ବସ୍ ଚଳାଇବୁ ନାହିଁ: ମାଲିକ ସଂଘ
ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ ଜୋନରେ ବସ ଚଳାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ତେବେ ଅନୁମତି ସତ୍ତ୍ୱେ ବସ ଚଳାଇବାକୁ ବସ ମାଲିକ ସଂଘ ମନା କରିଦେଇଛି । ଗାଡ଼ି ଚଳାଇବା ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଯାତ୍ରୀ ସେବା ଅତ୍ୟାବଶ୍ୟକ ସେବା, ବସ ଚାଳକଙ୍କୁ ବୀମାଭୁକ୍ତ କରାଯିବାକୁ ବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି । ଏହାଛଡ଼ା ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇ ହେବନାହିଁ । ଖର୍ଚ୍ଚ ଉଠିବ ନାହିଁ । ଏହାଛଡ଼ା ବସରେ ଯାଉଥିବା ଯାତ୍ରୀଙ୍କୁ ଯେ କରୋନା ହୋଇନାହିଁ ତାହା କିଏ କହିବ ବୋଲି ସଂଘ ପ୍ରଶ୍ନ କରିଛି । ତେଣୁ ଟ୍ରେନ ଭଳି ବସରେ ଉଠିବା ପୂର୍ବରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ସରକାର ଆମ ଦାବି ବିଚାର କଲେ, ସହଯୋଗ କଲେ ଆମେ ବସ ଚଳାଇବା ନେଇ ଚିନ୍ତା କରିବୁ । ସବୁ ବସ ସଂଘ ସହ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।
ରାଜ୍ୟର ଗ୍ରୀନ ଜୋନରେ ଥିବା ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି ଜଗତସିଂହପୁର, କନ୍ଧମାଳ, ମାଲକାନଗିର, ମୟୁରଭଞ୍ଜ, ନବରଂଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ ଏବଂ ପୁରୀରେ ବସ୍ ଚଳାଚଳ କରିପାରିବ ବୋଲି ନିଷ୍ପତ୍ତି ହୋଇଥିଲା । ଗୋଟିଏ ଗେ୍ୀନ୍ ଜୋନ୍ ଜିଲ୍ଲାରୁ ଆଉ ଗୋଟିଏ ଗ୍ରୀନ ଜୋନ୍ ଜିଲ୍ଲାକୁ ଯାଇପାରିବ ବସ୍ । ତେବେ, ଅନ୍ତଃ ଜିଲ୍ଲାଗୁଡ଼ିକ ପାଇଁ ଚଳାଚଳ କରୁଥିବା ଯାତ୍ରୀବାହୀ ବସର ରୁଟ୍ ମଧ୍ୟରେ କୌଣସି ରେଡ୍ କିମ୍ବା ଅରେଞ୍ଜ ଜିଲ୍ଲା ନଥିବ ବୋଲି ସ୍ପଷ୍ଟ କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ସିଟ ହାର ୫୦ ପ୍ରତିଶତ ଲୋକଙ୍କୁ ନେଇ ବସ ଚଳାଇବାକୁ ସରକାର କହିଥିଲେ । ତେବେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇ ହେବନାହିଁ । ଖର୍ଚ୍ଚ ଉଠିବ ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।


