ବଳଦେବଜୀଉ ପାୱାରଲୁମ ଶ୍ରମିକ ସଙ୍ଘ ପକ୍ଷରୁ ବକେୟା ଦରମା ପ୍ରଦାନ ଦାବିରେ ଆନ୍ଦୋଳନ ଚେତାବନୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):  କେନ୍ଦ୍ରାପଡା ସହରର ତିନିମୁହାଣି ଛକ ନିକଟରେ ଥିବା ବଳଦେବଜୀଉ ପାୱାରଲୁମ ଶ୍ରମିକ ସଙ୍ଘ ପକ୍ଷରୁ ସେମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି । ୧୯୯୬ମସିହା ଅଗଷ୍ଟମାସରୁ ବନ୍ଦ ହୋଇଯାଇଥିବା ଏହି ପାୱାରଲୁମର ୨ଶହ ଶ୍ରମିକ ସେମାନଙ୍କ ବକେୟା ଦରମା ଦୀର୍ଘବର୍ଷ ଧରି ନପାଇବାରୁ ଏସମ୍ପର୍କରେ ଜିଲ୍ଲାପାଳ, କେନ୍ଦ୍ରାପଡା ବିଧାୟକ ପ୍ରଭୃତିଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସେମାନଙ୍କ ସମସ୍ୟାର କୈାଣସି ସମାଧାନ ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ସ୍ଥାନୀୟ ବାୟାବାବା ମଠ ପରିସରରେ ଏକ ପତ୍ରକାର ସମ୍ମିଳନୀ ଆହୁତ ହୋଇଥିଲା । ସଙ୍ଘର ସମ୍ପାଦକ ମୁରଲୀଧର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପତ୍ରକାର ସମ୍ମିଳନୀରେ ୧୯୬୯ମସିହାରୁ ବଳଦେବଜୀଉ ପାୱାରଲୁମରେ କାର୍ଯ୍ୟକରି ଆସୁଥିବା ଦୁଇଶହ ଶ୍ରମିକମାନଙ୍କୁ ଗତ ୨୦୦୧ମସିହା ସେପ୍ଟେମ୍ବରମାସ ୩୦ତାରିଖରୁ ଭି.ଆର.ଏସ ଦିଆଯାଇଥିବା ବେଳେ ଗତ ୧୯୯୬ମସିହା ସେପ୍ଟେମ୍ବରମାସରୁ ସେମାନଙ୍କୁ ବକେୟା ଦରମା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଗତ ୧୯୯୬ମସିହା ଅଗଷ୍ଟମାସରୁ ସେହି ବଳଦେବଜୀଉ ପାୱାରଲୁମଟିକୁ ବନ୍ଦ କରିଦିଆଯାଇଛି ଏବଂ ଶ୍ରମିକମାନଙ୍କ ଅଗୋଚରରେ ପାୱାରଲୁମର ଯନ୍ତ୍ରପାତିକୁ ବିକ୍ରୀ କରିଦିଆଯାଇଥିବା ଅଭିଯୋଗ ହୋଇଛି । ଶ୍ରମିକମାନେ ସେମାନଙ୍କ ବକେୟା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବା ନିମନ୍ତେ ଶେଷରେ ବାଧ୍ୟ ହୋଇ ଗତ ୨୦୧୪ମସିହାରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏମ.ପି.(ସି. )- ୧୧୩୦୨ ଏକ କେଶ ଦାୟର କରିଥିଲେ । ସେହି ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଗତ ୨୦୧୯ମସିହା ମାର୍ଚ୍ଚମାସ ୬ତାରିଖରେ ଶ୍ରମିକମାନଙ୍କ ସମସ୍ତ ପ୍ରାପ୍ୟ ତୁରନ୍ତ ପ୍ରଦାନ ନିମନ୍ତେ ଲିକ୍ୟୁଡେଟରଙ୍କୁ ନିର୍ଦେଶ ଦେଇଥିଲେ । ଏହା ମଧ୍ୟରେ ୩/୪ଜଣ ଲିକ୍ୟୁଡେଟରଙ୍କ ବଦଳି ହୋଇଥିଲେବି ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି । ଶ୍ରମିକମାନେ ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଜଣାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଶେଷରେ କୈାଣସି ଉପାୟ ନପାଇ ବକେୟା ପ୍ରାପ୍ୟ ପାଇବା ପାଇଁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହି ପତ୍ରକାର ସମ୍ମିଳନୀରେ ସଙ୍ଘର କୋଷାଧ୍ୟକ୍ଷ ଗଗନ ମିଶ୍ର, ଗୋପାଳ ସାହୁ, ହୃଷିକେଶ ଜେନା,ମାଗୁଣି ବାଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ