ବାଣ ଭିଡୁଥିବା ବେଳେ ବିଷ୍ଫୋରଣରେ ଜଣେ ମୃତ, ଜଣେ ଗୁରୁତର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦୀପାବଳିରେ ବାଣ ଭିଡୁଥିବା ବେଳେ ବାଣ ବିଷ୍ପୋରଣ ହେବାରୁ ସେଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଯମଧର ପଞ୍ଚାୟତର ଜୁଇଦାସପୁର ଗ୍ରାମରେ ଏହି ଅଘଟଣ ଘଟିଥିଲା । ବାଣ ଭିଡୁଥିବା ବେଳେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାଣ କିଣିବାକୁ ଆସିଥିବା ଜଣେ ଯୁବ ଇଞ୍ଜିନିଅର ଚିନ୍ମୟ ବରାଳ(୨୫) ଗୁରୁତର ଆହତ ହୋଇଛନ୍ତି । ବିଷ୍ଫୋରଣର ଶବ୍ଦ ଏତେ ଯୋରରେ ହୋଇଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଥିଲେ । ଖବର ଅନୁଯାଇ ଦୀପାବଳି ଅମାବାସ୍ୟାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୃଷ୍ଣଚନ୍ଦ୍ର ବାଣ ଭିଡିବା ପାଇଁ ବାରୁଦ ଓ ଅନ୍ୟାନ୍ୟ ସାମଗ୍ରୀ ଏକାଠି କରିଥିଲେ । ଏହାପରେ ଏହି ସାମଗ୍ରୀରେ ଉଚ୍ଚ ଶବ୍ଦ କରିବା ଭଳି ବାଣ ଭିଡୁଥିଲେ । ବାଣ କିଣିବା ପାଇଁ ପୂର୍ବରୁ ବରାଦ ଦେଇଥିଲେ ଚିନ୍ମୟ । କୃଷ୍ଣ ଚିନ୍ମୟଙ୍କୁ ସନ୍ଧ୍ୟା ୭ଟା ସମୟରେ ତାଙ୍କ ଘରକୁ ଆସିବା ପାଇଁ କହିଥିଲେ । ଫଳରେ ଠିକ ସମୟରେ ଚିନ୍ମୟ କୃଷ୍ଣଙ୍କ ଘରକୁ ବାଣ ନେବା ପାଇଁ ଯାଇଥିଲେ । ସେ କୃଷ୍ଣଙ୍କ ନିକଟରେ ପହଞ୍ଚିବା ପରେ କୃଷ୍ଣ କିଛି ସମୟ ପାଇଁ ଅପେକ୍ଷା କରିବାକୁ କହିଲେ । ଏହି ସମୟରେ କୃଷ୍ଣ ଭିଡୁଥିବା ବାଣଟି ହଠାତ ବିଷ୍ଫୋରଣ ହୋଇଥିଲା । ଏହି ବିଷ୍ଫୋରଣରେ କୃଷ୍ଣ ଯେଉଁ ଚାଳ ଛପର ଘରେ ବାଣ ଭିଡୁଥିଲେ ତାହା ସଂପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ କୃଷ୍ଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଚିନ୍ମୟଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୃଷ୍ଣଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର କୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ । ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।