ବର୍ଷା ଓ ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟରେ ଅନିୟମିତା ହୋଇଥିବା ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ମସିହାରେ ହୋଇଥିବା ଅତି ପ୍ରବଳ ବର୍ଷା ଓ ‘ଜୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଯୁଗ୍ମ ଭାବେ ନାଉଗାଁ ରାଜସ୍ୱ ବିଭାଗ ଓ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ନାମକୁ ଜିଲ୍ଲା ପୋର୍ଟାଲରେ ପ୍ରକାଶ କରାଯାଇଛି । ଯେଉଁଥିରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅର ନାମ ରହିଥିବା ବେଳେ ଅଲଗା ଠିକଣା ଦର୍ଶାଯାଇଥିବା ଜଣାଯାଇଛି । ଯାହାକୁ ନେଇ ଉକ୍ତ ଚିହ୍ନଟ ପ୍ରକିୟାରେ ଅନିୟମିତତା ହୋଇଥିବା ନେଇ ତହସିଲଦାରଙ୍କୁ ଗୁରୁବାର ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ କୋରୁଅ ପଂଚାୟତସ୍ଥିତ ଗାରୋଇ ଗ୍ରାମର ନେତ୍ରାନନ୍ଦ ନାୟକ ସେହି ପଂଚାୟତର କୃଷକ ସାଥି ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ନାୟକ ଗତବର୍ଷ ଅତି ପ୍ରବଳ ବର୍ଷା ଓ ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ ବେଳେ ସେ ତାଙ୍କ ପୁଅର ନାମକୁ ଡାବର ପଂଚାୟତସ୍ଥିତ ସାହାଡା ଗାଁର ଚାଷୀ ଭାବେ ଦର୍ଶାଇ ଚାଷୀ ସହାୟତା ହାତେଇଥିବା ବେଳେ ତାଙ୍କ ସ୍ତ୍ରୀର ନାମକୁ ତେଲଘଡି ଗାଁର ଚାଷୀ ଭାବେ ଦର୍ଶାଇ ଚାଷୀ ସହାୟତା ହାତେଇଛନ୍ତି । ଏହା ସହିତ କୃଷକ ସାଥି ଶ୍ରୀ ନାୟକ ନିଜର ନାମକୁ ଗାରୋଇ ଗାଁର ଚାଷୀ ଭାବେ ଦର୍ଶାଇ ସହାୟତା ହାତେଇଥିବା ପ୍ରକାଶିତ ତାଲିକାରୁ ଜଣାଯାଇଛି । ଯାହାକି ଚଂଚକତା କରି ଗୋଟିଏ ପରିବାରର ୩ଜଣ ସଦସ୍ୟ ଚାଷୀ ସହାୟତା ହାତେଇଛନ୍ତି । ଏହା ଉପରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗାରୋଇ ଗ୍ରାମର ବାବାଜି ଚରଣ ମହାନ୍ତି, ଉଲ୍ଲାସ ବିଶ୍ୱାଳ, ଅକ୍ଷୟ ବିଶ୍ୱାଳଙ୍କ ସମେତ ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାକ୍ଷରିତ ଅଭିଯୋଗପତ୍ର ପ୍ରଦାନ କରାଯାଇଛି । ସେହିପରି ଘୋଡାଂଶ ପଂଚାୟତରେ କମ୍ ପରିମାଣ ଚାଷ ଜମି ଥିବା ଚାଷୀଙ୍କୁ ମନଇଛା ସହାୟତା ପ୍ରଦାନ କରାଯାଇଥିବା ବେଳେ ବହୁତ ପରିମାଣର ଚାଷ ଜମି ଥିବା ଚାଷୀଙ୍କୁ କମ୍ ପରିମାଣ ଦର୍ଶାଇ ସହାୟତା ପ୍ରଦାନ କରାଯାଇଥିବା ଜନ ସୂଚନା କର୍ମୀ ରାଜେଶ କୁମାର ପ୍ରଧାନ ନାଉଗାଁ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସଂର୍ପକରେ ନାଉଗାଁ ତହସିଲଦାର ଜେ.କଳ୍ପନାଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିବା ବେଳେ କୋରୁଅ ପଂଚାୟତର କୃଷକ ସାଥି ତଥା ଗାରୋଇ ଗାଁର ନେତ୍ରାନନ୍ଦ ନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ