ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାର ସମ୍ମିଳନୀ କକ୍ଷରେ ଆଞ୍ଚଳିକ ସାଧନକର୍ମୀମାନଙ୍କ ପାଇଁ ୫ ଦିନିଆ ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୪ଟି ବ୍ଲକରୁ ଆସିଥିବା ୧୧୨ ଜଣ ଆଞ୍ଚଳିକ ସାଧନକର୍ମୀମାନେ ଯୋଗଦାନ କରିଥିଲେ | ଏହି ଅବସରରେ ପ୍ରତିଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ଡାକୁଆ ପ୍ରଶିକ୍ଷଣ ପେଟିକାର ଆଭିମୁଖ୍ୟ ତଥା ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ଓ ଆଦ୍ୟ ଶୈଶବ ଶିକ୍ଷାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ | ଅନୁଷ୍ଠାନର ପୂର୍ବତନ ଅଧକ୍ଷ ଅନାଦି ଚରଣ ବିନ୍ଧାଣୀ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଚମ୍ପାବତୀ ହାଁସଦା, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ୱର ଘୋଷ ମହାପାତ୍ର, ସାଗର କୁମାର ଦଳନାଏକ ଓ ବଶିଷ୍ଠ କୁମାର ନାୟକ ତଥା ଶିକ୍ଷକ ପ୍ରଶିକ୍ଷିକା ଲିପିକା ଦାସ, ସାଗରିକା ମହାପାତ୍ର, ଓ ହରପ୍ରିୟା ନାୟକ ସାଧନକର୍ମୀ ଭାବରେ କର୍ମଶାଳାକୁ ସୂଚାରୁରୂପେ ପରିଚାଳନା କରିଥିଲେ | ଏହି କର୍ମଶାଳାରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷାନୀତି ଆଧାରରେ ବାଲବାଟିକାର ଗୁରୁତ୍ବକୁ ବୁଝାଇବା, ପ୍ରସ୍ତୁତ ଶ୍ରେଣୀ ପାଇଁ ବିଭିନ୍ନ ଦିଗର ବିକାଶ ଆଧାରିତ ଲକ୍ଷ୍ୟ ଗୁଡ଼ିକୁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ବୁଝାଇବା, ଶିକ୍ଷଣ ଫଳାଫଳ ସହ ଅବଗତ କରିବା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଶିକ୍ଷଣ କାର୍ଯ୍ୟ ପରିଚାଳନା ଦକ୍ଷତା ବୃଦ୍ଧି କରିବା ଓ ଶ୍ରେଣୀରେ ମାନ ନିର୍ଦ୍ଧାରଣ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା I