ବାଲିଗୁଡାରେ ଜୱାଦ ର ପ୍ରଭାବ ବ୍ୟାପକ ଧାନ ଫସଲ ନଷ୍ଟ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବଙ୍ଗୋପସାଗର ରେ ସାମୁଦ୍ରିକ ଝଡ଼ ଜୱାଦ ପ୍ରଭାବ ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶା ରେ ଅନୁଭୂତ ହେଉଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଶୁକ୍ରବାର ମଧ୍ୟରାତ୍ରରୁ ଝିପି ଝିପି ବର୍ଷା ସାଙ୍ଗକୁ ଶନିବାର ସାରା ଦିନ କୋହଲା ପାଗ ସହ ବର୍ଷା ହେଉଛି l ବାଲିଗୁଡା କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ ଭଳି ବିଭିନ୍ନ ଅଞ୍ଚଳ ର ଉପାନ୍ତ ଅଞ୍ଚଳ ରେ ବର୍ଷା ମାତ୍ରାଧିକ ହେଉଛି l ଏହି ସାମୁଦ୍ରିକ ଝଡ଼ ରେ ଧାନ ଓ ପରିବା ଚାଷୀ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି l ରାଜସ୍ଵ ଓ କୃଷି ବିଭାଗ ପକ୍ଷରୁ ଧାନ ବିଲରୁ ଧାନ ଅମଳ କରି ଘରକୁ ଆଣି ସୁରକ୍ଷିତ ସ୍ଥାନରେ ରଖିବାକୁ ସତର୍କ ସୂଚନା ଦେଇଛି l ଚାଷୀ ଧାନକ୍ଷେତ ରୁ ଧାନ ଆଣିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଆଣି ପାରିନାହିଁ l ଯାହା ଫଳରେ ଚାଷୀଙ୍କ ଏକର ଏକର ଜମି ରେ ଧାନ ଫସଲ ଭିଜି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି l ପ୍ରଶାସନ ପକ୍ଷରୁ ଚାଷୀ ଙ୍କୁ ଧାନ ସୁରକ୍ଷିତ ଭାବେ ରଖିବାକୁ ଜରି କିମ୍ବା ପାଲ ବ୍ୟବସ୍ଥା କରାଯାଇନାହିଁ l ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଥିବାରୁ ଅନେକ ଧାନ ଚାଷୀ ବିଳମ୍ବରେ ବିଲ ରେ ଧାନ ରୋଇଛନ୍ତି, ପୁଣି ଅମଳ ପୂର୍ବରୁ ବର୍ଷା ରେ ଭିଜି ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ବିଭାଗୀୟ ଅଧିକାରୀ କ୍ଷୟ କ୍ଷତି ଆକଳନ କରି ତୁରନ୍ତ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ବିଭିନ୍ନ ମହଲ ରେ ଦାବୀ ହୋଇଛି l


