ବାଙ୍ଗୋର ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ସେବା ସମବାୟ ସମିତି ପକ୍ଷରୁ ବାଙ୍ଗୋର ଠାରେ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତିର ସମ୍ପାଦକ ସୁଶାନ୍ତ କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ପେଡି କମିଟିର ସଭାପତି ରଣଜିତ ଗିରି, ବ୍ୟାଙ୍କ ସୁପର ଭାଇଜର ସୁରେଶ ଚନ୍ଦ୍ର ପେଡା, ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଅଙ୍କିତା ପଢ଼ିଆରୀ, ପଶୁଧନ ନିରୀକ୍ଷିକା ସସ୍ମିତା ମହାନ୍ତ, ସମାଜସେବୀ ଚକ୍ରଧର ପଣ୍ଡା, ଗୋପାଳକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାପରେ କୁନି କୁନି ଛାତୀ ମାନଙ୍କ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସମିତିର ସମ୍ପାଦକ ସୁଶାନ୍ତ କୁମାର ମହାରଣା କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସମିତିର ସଦସ୍ୟ ଓ ସମିତିର ଋଣ କାରବାର ସମ୍ପର୍କରେ ସୁଚନା ଦେଇଥିଲେ । ଚାଷୀମାନେ ସମିତିରୁ କପରି ବିଭିନ୍ନ ଚାଷ ସମ୍ବନ୍ଧୀୟ ଋଣ ନେଇ ଆତ୍ମନିର୍ଭରଶୀଳ ହେବେ ସେନେଇ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷକରି ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଫାଇଦା ପାଇପାରିବେ ସେନେଇ ଆଲୋକପାତ କରିଥିଲେ । ଏଥିରେ ସମିତିର ଶତାଧିକ ଚାଷୀ ଯୋଗଦେଇ ନିଜ ନିଜର ଆଭିମୁଖ୍ୟ ରଖିଥିଲେ । ସମିତିର କର୍ମଚାରୀ ବିକାଶ ରଞ୍ଜନ ସାହୁ, ଶ୍ରୀକାନ୍ତ କୁମାର ସାହୁ, ମନମୋହନ ପେଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।