ବାତ୍ୟା “ଦାନା” ପାଇଁ ବ୍ୟାପକ ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା “ଦାନା” ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାର ୧୩ଟି ବ୍ଲକ ମଧ୍ୟରୁ ହାଟଡିହି, ଆନନ୍ଦପୁର ଓ ଘସିପୁରା ବ୍ଲକରେ ଏହି ବାତ୍ୟାର ଅଧିକ ପ୍ରଭାବକୁ ନେଇ ଅଧିକାରୀ ମାନେ ଏଠାକାର ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷିରେ ହାଟଡିହି ବ୍ଲକର ୧୦ଟି ପଞ୍ଚାୟତରେ ୧୮ଟି ବାତ୍ୟା ଅସ୍ଥାୟୀ ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗ ଭୂଷଣ। ସେ ଆଜି ବ୍ଲକ କାର୍ଯ୍ୟାଳୟ ରେ ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଆମ୍ବୋ ପଞ୍ଚାୟତର କରଗୋଳା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହିତ, ଏଥିରେ ଲୋକଙ୍କ ପାଇଁ ପାନୀୟଜଳ, ବିଦ୍ୟୁତ୍ , ଶୌଚ ସୁବିଧା କରିବାକୁ ହାଟଡିହି ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲାପାଳ ବିଶାଲ ସିଂହ ମଧ୍ୟ ଆନନ୍ଦପୁରରେ ପହଞ୍ଚି ବାତ୍ୟା ମୁକାବିଲା ପାଇଁ ୩ଟି ବ୍ଲକର ବିଡ଼ିଓ, ତହସିଲଦାର ଓ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି l ଆସନ୍ତା ୨୪ ଓ ୨୫ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଓ ରେଡ୍ ୱାଣ୍ଣିଙ୍ଗ୍ ଜାରି କରାଯାଇଛି । ଏଥିପାଇଁ ଜିଲ୍ଲାର ୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି । ଏଥିସହ, ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ୨୪୦ଟି ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ରୂପାନ୍ତରିତ କରାଯାଇଛି। ଏସବୁ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ବିଦ୍ୟୁତ୍, ନବଜାତ ଶିଶୁ ଓ ଗର୍ଭବତୀ ଓ କ୍ଷୀର ଖୁଆଉ ଥିବା ମାଙ୍କ ପାଇଁ ଖାଦ୍ୟ, ଆଶୁ ଚିକିତ୍ସା ଔଷଧ ମହଜୁଦ ରଖାଯାଇଛି। ଆନନ୍ଦପୁରଠାରେ NDRFର ୩୧ଜଣ ଜୱାନ୍, ୩ଜଣ ଅଫିସର୍ ଓ ୧୫ଟି ଅଗ୍ନିଶମ ବାହିନୀ ସଜାଗ ଅଛନ୍ତି । ୯୫୯ ଜଣ ଗର୍ଭବତୀ ମହିଳାଙ୍କୁ ଡ଼ାକ୍ତରଖାନା ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ୍ ସରବରାହ ସାମାନ୍ୟ କରିବା ପାଇଁ ୯୮ଟି ଟିମ୍ ପ୍ରସ୍ତୁତ ଅଛନ୍ତି। ଟେଲିଫୋନ୍ ବ୍ୟବସ୍ଥା ଅବ୍ୟାହତ ରଖିବା ପାଇଁ ଗୋଟିଏ ବୈଷୟିକ ଦଳ ସଜାଗ ଅଛନ୍ତି । ୧୮୧୫ଟି ପଲିଥିନ୍ ପ୍ୟାକେଟ୍ ମହଜୁଦ ଅଛି I ସ୍ୱାସ୍ଥ୍ୟସେବା ପାଇଁ ୩୨, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ୧୩, ପେଟ୍ରୋଲ୍ ପମ୍ପରେ ୧୬୦, ପୋଲିସ ଷ୍ଟେସନ୍ ରେ ୪ ଓ ନଗରପାଳିକା ନିକଟରେ ୫ଟି DG Set ମହଜୁଦ ଥିବା ଯୋଗୁଁ ପୁନଃ ବିଦ୍ୟୁତ୍ ସଂଯୋଗ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।