ବାଘୁଆ ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀ ମୃତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ (୩୩) ଙ୍କ ରାଇରଙ୍ଗପୁର ମହୁଲଡିହାସ୍ଥ ସରକାରୀ ବାସଭବନ ସମ୍ମୁଖରେ ବାଘୁଆ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାଯାଇଛି. ସୂଚନାଯୋଗ୍ୟ ତିରିଂ ବ୍ଳକ ସେକ୍ସନର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ଆଜି ପୂର୍ବାହ୍ନ ୮.୪୫ ପାଖାପାଖି ସମୟରେ ରାଇରଙ୍ଗପୁରସ୍ଥ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ଯ୍ୟସ୍ଥଳକୁ ଯିବାକୁ ବାହାରିଥିଲେ. ହଠାତ୍ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ କୃଷ୍ଣଚୂଡା ଗଛରେ ବହୁ ସଂଖ୍ୟାରେ ବସାବାନ୍ଧି ଥିବା ବାଘୁଆ ମହୁମାଛି ମାନେ ତାଙ୍କୁ ହଠାତ ଆକ୍ରମଣ କରିଥିଲେ. ମହୁମାଛି ଆକ୍ରମଣରେ ସେ ଇତସ୍ତତ ହୋଇ ଅଚେତ ହୋଇ ବାନ୍ତି କରି ପଡ଼ିଯାଇଥିଲେ. ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା. ତେବେ ଚିକିତ୍ସାଧୀନ ଅବସ୍ଥାରେ ଦିନ ୧୦ ଟା ପାଖାପାଖି ସମୟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ଏବଂ ଡାକ୍ତର ମୃତ ଘୋଷଣା କରିଥିଲେ. ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ଡିପ୍ଲୋମା ଇଞ୍ଜିନିୟର ସଂଘର କାର୍ଯ୍ୟକର୍ତ୍ତା ମଧ୍ଯରେ ଶୋକରେ ଛାୟା ଖେଳିଯାଇଛି. ଆରଡ଼ି ବିଭାଗର ସୁପରିଣ୍ଟେଡେଣ୍ଟ ଇଞ୍ଜିନିୟର, ବିଭାଗୀୟ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ