ବହିଷ୍କୃତ ଶିକ୍ଷକଙ୍କୁ ପୂନର୍ବାର ଚାକିରୀରେ ଯୋଗଦାନ ପାଇଁ ଅନୁମତି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ଜଣେ ବହିଷ୍କୃତି ଶିକ୍ଷକଙ୍କୁ ପୂନର୍ବାର ଚାକିରୀରେ ଯୋଗଦାନ ପାଇଁ ଅନୁମତି ଦେବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ପ୍ରକାଶ ଯେ, କାଦବରାଙ୍ଗ କ୍ଲଷ୍ଟର ଅଧିନ ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜନୈକ ବ୍ୟକ୍ତିଙ୍କ ସି.ଟି.ସାର୍ଟିଫିକେଟ ଜାଲ ଥିବା ନେଇ ଭଦ୍ରକର ଜନୈକ ବ୍ୟକ୍ତି ଆର.ଟି.ଆଇରେ ବି.ଏସ୍.ଇ, କଟକରୁ ତଥ୍ୟ ଆଣି ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଦେବା ପରେ ସଂପୃକ୍ତ ଶିକ୍ଷକଙ୍କ ସି.ଟି.ସାର୍ଟିଫିକେଟ ଓ ମାର୍କସିଟ୍ ସିଜ୍ କରାଯାଇ ବନ୍ତ ବିଇଓଙ୍କ ଚିଠି ନଂ-୧୯୬୩/ତା-୧୧-୧୧-୨୦୧୯ରେ ବି.ଏସ୍.ଇ କଟକକୁ ସାର୍ଟିଫିକେଟ ଓ ମାର୍କସିଟର ଜେରେକ୍ସ ସହିତ ସେଗୁଡିକର ସଠିକତା ଯାଞ୍ଚ ପାଇଁ ପଠାଇଥିଲେ । ବି.ଏସ୍.ଇ, କଟକ ଚିଠି ନଂ-୧୫୦୬/ତା-୧୧-୧୨-୨୦୧୯ରେ ସି.ଟି.ସାର୍ଟିଫିକେଟ ଓ ମାର୍କ ସିଟ୍ ଜାଲ ବୋଲି ଅବଗତ କରିବା ପରେ ତା-୧୮-୧୨-୨୦୧୯ରେ ସଂପୃକ୍ତ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯିବା ସହିତ ବନ୍ତ ଥାନାରେ କେସ ନଂ-୧୭୪/୨୦୧୯ରେ ମାମଲା ରୁଜ୍ଜୁ କରିବା ସହିତ ୧୪ ବର୍ଷରେ ଦରମା ବାବଦ ପାଇଥିବା ଅର୍ଥ ପୈଠ ପାଇଁ ସେଥିରେ ଉଲ୍ଲେଖ କରିଥିଲେ । ଏହା ପରେ ସଂପୃକ୍ତ ଶିକ୍ଷକ ସରକାରୀ ସି.ଟି.ସ୍କୁଲର ସାର୍ଟିଫିକେଟ ଦେଇଥିବା ଏବଂ ତାଙ୍କ ବହିଷ୍କାର ନ୍ୟାୟସଙ୍ଗତ ନୁହେଁ ବୋଲି ଦର୍ଶାଇ ନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ମାନ୍ୟବର ଭଦ୍ରକ କୋର୍ଟ ଜି.ଆର.କେସ ନଂ-୨୩୮୮ର ବିଚାର କରି ସଂପୃକ୍ତ ଶିକ୍ଷକଙ୍କୁ ବିନା ପ୍ରୋସିଡିଂରେ ସଠିକ୍ ନିୟମ ପାଳନ ନକରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଚାକିରୀରେ ପୂନର୍ବାର ଯୋଗଦାନ ପାଇଁ ଅନୁମତି ଦେବାକୁ ବନ୍ତ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ବିଇଓ ମାନ୍ୟବର କୋର୍ଟଙ୍କ ଆଦେଶକୁ୍ କାର୍ଯ୍ୟକାରୀ କରାଯିବା ସଂପର୍କରେ ସରକାରଙ୍କ ଅନୁମତି ପାଇଁ ପଠାଇଥିବା ବେଳେ ବି.ଏସ୍.ଇ କଟକ ସଂପୃକ୍ତ ଶିକ୍ଷକଙ୍କ ଅରିଜିନାଲ ସାର୍ଟିଫିକେଟ ମଗାଇ ଏବିଷୟରେ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି । କେଉଁ ପରିସ୍ଥିତିରେ ସରକାରୀ ସି.ଟି.ସ୍କୁଲ ଜାଲ ସାର୍ଟିଫିକେଟ ଦେଇ ଜଣେ ଶିକ୍ଷକଙ୍କ ଜୀବନ ସହିତ ଖେଳ ଖେଳିଲେ କିମ୍ବା ବି.ଏସ୍.ଇ କଟକ ଭୁଲ ତଥ୍ୟ ଦେଇଥିଲା ତାହାର ସବିଶେଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମାନେ ମତପ୍ରକାଶ କରିଛନ୍ତି ।