ବାଲିଆଘାଇ ନାଳକୁ ନେଇ ବନ୍ତଳା ଗାଁରେ ବିବାଦ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବନ୍ତଳା ଗ୍ରାମରେ ବାଲିଆଘାଇ ନାଳକୁ ନେଇ ଗାଁରେ ବିବାଦ ଦେଖା ଦେଇଛି । ଗ୍ରାମବାସୀମାନେ ଏହି ନାଳକୁ ପୁର୍ବରୁ ନିଲାମଦେଇ ନିଲାମ ଅର୍ଥରେ ଗାଁରେ ବିଭିନ୍ନ ମେଳା ମଉତ୍ସବ ସହିତ ଗରିବ ଅସହାୟଙ୍କକୁ ସହଯୋଗ କରିଆସୁଥିଲେ । ଚଳିତବର୍ଷ ଗାଁ ପକ୍ଷରୁ ଜମ୍ଭୀରା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ନିଲାମ ଦିଆଯାଇଥିଲା । ନିଲାମଧାରୀ ସେଠାରେ ଜାଲ ବିଛାଇବା ବେଳେ ସ୍ଥାନୀୟ ଚାଷୀ ନରହରି ପ୍ରଧାନ, ତାଙ୍କ ପୁଅ ପ୍ରଫୁଲ ପ୍ରଧାନ ଓ ନାରାୟଣ ପ୍ରଧାନ ପ୍ରମୁଖ ଏହାକୁ ବିରୋଧ କରିବା ସହିତ ଜାଲ ନବିଛାଇବା ପାଇଁ ଚେତାବନୀ ଦେଇଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାସହ ଉପେନ୍ଦ୍ର ଜେନା, ଭିକରୀ ସା, ଭାବଗ୍ରାହୀ ଜେନା, କାହ୍ନୁ ଚରଣ ନାୟକ, ହୃଷିକେଶ ଖୁଣ୍ଟିଆ, ନବଘନ ଜେନା, ମହେଶ୍ୱର ଜେନା, ପ୍ରକାଶ କୁମାର ନାୟକ, ରମେଶ ଜେନାଙ୍କ ସମେତ ବହୁ ଗ୍ରାମବାସୀ ଥାନାକୁ ଯାଇ ଥାନାରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନିଲାମ ବନ୍ଦ ହୋଇଗଲେ ଗ୍ରାମର ଅନେକ ସାମାଜିକ ଅନୁଷ୍ଠାନ ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚାଷୀ ନରହରି ପ୍ରଧାନ ଓ ପ୍ରଫୁଲ ପ୍ରଧାନଙ୍କ କହିବାକଥା ଯେ ଗତ କିଛିବର୍ଷ ହେଲା ସେଠାରେ ବ୍ଲକ ପକ୍ଷରୁ ମନରେଗା ଯୋଜନାରେ ଚାଷୀମାନଙ୍କ ଚାଷଜମିକୁ ଜଳସେଚନ କରିବାପାଇଁ ଚେକଡ୍ୟାମ ନିର୍ମାଣ କରାଯାଇଛି । ଯାହାଦ୍ୱାରାକି ସେଠାକାର ୩୦ରୁ ୪୦ଏକର ଚାଷଜମି ଜଳସେଚିତ ହେଉଛି । ଚାଷୀମାନେ ମରୁଡିରୁ ରକ୍ଷା ପାଇପାରୁଛନ୍ତି । ଯଦି ତାହାକୁ ମାଛଧରାଯିବା ପାଇଁ ନିଲାମ ଦିଆଯିବ ତେବେ ଆବଶ୍ୟକ ସମୟରେ ଚାଷଜମିକୁ କିପରି ପାଣି ମାଡିବ , ସେଥିପାଇଁ ଆମେ ମାଛଧରା ବ୍ୟବସ୍ଥାକୁ ବିରୋଧ କରିଥିଲୁ ବୋଲି ସିଧା ସିଧା କହିବାସହ ଏନେଇ ସେ ପୁର୍ବରୁ ପୁଲିସରେ ଅଭିଯୋଗ କରିବାପରେ ନିଲାମଧାରୀ ବ୍ୟକ୍ତି ଜଣକ ଜାଲ ନବିଛାଇବା ପାଇଁ ଚୁକ୍ତିନାମା କରିଛନ୍ତି ବୋଲି ସେ କହିଛନ୍ତି । ଏହାକୁନେଇ ଗ୍ରାମରେ ବିବାଦ ଦେଖାଦେବା ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସହିତ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


