ବାବୁଲି ମହାରଣାକୁ ଗୁଳିକାଣ୍ଡ ଘଟଣାରେ ୪ଗିରଫ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ନିର୍ଦେଶରେ ବାବୁଲି ଓରଫ ବିବେକାନନ୍ଦ ମହାରଣାକୁ ଗୁଳି କରାଯାଇଛି ବୋଲି ସୋମବାର ଏସପି ନୀତି ଶେଖର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ୧୩ତାରିଖ ରାତିରେ ତିନିମୁହାଣି ବଜାର କମିଟି ସଭାପତି ତଥା ଧର୍ମଜାଗରଣ ସେନାର ଜିଲ୍ଲା ସଂଯୋଜକ ବାବୁଲି ଓରଫ ବିବେକାନନ୍ଦ ମହାରଣାକୁ ଗୁଳିମାଡ ରହସ୍ୟର ପର୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ସୁବାଷ ଚନ୍ଦ୍ର ମଲ୍ଲିକଙ୍କ ପୁଅ ଆଲୋକ ମଲ୍ଲିକ(୨୨),ସେହି ଥାନା ଅନ୍ତର୍ଗତ ଚାରିଗାଁ ଗ୍ରାମର ଅମରେନ୍ଦ୍ର ମଲ୍ଲିକଙ୍କ ପୁଅ କାଳିଆ ଓରଫ ତ୍ରିଲୋଚନ ମଲ୍ଲିକ(୨୧),କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡହାଟ କୁରେସିମହଲାର ସେକ ଅବଦୁଲୱାହବଙ୍କ ପୁଅ ସେକ ସାକିର (୨୮) ଓ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନେମ୍ବରା ଗ୍ରାମର କଣ୍ଡୁରୀ ମଲ୍ଲିକଙ୍କ ପୁଅ ଶଙ୍କର ସେଠୀ(୨୯) । ସେମାନଙ୍କ ଠାରୁ ୨ଟି ବାଇକ ଓ ୪ଟି ମୋବାଇଲ ଫୋନ ପୋଲିସ ଜବତ କରିଛି । କିନ୍ତୁ ଏହି ଅଭିଯୁକ୍ତମାନେ ବାବୁଲି ମହାରଣାକୁ ଗୁଳିକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିଲେବି ତା ଉପରକଲୁ ଗୁଳି ଚଳାଇ ନଥିଲେ । ଗ୍ୟାଙ୍ଗଷ୍ଟ ର ଟିଟୋ ନିର୍ଦେଶରେ ବାବୁଲି ମହାରଣାକୁ ମାରିବାକୁ ସେକ ମେହେତାବ ଓ ସେକ କୁଦରତକୁ ସୁପାରୀ ଦିଆଯାଇଥିଲା । ଏଥି ପାଇଁ ୫ଲକ୍ଷ ଟଙ୍କାର ଡିଲ ହୋଇଥିବା ବେଳେ ୧୩ତାରିଖରେ ଅଗ୍ରୀମ ବାବଦ ଏକଲକ୍ଷ ଟଙ୍କା ଓ ୨ଟି ବନ୍ଧୁକ ଦିଆଯାଇଥିଲା । ବାବୁଲିର ଭାଇ ବିଶ୍ୱଜିତ ମହାରଣାଙ୍କ ଅଭିଯୋଗ ଅନୁଯାଇ ଗତ ୧୩ ତାରିଖ ରାତି ପ୍ରାୟ ୮ଟା ୫୦ ମିନିଟ ସମୟରେ ତିନିମୁହାଣି ବଜାର କମିଟି ସଭାପତି ତଥା ଧର୍ମ ଜାଗରଣ ସେନାର ଜିଲ୍ଲା ସଂଯୋଜକ ବିବେକାନନ୍ଦ ମହାରଣା ବୁଲେଟରେ ତାଙ୍କର ଟ୍ରାକ୍ଟର ସୋରୁମରୁ ତିନିମୁହାଣି ଆସୁଥିବା ବେଳେ ତାଙ୍କ ପଛପଟୁ ଅନ୍ୟଏକ ହୋଣ୍ଡା ବାଇକରେ ଆସୁଥିବା ୨ଜଣ ଅଜଣା ଦୁର୍ବୁତ ବାବୁଲିର ବୁଲେଟକୁ ଟପିଯିବା ପରେ ବାଇକ ପଛରେ ବସିଥିବା ଦୁର୍ବୁତ ଜଣଙ୍କ ଧରିଥିବା ବନ୍ଧୁକରୁ ବାବୁଲି ମୁଣ୍ଡକୁ ଲକ୍ଷ୍ୟକରି ୨ ରାଉଣ୍ଡ ଗୁଳି ଫୁଟାଇ ଥିଲା । କିନ୍ତୁ ପ୍ରଥମ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ବେଳେ ଦ୍ୱିତୀୟ ଗୁଳିଟି ବାବୁଲି ପେଟରେ ବାଜିବାରୁ ସେ ବୁଲେଟରୁ ତଳେ ପଡିଯାଇଥିଲା । ବନ୍ଧୁକ ଚାଳନା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୁତ ୨ଜଣ ଟିଟୋକୁ ଚ୍ୟାଲେଞ୍ଜ ଦେଲେ ବାବୁଲିର ପରିବାରକୁ ମଧ୍ୟ ଏହିଭଳି ଘଟଣାର ସମ୍ମୁଖିନ ହେବାକୁ ପଡିବ ବୋଲି ଧମକ ଦେଇ ସେଠାରୁ ପଳାଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାବୁଲିକୁ ପ୍ରଥମେ କେନ୍ଦ୍ରାପଡା ଡାକ୍ତରଖାନା ଓ ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବାବୁଲି ଯୋଗୁ ଗ୍ୟାଙ୍ଗଷ୍ଟର ଟିଟୋର ବେଆଇନ ଭାବେ ଚାଲିଥିବା ଚିଲିଖାନା ବେପାର ଓ ବେଆଇନ ଗୋମାଂସ ଚାଲାଣରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା । ଏତଦବ୍ୟତିତ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ,ଜୀବାବୁ ଓରଫ ସୟଦ ଅସଫାକ ଅଲ୍ଲୀ ଏବଂ ଚିତୋ ଓରଫ ସୟଦ ଇଫିତିକାର ଅଲ୍ଲୀକୁ କ୍ରାଇମବ୍ରାଂଚ ଏସଷ୍ଟିଏଫ ଗିରଫ କରିବା ପଛରେ ବାବୁଲିର ସହଯୋଗ ଅଛି ବୋଲି ସେମାନେ ସନ୍ଦେହ କରି ଏଥି ନିମନ୍ତେ ବାବୁଲିକୁ ଜୀବନରେ ମାରିଦେବାକୁ ଘଟଣାର ମାସକ ପୂର୍ବରୁ ଭାଷ୍କର ସିନେମାହଲ ନିକଟରେ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ତିନିଭାଇଙ୍କ ସହିତ ଟିଟୋ ଗ୍ୟାଙ୍ଗର ସଦସ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ଭବାନୀଶଙ୍କର ସାହୁ ମିଶି ବଡହାଟ କ୍ୟୁରେଶି ମହଲାର ସେକ ସାକିର,ଜଇପୁରାର ଜାନ ଓରଫ ସେକ ସରଫରାଜକୁ ବାବୁଲି ମହାରଣାଙ୍କୁ ହତ୍ୟା କରିବାକୁ ଏହି ଘଟଣାର ମାସକ ପୂର୍ବରୁ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ ଅନୁଯାଇ ଟାଉନଥାନା ଅନ୍ତର୍ଗତ ଭାଷ୍କର ସିନେମା ହଲ ନିକଟରେ ବାବୁଲି ମହାରଣାକୁ ହତ୍ୟା କରିବାକୁ ଏକ ଅପରାଧୀକ ବୈଠକ ଅନୁଷ୍ଠିତ ହୋଇଥିଲା । ୪ ଜଣ ଅଭିଯୁକ୍ତଙ୍କୁ ଆଇପିସିର ୩୦୭,୧୨୦(ବି),୩୪ ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,ସ୍ୱତନ୍ତ୍ର ସ୍କ୍ୱାର୍ଡ ଏସ.ଆଇ ପ୍ରଦୀପ୍ତ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗୁଳିମାଡ ଘଟଣାରେ ୧୨ଜଣ ସଂପୃକ୍ତ ଥିବା ବେଳେ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ