ବର୍ଷା ଜଳ ନିଷ୍କାସନ ନିମନ୍ତେ ଦିଗପହଣ୍ଡି ଏନ.ଏ.ସି.ର ପ୍ରୟାସ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ): ଦିଗପହଣ୍ଡି ସହରରେ ଦିନକୁ ଦିନ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିର ବିନା ସୁପାରିଶରେ ବେଆଇନ ଭାବେ କୋଠା ବାଡି ବୃଦ୍ଧି ପାଇବାରେ ଲାଗିଛି । ତେବେ ସହରର ବିପର‌୍ୟ୍ୟସ୍ଥ ପରିମଳ ସେବାର ରୂପରେଖରେ ପରିବର୍ତ୍ତନ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିଲେ ମଧ୍ୟ ବର୍ଷା ଋତୁରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ସ୍ଥାନରେ ନର୍ଦ୍ଦମା ପାଣି ସହ ବର୍ଷା ଜଳ ଜମାଟ ବାନ୍ଧି କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ସହରର ପୁଞ୍ଜିକୟାଁ ଛକ ଠାରେ ମଙ୍ଗଳବାର ସକାଳେ ଏନଏସି ପକ୍ଷରୁ ନର୍ଦ୍ଦମା ଉପରେ କବ୍ଚା କରି ଢାଙ୍କୁଣୀ ଘୋଡାଯାଇଥିବା ନାଳ ଉପରେ ସିମେଣ୍ଟ୍ ସ୍ଲାବ୍କୁ ଭଙ୍ଗାଯାଇଥିଲା । ଉକ୍ତ ସିମେଣ୍ଟ୍ ସ୍ଲାବ୍ ଭାଙ୍ଗି ସଫେଇ କର୍ମଚାରୀ ମାନେ ନର୍ଦ୍ଦମା ସଫେଇ କରି ଆବର୍ଜନା ନେଇଯିବା ପରେ ପୁନଶ୍ଚ ଢାଙ୍ଗୁଣୀ ଟିକୁ ରଖିଥିଲେ । ତେବେ ଏନଏସି ପକ୍ଷରୁ ଦୈନିକ କବ୍ଚା କରି ରଖାଯାଇଥିବା ସ୍ଥାନମାନଙ୍କରେ ସମୟ ସାପେକ୍ଷ ଦେଇ ସଫେଇ କରିବା ଏକ ଅସମ୍ଭବ ହେଉଥିବା ବେଳେ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ଜଣାଯାଇଛି । ପ୍ରକାଶ ଯେ, ବିଶ୍ୱ ବ୍ୟାଙ୍କ୍ ଅନୁମୋଦନ ରାସ୍ତା ପ୍ରକଳ୍ପରେ ପୁଞ୍ଜିକୟାଁ ଚାରିଛକର ରାସ୍ତା ପାଶ୍ୱର୍ରେ ଡିପ୍ ଡ୍ରେନ୍ ନିର୍ମାଣ କରାଯାଇଥିଲା । ଉକ୍ତ ଡିପ୍ ଡ୍ରେନ୍ ଗୁଡିକର ଗଭୀରତା ପ୍ରତ୍ୟେକ ସ୍ଥାନରେ ସମାନ ନଥିବାରୁ ନର୍ଦ୍ଦମା ଜଳ ନିମ୍ନଗାମୀ ହୋଇ ସ୍ରୋତରେ ଯିବାରେ ବାଧା ଉପୁଜୁଛି । ସେପଟେ ଏନଏସି ପକ୍ଷରୁ ସାହି ଗଳିରେ ହୋଇଥିବା ନର୍ଦ୍ଦମା ନାଳର ଗଭୀରତା ଏବଂ ଡିପ୍ ଡ୍ରେନ୍ର ଗଭୀରତାରେ ତାରତମ୍ୟ ରହୁନଥିବାରୁ ଲଗାଣ ବର୍ଷା ହୋଇଗଲେ ରାସ୍ତା ଉପରେ ରହିଥିବା ଘର ଗୁଡିକୁ ବର୍ଷା ଜଳ ନିଷ୍କାସନ ହୋଇନପାରି ପଶିଯାଇ ସମସ୍ୟା ସୃଷ୍ଟି କରୁଛି । ମଙ୍ଗଳବାର ଉକ୍ତ ସମସ୍ୟାର ପ୍ରତିକାର ସୂରୂପ ଏନଏସି କର୍ମଚାରୀ ମାନେ ସଫେଇ କରିଥିବା ବେଳେ ଜନସଚେତନତା ନହେଲେ ସମସ୍ୟାର ଅନ୍ତ ଘଟିବାରେ ବିଳମ୍ବ ହେବ ବୋଲି ଜାଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ