ବାରିମୂଳ ଗାନ୍ଧି ପଡିଆରେ ସର୍ବୋଦୟ ମେଳା

କେନ୍ଦ୍ରାପଡା – ମହାତ୍ମାଗାନ୍ଧୀ ଫାଉଣ୍ଡେସନ ଓ ବାପୁଜୀ ଯୁବକ ସଙ୍ଘର ମିଳିତ ଆନୁକୁଲ୍ୟରେ ଡେରାବିଶି ବ୍ଲକ ଅନ୍ତର୍ଗତ ବାରିମୂଳ ଗାନ୍ଧୀ ପଡିଆରେ ଗୁରୁବାର ପୂର୍ବାହ୍ନରେ ୭୨ତମ ସର୍ବୋଦୟ ମେଳା ଓ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ଆଇନଜୀବି ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ୧୯୩୪ ମସିହାରେ ଗାନ୍ଧିଜୀ ପଦଯାତ୍ରାରେ ଆସି ବାରିମୂଳରେ ପ୍ରଚଣ୍ଡ ଧର୍ମଯାତ୍ରା ନାମକ ସଭା କରି ଅନୁସୂଚିତ ଜାତି ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ଅଛୁଆଁ ଭେଦଭାବ ଦୂର କରିବା ନିମନ୍ତେ ଲୋକମାନଙ୍କୁ ବାର୍ତ୍ତାଦେଇ ଏଠାରେ ରାତ୍ରୀଯାପନ କରିଥିଲେ । ଏହି ଗାନ୍ଧୀପୀଠର ବିକାଶ ସହିତ ଏଠାରେ ନୂତନ ପିଢୀଙ୍କୁ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷତା କରୁଥିବା ଆଇନଜୀବି ଶ୍ରୀ ମହାପାତ୍ର କହିଥିଲେ ଯେ ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହିତ ସମାଜବାଦୀ ନେତା ବମ୍ବେର ମସାନୀ,ଲୋକସେବକ ମଣ୍ଡଳର ସଦସ୍ୟ ଲାଲା ଅଚିନ୍ତରାମଜୀ ଓ ବ୍ରିଟେନର ପ୍ରସିଦ୍ଧ ମହିଳା ଅଙ୍ଗଠା ହରିସନ(ମୀରାବେନ)ଙ୍କ ସମେତ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ବାରିମୂଳକୁ ଆସି ସଭା କରିଥିଲେ । ଗାନ୍ଧିଜୀଙ୍କ ସ୍ମୃତି ଉଦେଶ୍ୟରେ ୧୯୪୮ ମସିହା ଠାରୁ ଏଠାରେ ପ୍ରତ୍ୟେକ ବର୍ଷ ଜାନୁଆରୀମାସ ୩୦ତାରିଖରେ ସର୍ବୋଦୟ ମେଳା ଅନୁଷ୍ଠିତ ହୋଇଆସୁଛି । ଅନ୍ୟତମ ଅତିଥି ଭାବେ ଡେରାବିଶି ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ଭଜକୃଷ୍ଣ ରାଉତ, କଣ୍ଡୁରୀ ଚରଣ ପାତ୍ର, ପର୍ଶୁରାମ ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷାବୀତ ପ୍ରଣବ କୁମାର ଜେନା ସଭାକୁ ସଂଯୋଜନା କରିଥିବା ବେଳେ ସରପଂଚ ଶୁକଦେବ ବେହେରା ସ୍ୱାଗତ ଭାଷଣ ପ୍ରଦାନ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭବାନୀ ପ୍ରସାଦ ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର ମିଶ୍ର, ରାଜେଶ ପଣ୍ଡା, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନିରାକାର ମହାରଣା, ସରୋଜକାନ୍ତ ଜେନା, ପ୍ରଦ୍ୟୁମ୍ନ ପାତ୍ର, ଗିରିଧାରୀ ପାତ୍ର, ଦିଲ୍ଲିପ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ