓ ଧାମରା ଦେଇ ପାରାଦ୍ୱୀପକୁ ରେଳପଥ ନିର୍ମାଣ ପାଇଁ ମଧ୍ୟ ନିବେଦନ କରାଯାଇଛି । ଅନୁରୂପ ଭାବେ ହାୱଡ଼ା-ଚେନ୍ନାଇ ରୁଟ୍ରେ ଯାତ୍ରା କରୁଥିବା ସମସ୍ତ ସୁପରଫାଷ୍ଟ୍ ଟ୍ରେନ୍ ବାଲେଶ୍ୱରରେ ଅଟକିବା, ଜଳେଶ୍ୱର-ଦୀଘା ରେଳପଥ ନିର୍ମାଣ, ହାୱଡ଼ାରୁ ବାଲେଶ୍ୱର ଦେଇ ମୁମ୍ବାଇକୁ ସୁପରଫାଷ୍ଟ୍ ଟ୍ରେନ୍ ଚାଲିବାକୁ ଦାବି ହୋଇଛି । ବରିଷ୍ଠ ନାଗରିକ ମଞ୍ଚର ରେଳବିକାଶ ବିଭାଗ ପକ୍ଷରୁ ସଭାପତି ଲକ୍ଷ୍ମୀଧର ବେହେରା, ଉପଦେଷ୍ଟା କୁଳମଣି ବାରିକ, ଅନ୍ତର୍ଯ୍ୟାମୀ ପ୍ରଧାନ, ସନ୍ତୋଷ କୁମାର ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ବୈଦ୍ୟନାଥ ଷଡ଼ଙ୍ଗୀ ଓ ଯଶୋଦା ନନ୍ଦନ ଆଶ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିବା ସହ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଚିର ଅବହେଳିତ ଉତ୍ତର ଓଡ଼ିଶାବାସୀଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ ପୂରଣ ହେବା ଦିଗରେ ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରିଛନ୍ତି ।