ବାରୁଅ ଗ୍ରାମପଂଚାୟତ ସରପଂଚଙ୍କ ବିରୋଧରେ ୱାର୍ଡସଭ୍ୟ/ସଭ୍ୟାଙ୍କ ଅନାସ୍ଥା ପ୍ରସ୍ତାବ ନୋଟିସ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ଗ୍ରାମପଂଚାୟତର ସରପଂଚ ସୁଶୀଳା ରାଉତଙ୍କ ବିରୋଧରେ ମୋଟ ୨୧ଜଣ ୱାର୍ଡସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୧୭ଜଣ ୱାର୍ଡସଭ୍ୟ/ସଭ୍ୟାମାନେ ନାୟବ ସରପଂଚ ବସନ୍ତ ନାୟକ ଓ ୧୫ନମ୍ବର ୱାର୍ଡସଭ୍ୟ ଗୋବର୍ଦ୍ଦନ ଦାସଙ୍କ ନେତୃତ୍ୱରେ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ ପ୍ରଦାନ କରିଥିବା ଜଣାପଡିଛି । ଗତ ୮ତାରିଖରେ ଏହି ଉପଲକ୍ଷେ ପଂଚାୟତର ନାୟବ ସରପଂଚ ଶ୍ରୀ ନାୟକଙ୍କ ସଭାପତିତ୍ୱରେ ବାରୁଅସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ମଠ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ବାରୁଅ ପଂଚାୟତର ସରପଂଚ ଶ୍ରୀମତୀ ରାଉତଙ୍କ ମନମୁଖି ବେଆଇନ କାର୍ଯ୍ୟ ପାଇଁ ସୃଷ୍ଟି ହୋଇଥିବା ଅରାଜକତା ବାତାବରଣ ଉପରେ ଉପସ୍ଥିତ ପଂଚାୟତର ୱାର୍ଡସଭ୍ୟ/ସଭ୍ୟାମାନେ ବିଷଦ ଭାବେ ଆଲୋଚନା କରି ପ୍ରସ୍ତାବ ଗୃହିତ କରିଥିଲେ । ପ୍ରସ୍ତାବ ଗୁଡିକ ମଧ୍ୟରେ ଗତ ଏକବର୍ଷ ହେବ ପଂଚାୟତର ବୈଠକ ନବସିବା,ପଲ୍ଲିସଭା ଓ ଗ୍ରାମସଭା ଆହୁତ ନହୋଇ ପଂଚାୟତରେ ବିଭିନ୍ନ କାର୍ଯ୍ୟ କରାଯିବା,ପିଛିଲା ପଲ୍ଲିସଭାରେ ଚଂଚକତା ପୂର୍ଣ୍ଣ ଭାବେ ବର୍ତ୍ତମାନର କାର୍ଯ୍ୟ ଗୁଡିକୁ ଯୋଗ କରାଯିବା,ପଂଚାୟତକୁ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ସରକାରୀ ଚିଠିପତ୍ରକୁ ପଂଚାୟତ ବୈଠକରେ ଆଲୋଚନା କରାନଯିବା ପ୍ରଭୃତି ସରପଂଚଙ୍କ ମନମୁଖି କାର୍ଯ୍ୟକୁ ପ୍ରତିପାଦିତ କରୁଛି । ଗତ ଫନୀ ବାତ୍ୟାରେ ପଂଚାୟତକୁ ଆସିଥିବା ରିଲିଫ ସାମଗ୍ରୀ ପଂଚାୟତର ଜନସାଧାରଣଙ୍କ ମଧ୍ୟରେ ବଂଟନ କରାନଯାଇ ଏବେବି ପଂଚାୟତର ଗୋଦାମଘରେ ଖତ ଖାଇବା ସରପଂଚଙ୍କ ଅବହେଳାର ନିଦର୍ଶନ । ପଂଚାୟତରେ ଗ୍ରାମ ଆଲୋକୀକରଣ ଯୋଜନାରେ ଲଗାଯାଇଥିବା ଷ୍ଟ୍ରୀଟ ଲାଇଟରେ ବ୍ୟାପକ ଦୁର୍ନିତୀ, ଇନ୍ଦିରା ଆବାସ,ବିଜୁ ପକ୍କାଘର ଓ ମୋକୁଡିଆ ଯୋଜନାରେ ଠିକଣା ହିତାଧିକାରୀ ଚୟନ ନହେବା ଘଟଣାକୁ ତଦନ୍ତ ପରିସରଭୁକ୍ତ କରାଯାଉ । ଏହିସବୁ ଦୁର୍ନିତୀ,ବେଆଇନ,ଅବହେଳା ଓଭ୍ରଷ୍ଟାଚାର କାରଣରୁ ସରପଂଚ ଶ୍ରୀମତୀ ରାଉତଙ୍କ ଉପରୁ ଆସ୍ଥା ହରାଇ ତୁରନ୍ତ ତାଙ୍କୁ ଆଇନ ମୁତାବକ ବହିଷ୍କାର କରାଯିବା ପାଇଁ ବୈଠକରେ ଦାବୀ କରାଯାଇଛି । ବୈଠକରେ ସରପଂଚଙ୍କ ବିରୋଧରେ ଗୃହିତ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ୱାର୍ଡସଭ୍ୟ ଉମେଶ ଚନ୍ଦ୍ର ପରିଡା, ରାଜ କିଶୋର ନାୟକ, ମୀନତି ପରିଡା, ସୁକାନ୍ତି ଦାସ, ନକୁଳ ମଳିକ, ସଂଯୁକ୍ତା ବିଶ୍ୱାଳ, ରଶ୍ମିତା ମଳିକ, ସ୍ନେହଲତା ପାଳ, ପ୍ରବୀର କୁମାର ମଳିକ, ବିଦୁଲତା ସେଠୀ, ମମତା ସାମଲ, ମାନସ ପରିଡା, ରୁକ୍ମଣୀ ପରିଡା, ଗୋବର୍ଦ୍ଧନ ଦାସ, ମନୋରମା ବିଶ୍ୱାଳ ଓ ଲିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସରପଂଚ ଶ୍ରୀମତୀ ରାଉତଙ୍କ ବିରୋଧରେ କୋଟି କୋଟି ଟଙ୍କା ଆତ୍ମସାତର ଅଭିଯୋଗ ଆଣିଛନ୍ତି ୧୭ଟି ୱାର୍ଡର ୱାର୍ଡସଭ୍ୟ/ସଭ୍ୟା । ଏମଜିଏନଆରଜିଏସ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବନିକରଣ,ସ୍ୱଛଭାରତ କାର୍ଯ୍ୟକ୍ରମ,ଗୋପବନ୍ଧୁ ଗ୍ରାମୀଣ ଯୋଜନା ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ବିନା କାର୍ଯ୍ୟରେ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଏଭଳିକି କୋଭିଡ ସମୟରେ ମଧ୍ୟ ସରପଂଚ କୈାଣସି ୱାର୍ଡସଭ୍ୟ/ସଭ୍ୟାଙ୍କୁ ନଜଣାଇ ନିଜେ ସବୁ ନିମ୍ନମାନର ଉପକରଣ କିଣିଥିବା ଅଭିଯୋଗ ହୋଇଛି । ୨୧ଟି ୱାର୍ଡରେ ୮୦ଟି ନିମ୍ନମାନର ବିଦ୍ୟୁତ ବଲ୍ୱ ଲଗାଯାଇଥିବା ବେଳେ ୧୫୦ଟି ବଲ୍ୱ ଲାଗିଥିବା ଦର୍ଶାଇ ପ୍ରତ୍ୟେକ ବଲ୍ୱର ଦାମ ୧୫ହଜାର ୫ଶହ ଟଙ୍କା ଲେଖାଁଏ ବିଲ କରାଯାଇଥିବା ଅଭିଯୋଗ ହୋଇଛି । ସରପଂଚଙ୍କ ଏଭଳି ଏକଛତ୍ରବାଦ ନୀତି ବିରୋଧରେ ୱାର୍ଡସଭ୍ୟ/ସଭ୍ୟାମାନେ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଥିବା କହିଛନ୍ତି । ଯଦି ସରକାରୀ ଆଇନ ଅନୁଯାଇ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସେମାନେ ବାଧ୍ୟ ହୋଇ ସବୁଦିନ ପାଇଁ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।