ବାଜିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢି ସାରା ରାଜ୍ୟରେ ଅନୁଷ୍ଠିତ ହୋବକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଚୁଡ଼ାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି । ଚଳିତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ସକାଶେ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନଙ୍କୁ ସ୍ପଷ୍ଠ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଚଳିତ ମାସ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାଥୀ ଓ ସେହି ଦିନ ହିଁ ପ୍ରକାଶ ପାଇବ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା । ସମଗ୍ର ରାଜ୍ୟରେ ଫେବୃୟାରୀ ୧୬ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ । ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କୋଭିଡ଼ କଟକଣାକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢି । ଖାସ୍ କରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ରୋଡ଼୍ ସୋରେ କରାଯିବ । କରୋନା କଟକଣା ଯୋଗୁଁ ନିର୍ବାଚନ ରାଲିକୁ ଅନୁମତି ଦିଆଯିବ ନାହିଁ । ସେହିଭଳି ରୋଡ଼୍ ସୋ ଉପରେ ରୋକ୍ ଲଗାଯାଇଥିବା ବେଳେ କେବଳ କେବଳ ୫ ଜଣଙ୍କୁ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । ନିର୍ବାଚନ ନିର୍ଦ୍ଦେଶନାମା ଅନୁଯାୟୀ ଗୁରୁବାର ହିଞ୍ଜିଳି ବ୍ଳକ ପକ୍ଷରୁ ବିଧିବଦ୍ଧ ଭାବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଛି । ହିଞ୍ଜିଳି ବ୍ଳକର ୨୧ଟି ସରପଞ୍ଚ, ୨୧ ସମିତି ମେମ୍ବର, ୩ ଜିଲ୍ଲା ପରିଷଦ ସଭ୍ୟ (୬୭,୬. ୬୯ ନଂ ଜୋନ୍‌) ଓ ୩୦୭ ୱାଡ଼ ମେମ୍ବେର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୱାର୍ଡ଼ ମେମ୍ବର ପାଇଁ ୱାର୍ଡ଼ ୱାରୀ ଭୋଟର ତାଲିକାରେ ନାମ ସଂଯୋଗ ଥିବା ପ୍ରାର୍ଥୀ ଅଂଶ ଗ୍ରହଣ କରିପାରିବେ । ସରପଞ୍ଚ ପଦବୀ ସକାଶେ ପଞ୍ଚାୟତ ଭୋଟର ତାଲିକାରେ ନାମ ସଂଯୋଗ ଥିବା ଆବଶ୍ୟକ ଅଟେ । ବ୍ଳକ ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତି ସମିତି ମେମ୍ବର ପାଇଁ ପ୍ରତିଦ୍ୱନ୍ଦିତା କରିପାରିବେ । ସେହିପରି ଜିଲ୍ଲାସ୍ତରୀୟ ଭୋଟ ତାଲିକାରେ ନାମ ସଂଯୋଗ ଥିବା ବ୍ୟକ୍ତି ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲା କରିପାରିବେ । ୱାର୍ଡ଼ ମେମ୍ବର, ସରପଞ୍ଚ ପଦବୀ ପାଇଁ ଚିଠି ସଂଖ୍ୟା ୨୪୬/୧୧.୦୧.୨୦୨୨, ସମିତି ମେମ୍ବର ପଦବୀ ପାଇଁ ଚିଠି ସଂଖ୍ୟା ୨୬୦/୧୧.୦୧.୨୦୨୨ ଓ ଜିଲ୍ଲା ପରିଷଦ ପଦବୀ ସକାଶେ ଚିଠି ସଂଖ୍ୟା ୨୭୪/୧୧.୦୧.୨୦୨୨ରେ ସପୁର୍ଣ୍ଣ ବିବରଣୀ ଉଲ୍ଲେଖ କରାଯାଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଞ୍ଜିଳି ବ୍ଳକରେ ସମୁଦାୟ ୯୮ ହଜାର ୨୨୪ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୫୧ ହଜାର ୭୯୦ ମହିଳା, ୪୬ ହଜାର୪୨୨ ପୁରୁଷ ଓ ୧୨ ଜଣ ତୃତୀୟ ଲିଙ୍ଗ ସୋମନଙ୍କ ମତଦାନ ସାବ୍ୟସ୍ତ କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ସମେତ ୨୧ ଜଣ ରିଟର୍ଣ୍ଣ ଅଧିକାରୀ ନିର୍ବାଚନ ପରିଚାଳନା ଦାୟିତ୍ୱ ନିର୍ବାହ କରିବେ ବୋଲି ସୂଚନା ମିଳିଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ଏବଂ ପ୍ରଶାସନିକ ନର୍ଦ୍ଦେଶ ଅନୁଯାୟୀ ସଂପନ୍ନ କରିବା ସକାଶେ ବ୍ଳକ ନିର୍ବାଚନ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ