ବହ୍ନି ବଳୟରେ କନ୍ୟାସନ୍ତାନ
ବିପିନ ବିହାରୀ ମହାନ୍ତି
ସାରା ବିଶ୍ୱରେ ଥିବା ୬୫୦ କୋଟି ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ନାରୀ । ଦୁଃଖ ଯେ, ପୁରୁଷଙ୍କ ପରି ସେମାନେ ତ ସମାନ ନ୍ୟାୟ ପାଆନ୍ତି ନାହିଁ , ନ୍ୟାଯ୍ୟ ଅଧିକାର ଭୋଗକରନ୍ତି ନାହିଁ, ଅପରନ୍ତୁ ଶୋଷିତ ଓ ଅତ୍ୟାଚାରିତ ହୁଅନ୍ତି ଏବଂ ଏହାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅବଶ୍ୟ ସେମାନଙ୍କ ସୁରକ୍ଷା ଦେବାରେ ଏବଂ ଉନ୍ନତିଲେ ବିଭିନ୍ନ ଆଇନ୍ ରାଷ୍ଟ୍ରମାନେ ପ୍ରଣୟନ କରିଛନ୍ତି ଅଥଚ କାର୍ଯ୍ୟ ବା କାରଣକୁ ଏହା କାମରେ ଆସେ ନାହିଁ । ଏ ଦୃଷ୍ଟିରୁ ଏତିକି କୁହାଯାଇପାରେ ଯେ, ଯେଯାଏଁ ଲୋକମାନଙ୍କର ମାନସିକତାରେ ପରିବର୍ତ୍ତନ ନ ଘଟିଛି, ମହିଳାମାନଙ୍କ ଉପରେ ଚାଲିଥିବା ଆକ୍ରମଣ ଓ ଅତ୍ୟାଚାର ହ୍ରାସ ପାଇବା ଅସମ୍ଭବ ।
ନାରୀମାନଙ୍କ ପ୍ରତି ଚାଲିଥିବା କଳାତ୍କାର, ଧର୍ଷଣ ଓ ହତ୍ୟାର ମାତ୍ରା ଦିନକୁଦିନ ମାତ୍ରାଧିକ ଭାବରେ ବଢ଼ିଚାଲିଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ୨୦୧୨ରେ ଭାରତରେ ୨୪, ୬୨୩ଟି ବଳାତ୍କାର ଘଟିଥିବା ବେଳେ ଏହି ବଳାତ୍କାର ସଂଖ୍ୟା ୨୦୧୩ ପାଇଁ ହୋଇଛି ୩୩,୭୦୭ । ଓଡ଼ିଶାରେ ଏ ସଂଖ୍ୟା ସେହି ସମୟରେ ୧୪୫୮ରୁ ୧୮୩୨କୁ ବୃଦ୍ଧି ପାଇଛି । ଜାତୀୟ ଅପରାଧ ରେକଡ଼ ବ୍ୟୁରୋ ଗତବର୍ଷ କରିଥିବା ସର୍ଭେ ଅନୁସାରେ ଗତବର୍ଷ ୩୩ ହଜାର ୭୮୯ଟି ମାମଲାମଧ୍ୟରୁ ସର୍ବାଧିକ ମାମଲା ହେଉଛି ଯୌତୁକ ଜନିତ ହତ୍ୟା । ଏହାର ମାତ୍ରା ହେଉଛି ୧୬.୭% । ସେହିପରି ୨୦୧୧ ତୁଳନାରେ ୨୦୧୩କୁ ଅପହରଣ ମାତ୍ରା ବଢ଼ିଛି ତିନିଗୁଣ । ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀ କନ୍ୟା ମାନଙ୍କୁ ନେବା ଏବଂ ପରେ ଧର୍ଷଣ କରି ଦଲାଲ ହାତରେ ଟେକି ଦେବା ଅଥବା ହତ୍ୟା କରିବା ଅପହରଣର ହେଉଛି ଶେଷ ପରିଣତି ।
ବିଶ୍ୱ, ବିଶେଷ କରି ଭାରତୀୟମାନଙ୍କର ନାରୀପ୍ରତି ଥିବା ଅସମାନତା ମାନସିକତାର ଅନ୍ୟତମ ଉଦାହରଣ ହେଉଛି କନ୍ୟା ଭୃର ହତ୍ୟା । ଏକ ପରିସଂଖ୍ୟାନ ଅନୁସାରେ ଗତ ୨୦ ବର୍ଷ ମଧ୍ୟରେ ଭାରତର କନ୍ୟାଭୃଣ ହତ୍ୟା ସଂଖ୍ୟା ପ୍ରାୟ ଏକ କୋଟୀରୁ ଅଧିକ । ଏହାସବୁ ବେଆଇନ୍ ଗର୍ଭପାତ । ଏହାର ଅର୍ଥ ହେଲା ବେଆଇନ୍ ଭାବେ ସୋନୋଗ୍ରାଫି ଜରିଆରେ ଗର୍ଭସ୍ଥ ଭୃଣର ଲିଙ୍ଗ ନିରୂପିତ ହେଉଛି । ଏହା ଯଦି କନ୍ୟା, ତାକୁ ସେ ଭୃଣରୁ ହତ୍ୟା କରାଯାଉଛି ଏବଂ ତାକୁ ବର୍ଯ୍ୟବସ୍ତୁ ଆକାରରେ କୋଉଠି ଫିଙ୍ଗି ଦିଆଯାଉଛି । ଏମିତି ସବୁକାରଣକୁ ଶିକାରହୁଏ ନାରୀ, ହ୍ରାସ ହୁଏ ତା’ ସଂଖ୍ୟା ।
ମିଳିତଜାତିସଂଘର ବିଶ୍ୱ ଜନସଂଖ୍ୟା ପାଣ୍ଠି (ଡ଼ବ୍ଲୁ.ପି.ଏଫ୍)ର ତେଚାବନୀ ଅନୁସାରେ ପୁରୁଷ-ମହିଳା ସନ୍ତୁଳନରେ ଭାରତ ସବୁଠାରୁ ଦୁର୍ବଳ ରାଷ୍ଟ୍ର । ଯଦି କନ୍ୟା ସନ୍ତାନ ସଂଖ୍ୟା ଏହିପରି ହ୍ରାସ ପାଏ, ତା’ହେଲେ ଭାରତରେ ଏକ ସେ ସାମାଜିକ ସଂକଟ ଦେଖାଯିବ, ହୁଏତ ଏଥିପାଇଁ ୨୫ଭାଗ ଯୁବକଙ୍କ ପାଇଁ ପାତ୍ରୀ ମିଳିନପାରେ । ଏବେ ତ ଏହି କାରଣରୁ ହିରଆଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଇତ୍ୟାଦିରେ ବିବାହ ପାଇଁ ପାତ୍ରୀ ସଂକଟ ଉତ୍ପନ୍ନ ହୋଇ ଗଲାଣି । ଏପରି କନ୍ୟା ସଂକଟ ଘଟିବାର ଏକ ମୁଖ୍ୟ କାରଣ ଏହି ଯେ, ଯୌତୁକ ଜନିତ ଆର୍ଥିିକ ଦଣ୍ଡରୁ ମୁକ୍ତି ପାଇଁ କନ୍ୟା ଭୃଣହତ୍ୟା । ଦୁଃଖ ଯେ, ଏହାକୁ ଏଡ଼ାଇବା ପାଇଁ ଯୌତୁକ ନିରୋଧ ଆଇନ୍, ଭୃଣହତ୍ୟା ନିଷେଧ ଆଇନ୍, ପିତାମାତାଙ୍କ ସଂପତ୍ତିରେ ପୁତ୍ରପରି କନ୍ୟାର ସମାନ ଅଧିକାର ଆଇନ୍ ଇତ୍ୟାଦି ଥାଇସୁଦ୍ଧା ‘ଯଥା ପୂବ ତଥା ପର’ ନ୍ୟାୟରେ ସବୁକିଛି ଚାଲିଛି ।
କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ରାଷ୍ଟ୍ରରେ ମହିଳାଙ୍କ ସ୍ଥିତି ଏପରି ଦୟନୀୟ ଅବସ୍ଥାରେ ଅଛି । କନ୍ୟାଭୃଣ ହତ୍ୟାରୋକିବା, ଲିଙ୍ଗଗତ ବୈଷମ୍ୟ ଦୂରେଇବା, ଶିଶୁକନ୍ୟାଙ୍କ ଶିକ୍ଷା, ପୁଷ୍ଟି, ସ୍ୱାସ୍ଥ୍ୟ, ଆଇନ୍ଗତ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ବିରୁଦ୍ଧରେ ଦେଖା ଓ ଲିଙ୍ଗଗତ ବୈଷମ୍ୟ, ହିଂସା, ବାଲ୍ୟବିବାହ ପ୍ରଥା ରୋକିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୧ ଅକ୍ଟୋବରକୁ ଆନ୍ତଜାତିକ କନ୍ୟା ଶିଶୁ ଦିବସ ରୂପେ ୨୦୧୨ ଠାରୁ ପାଳିତ ହେଉଛି । ଏହି ଅବସରର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛ । ଆସନ୍ତୁ ଲିୠତ ପାର୍ଥକ୍ୟ ଭୂଲିଯିବା । କନ୍ୟାଟିଏ ନୁହେଁ, ଆଗାମୀ କାଲିର ଈଶ୍ୱରୀଙ୍କ ସ୍ଥିତିପାଇଁ ଯତ୍ନବାନ ହେବା ।
ଅଧ୍ୟକ୍ଷ,
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮