ବାପାଙ୍କ ଲାଗି ନିଜ ଲିଭର୍ର ୬୫% ଦାନ କଲେ ଝିଅ
ପରିବାରର ଖୁସି ଲାଗି ଝିଅଟିଏ କିଛି ବି କରିପାରେ । ବିଶେଷ କରି ମା’ବାପାଙ୍କ ମଧ୍ୟରୁ ବାପାଙ୍କ ଅତି ନିକଟତର ଥାଏ ଝିଅ । ପୂର୍ବରୁ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଥିବାବେଳେ ଏବେ କୋଲ୍କାତାର ଜଣେ ୧୯ ବର୍ଷୀୟା ଝିଅ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ରାକ୍ଷୀ ଦତ୍ତା ବାପାଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଲିଭର୍(ଯକୃତ)ର ୬୫% ଦାନ କରିଛନ୍ତି । ଏହାକୁ ନେଇ କିଛି ଫଟୋ ସାସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କର ଏଭଳି କାମ ଅନେକଙ୍କୁ ଭାବବିହ୍ୱଳ କରିବା ସହ ଝିଅମାନେ ଅମୂଲ୍ୟ ବୋଲି ଅନେକେ ମତ ରଖୁଛନ୍ତି ।
ଚଳିତ ମାସ ୧୮ ତାରିଖରେ ବ୍ୟବସାୟୀ ହର୍ଷ ଗାଏଙ୍କା ଟୁଇଟରରେ ଏ ନେଇ ଏକ ଫଟୋ ଶେୟାର କରିଥିଲେ । ଫଟୋଟିରେ ରାକ୍ଷୀ ଓ ତାଙ୍କ ବାପାଙ୍କ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା । ଏଥିସହ ହର୍ଷ ଲେଖିଥିଲେ ଯେ, ଏପରି କରିବା ଦ୍ୱାରା ରାକ୍ଷୀଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିପାରେ । ସେ ନିଜର କଟାଦାଗ, କଷ୍ଟ ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଭ୍ରୂକ୍ଷେପ ନ କରି ଏଭଳି କରି ଦେଖାଇଛନ୍ତି । ଏହା ଅନେକଙ୍କ ଲାଗି ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଥିଲେ । ଖୁବ୍ କମ୍ ସମୟରେ ଏହା ଭାଇରାଲ ହୋଇଥିଲା ।