ବାତ୍ୟା ପାଇଁ ଦୁଇ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କଲା ବ୍ଲକ ପ୍ରଶାସନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ବାତ୍ୟା ଦାନା ଓ ପରବର୍ତ୍ତୀ ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ପାହାଡିଆ ଦୁର୍ଗମ ଅଞ୍ଚଳରେ ବସ ବାସ କରୁଥିବା ଜନଜାତି ପୁରୁଷ,ମହିଳା ଓ ଶିଶୁ ମାନଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତର ଗୋଛାପାଟ ଏବଂ ଦାଦ୍ରୁମା ଗ୍ରାମ ପାହାଡ଼ ଉପରେ ରହିଥିବା ବେଳେ ଏଠାରେ ଉଭୟ ଗ୍ରାମର ୩୦ ରୁ ଉର୍ଦ୍ଧ୍ୱ ପରିବାର ବସ ବାସ କରି ଆସୁଛନ୍ତି । ଉଭୟ ଗ୍ରାମକୁ ଯିବାକୁ ହେଲେ ଗମନାଗମନର କୈାଣସି ସୁବିଧା ନଥିବା ହେତୁ ଗ୍ରାମବାସୀ ମାନେ ଦୀର୍ଘ ୧୧ କିଲୋମିଟର ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯାଇଥାନ୍ତି । ବାତ୍ୟା ଓ ପରବର୍ତ୍ତୀ ବର୍ଷା କୁ ଦୃଷ୍ଟିରେ ରଖି ବ୍ଳକ ପ୍ରଶାସନ ଉକ୍ତ ଦୁଇଟି ଗ୍ରାମରେ ପହଞ୍ଚି ଲୋକଙ୍କୁ ନିକଟସ୍ଥ ଘାସିଆମ୍ବ ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ବାତ୍ୟା ମୁକାବିଲା ନିମନ୍ତେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସଜାଗ ଥିବା ବେଳେ ବ୍ଳକରେ ସମୁଦାୟ ୩ ଟି ବାତ୍ୟା ଆଶ୍ରୟସ୍ଥଳୀ , ୪୦ ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ କୁ ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳୀ ବିଦ୍ୟାଳୟ ମାନଙ୍କରେ ଆଶ୍ରୟ ନେଉଥିବା ଲୋକଙ୍କୁ ସମ୍ପୃକ୍ତ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଦିଆଯାଇଛି । ଦିଗପହଣ୍ଡି ତହସିଲଦାର ଅନୀତା ସାହୁ , ଭାରପ୍ରାପ୍ତ ବ୍ଳକ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର , ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରାଜୀବ ଚନ୍ଦ୍ର ପ୍ରଧାନ , ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୁଲତା ବେହେରା , ଯୋଗାଣ ସହାୟକ ଶଙ୍କର ପଟ୍ଟନାୟକ , ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ନାୟକ , ସମିତି ସଭ୍ୟ ଶୈଳ ବେହେରା , ସରପଞ୍ଚ ପ୍ରତିନିଧି ଶ୍ଯାମ ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା ପ୍ରମୁଖ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିଥିବା ସମସ୍ତ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି ।