ବାତ୍ୟା ପୂର୍ବ-ପ୍ରସ୍ତୁତି ନିରୀକ୍ଷଣ କଲେ ବିନୀତ ଭରଦ୍ୱାଜ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜକୁ ବାତ୍ୟା ଦାନାର ପ୍ରଭାବ ପାଣିପାଗ ବିଭାଗ ଦ୍ୱାରା ଆକଳନ କରାଯାଇଥିବା ବେଳେ, ରାଜ୍ୟ ସରକାର ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେଇ ଏହି ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା ନିମନ୍ତେ ଓ ବାତ୍ୟା ସମୟର ସୁରମ୍ୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ନିର୍ଦ୍ଦେଶକ ଓ ଅତିରିକ୍ତ ସଚିବ, ପଞ୍ଚାୟତିରାଜ ଓ ପାନୀୟଜଳ, ସ୍ୱଚ୍ଛତା ବିଭାଗ, ବିନୀତ ଭରଦ୍ୱାଜଙ୍କୁ ଦାୟିତ୍ୱ ଦେଇଛନ୍ତି। ମୟୂରଭଞ୍ଜରେ ୨୪ ତାରିଖ ଠାରୁ ଭୀଷଣ ବର୍ଷ ସହିତ ୬୦ ରୁ ୭୦ କି.ମି ବେଗରେ ପବନ ବହିବାର ଆଶଙ୍କା କରା ଯାଉଥିବା ବେଳେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ମଝିରେ ହେବାର ପୂର୍ବାନୁମାନ ମଧ୍ୟ କରା ଯାଉଛି। ଯାହା ଫଳରେ, ମୟୂରଭଞ୍ଜର ଦୁଇଟି ଉପଖଣ୍ଡ, ବାରିପଦା ଏବଂ କପ୍ତିପଦାର ବିଭିନ୍ନ ଅଂଚଳ ପ୍ରଭାବିତ ହେବାର ମଧ୍ୟ ଆକଳନ କରା ଯାଉଛି। ଏଣୁ ଏହି ପରିପ୍ରେକ୍ଷୀରେ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜରୁରୀକାଳୀନ ଅଧିକାରୀଙ୍କୁ ନେଇ ବୈଠକ କରାଯାଇଥିଲା। ଏହି ବୈଠକରେ ସମସ୍ତ ଉପଜିଲ୍ଲାପାଳ ଓ ବିଡ଼ିଓ ମାନେ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ବର୍ତମାନ ସୁଦ୍ଧା ହୋଇଥିବା ସମସ୍ତ କାର୍ଯ୍ୟାବଳୀର ବିବରଣୀ, ସମସ୍ତ ଅଧିକାରୀଙ୍କ ଠାରୁ ଶୁଣିଥିବା ବେଳେ ସମସ୍ତ କାର୍ଯ୍ୟକୁ ଶୀଘ୍ର ଓ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ ପବନର ବେଗ ୯୦ କି.ମି ପ୍ରତି ଘଣ୍ଟା ରହିବ ଏଣୁ ଏଥିନିମନ୍ତେ ସ୍ଥାନାନ୍ତରୀକରଣ କାର୍ଯ୍ୟକୁ ବିଶେଷ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ। ଏହି କାର୍ଯ୍ୟକୁ ପ୍ରଖର କରିବା ପାଇଁ ପୋଲିସ ବିଭାଗ ସହିତ ପୂର୍ତ୍ତ ବିଭାଗ, ଅଗ୍ନିଶମ, ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ଟିମ ଗଠନ କରି ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ଅଂଚଳରେ କାର୍ଯ୍ୟକରିବାକୁ ଭରଦ୍ୱାଜ ନିର୍ଦ୍ଦେଶ ଦେଇଥିଲେ।