ବାଗଦେବୀ କଳାମନ୍ଦିର ପକ୍ଷରୁ କଣ୍ଠଶିଳ୍ପୀ ସସ୍ମିତା ସ୍ୱାଇଁଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତ ଅନ୍ତର୍ଗତ ହରିଡାଦଣ୍ଡା ଗ୍ରାମର ବିଶିଷ୍ଟ କଣ୍ଠଶିଳ୍ପୀ ସସ୍ମିତା ସ୍ୱାଇଁଙ୍କ ଏକାଦଶାହରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ସଂଗୀତ ନିର୍ଦେଶକ ରଞ୍ଜନ ବେହୁରା, ଜିଲ୍ଲା କଳାକାର ସାମ୍ମୁଖ୍ୟ ସମ୍ପାଦକ ମହେଶ ପାଢୀ, ପୂର୍ବତନ ଭରତପୁର ସରପଞ୍ଚ ପ୍ରସନ୍ନ କୁମାର ମଲ୍ଲିକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତା ସ୍ୱାଇଁଙ୍କ କଳା କ୍ଷେତ୍ରରେ ଥିବା ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତା ସ୍ୱାଇଁ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିରର ଜଣେ ସଫଳ ଗାୟୀକା ଭାବେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ମଞ୍ଚରେ ସଂଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇପାରି ଥିଲେ । ଏହି ଅବସରରେ ତାଙ୍କ ସ୍ମୃତିରେ ସସ୍ମୀତା ଶୀର୍ଷକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ ସୁଶିଲ କୁମାର ସୁତାର, ବିନାୟକ ସୁତାର, ଟୁକୁନା ପାତ୍ର, ସୈାଭାଗିନୀ ମହାପାତ୍ର, ପୂର୍ଣ୍ଣିମା ଦାଶ, ରୋଜାଲିନ ମହାନ୍ତି, ହିମାଂଶୁ ଶେଖର କର, ପ୍ରଶାନ୍ତ କୁମାର ମଣ୍ଡଳ, ବୋନସ ଦାସ ପ୍ରମୁଖ ହୃଦୟସ୍ପର୍ଶୀ ସଂଗୀତ ପରିବେଷଣ କରି ଶୋକାକୁଳ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ସେହି ଗ୍ରାମର ଅଜିତ ସାମଲ, ବିନାୟକ ସାମଲ, ସ୍ୱର୍ଗତା ସାମଲଙ୍କ ସ୍ୱାମୀ ତପନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସସ୍ମିତାଙ୍କ ଏକମାତ୍ର ଝିଅ ସାଇନୀ ତୁଷାରିକା ସାମଲକୁ ସମସ୍ତେ ଆଶ୍ରିର୍ବାଦ କରିଥିଲେ ।