ବାତ୍ୟା ପ୍ରଭାବିତ ପିଲାମାନଙ୍କୁ ଏନ୍ଡିଡିବି ଦୁଗ୍ଧର ଟେଟ୍ରାପ୍ୟାକ ପ୍ରଦାନ
ଭୁବନେଶ୍ୱର (ଯୁଗାଦ୍ଦ ନ୍ୟୁଜ) : ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ଜୀବନକୁ ପୁନଃନିର୍ମାଣ କରିବା ପାଇଁ ରାଷ୍ଟ୍ରୀୟ ଡାଇରୀ ବିକାଶ ବୋର୍ଡ (ଏନ୍ଡିଡିବି), ରାଜ୍ୟ ସରକାର ଏବଂ ଓମ୍ଫେଡ ସହ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ।
ଏନ୍ଡିଡିବି ର ଅଧ୍ୟକ୍ଷ ଶ୍ରୀ ଦିଲୀପ ରଥ କହିଛନ୍ତି ଯେ ଏନ୍ଡିଡିବି ଆସନ୍ତା ୨ସପ୍ତାହ ମଧ୍ୟରେ ଓଡ଼ିଶାର ସବୁଠାରୁ ବ୍ୟାପକ କ୍ଷତି ହୋଇଥିବା ପୁରୀ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରର ପିଲାମାନଙ୍କୁ ୨୦୦ ମି.ଲି. ର ପ୍ରାୟ ୫ ଲକ୍ଷ ଆସ୍ୱାଦିତ ଦୁଗ୍ଧର ଟେଟ୍ରାପ୍ୟାକ ଅନୁଦାନରେ ଦେବ । ଏଥିପାଇଁ ଏନ୍ଡିଡିବି ର ଅଧିକାରୀ ମାନେ ଓମ୍ଫେଡ, ପୁରୀ ଜିଲ୍ଲା ଦୁଗ୍ଧ ସଂଘ, ପୁରୀ ଜିଲ୍ଲା କଲେକ୍ଟର ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ବନାଇ କାର୍ଯ୍ୟକରୁଛନ୍ତି ।
ଫନି ବାତ୍ୟାର ବିଶାଳତା କୁ ବିଚାର କରି ଏନ୍ଡିଡିବି ର ସମସ୍ତ କର୍ମଚାରୀମାନେ ମଧ୍ୟ ସେଚ୍ଛାକୃତ ଭାବେ ନିଜର ମାସିକ ଦରମାରୁ କିଡ଼ି ଅଂଶ ଦେଇ ପାଖାପାଖି ୮ଲକ୍ଷ ଟଙ୍କା ସଂଗ୍ରହ କରି ଓଡ଼ିଶାର କ୍ଷ୍ୟତିଗ୍ରସ୍ତ ଲୋକମାନଙ୍କ ପାଇଁ ଦାନ କରିଛନ୍ତି ।
ଓଡ଼ିଶାର ଦୁଗ୍ଧ ଉତ୍ପାଦକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏନ୍ଡିଡିବି ନିରନ୍ତର ଭାବେ ଓମଫେଡ କୁ ଅଭିନବ କାର୍ଯ୍ୟ କୌଶଳ ମାଧ୍ୟମରେ ମାର୍ଗଦର୍ଶନ ଏବଂ ସହାୟତା କରିଆସୁଛି । ୨୦୦୨-୦୩ ରେ ଓମଫେଡ ର ଦୁଗ୍ଧ ସଂଗ୍ରହ ହାରାହାରି ୧୦୬.୬ ଟନ କେଜି ପ୍ରତିଦିନ ଥିଲା । ଯାହା ଏବେ ୨୦୧୮-୧୯ ରେ ୪ଗୁଣ ବଢି ୪୯୧.୮ଟନ୍ କେଜି ପ୍ରତିଦିନରେ ପହଞ୍ଚି ପାରିଛି । ବର୍ଷ ୨୦୧୭-୧୮ ରେ ଓମଫେଡ ର ୧୬ କୋଟି ଟଙ୍କା ଲାଭ ହୋଇଛି ଯାହାକି ବିଗତ ୧୦ବର୍ଷ ମଧ୍ୟରେ ସର୍ବାଧିକ ।
ଓଡ଼ିଶାରେ ମୁଲ୍ୟବର୍ଦ୍ଧିତ ଦୁଗ୍ଧଜାତ ଦ୍ରବ୍ୟ ମାନଙ୍କ ଚାହିଦାକୁ ଲକ୍ଷ କରି ନିକଟରେ ଏନ୍ଡିଡିବି ର ସମ୍ପୁର୍ଣ୍ଣ ସହାୟକ ସଂସ୍ଥା ଆଇଡିଏମ୍ସି ଲିଃ., ଓମଫେଡ ପାଇଁ ସମ୍ବଲପୁର ଡାଇରୀ ଏବଂ ଭବାନିପାଟନା ଡାଇରୀରେ
୩୦୦୦ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଆଇସ୍କ୍ରିମ ପ୍ଲାଣ୍ଟ ସ୍ଥାପନ କରିଛି । ବର୍ତ୍ତମାନ କଟକର ଅରିଲୋ ଗୋବିନ୍ଦପୁର ଠାରେ ୨୪୨ କୋଟି ଟଙ୍କା ବ୍ୟୟରେ ଏନ୍ଡିଡିବି ପ୍ରତିଦିନ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଏବଂ ସ୍ୱୟଂ ଚାଳିତ ଦୁଗ୍ଧ ପକ୍ରିୟାକରଣ ଡାଇରୀ ପ୍ଲାଣ୍ଟ ସ୍ଥାପନ କରୁଛି ଯେଉଁଥିରେ ତରଳ ଦୁଗ୍ଧ ପକ୍ରିୟାକରଣ ଏବଂ ପ୍ୟାକିଙ୍ଗ, ୟୁଏଚ୍ଟି ଓ ଗୁଣ୍ଡ ଦୁଗ୍ଧ ପ୍ରସ୍ତୁତି ପ୍ଲାଣ୍ଟ, ଲହୁଣି ପ୍ରସ୍ତୁତି ଏବଂ ପ୍ୟାକିଙ୍ଗ ଅମ୍ଳଯୁକ୍ତ ପାନୀୟ ଯେପରିକି ବଟର ମିଲ୍କ, ଲସି, ଆସ୍ୱାଦିତ ଦୁଗ୍ଧ ଆଦି ପ୍ରସ୍ତୁତି ଏବଂ ପ୍ୟାକିଙ୍ଗ ହୋଇ ପାରିବ । ଏହା ଛଡା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ସ୍ଥିତ ଜଗନ୍ନାଥପୁରରେ ଏନ୍ଡିଡିବି ଏକ ୧୫୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଖାଦ୍ୟ ପ୍ଲାଣ୍ଟ ସ୍ଥାପନ କରିଛି ।


